ଗୀତା ଦାସ

ପିଲାଙ୍କୁ ପିଲା ହୋଇ ପାଠ ପଢ଼ାଇଲେ ସେମାନେ ମନଦେଇ ଶିଖନ୍ତି ବଡ଼ ହୋଇ ଖାଲି ଭାଷଣ ଦେଲେ ସାନ ପିଲାମାନେ ବିଷୟ ଯେତେ ଗୁରୁତ୍ୱପୂର୍ଣ୍ଣ ହେଲେ ମଧ୍ୟ ଆଗ୍ରହ ପ୍ରକାଶ କରନ୍ତି ନାହିଁ

ଆଗ୍ରହ ହେଲେ ଆପେ ଆପେ ମନଯୋଗ ବଢ଼େ। ଯେଉଁ ବିଷୟ ଶିଖିବାକୁ ସୁଖ ଲାଗେ ନାହିଁ ସେ ବିଷୟରେ ପିଲା ମନ ଦେଇପାରନ୍ତି ନାହିଁ। ଶିକ୍ଷକଙ୍କ ଆଡ଼କୁ ଅନେଇ ଅନ୍ୟ କଥା ଭାବନ୍ତି। ପିଲାଙ୍କୁ ଆଖି ଦେଖେଇ ଧମକାଇଲେ ପିଲା ଚମକି ପଡ଼ି ଡରିମରି ମନ ଦେବାକୁ ଚେଷ୍ଟା କରନ୍ତି। ମାତ୍ର ଅଳ୍ପ ବେଳ ପରେ ଯେଉଁ କଥାକୁ ସେଇ କଥା ହୁଏ।

ପ୍ରଥମେ ମନେରଖିବା କଥା ଯେ ବଡ଼ ପିଲାଙ୍କ ତୁଳନାରେ ସାନ ପିଲାଙ୍କର ମନଯୋଗ କ୍ଷମତା କମ୍‌। ବଡ଼ ମଣିଷ ମଧ୍ୟ ପୂର୍ଣ୍ଣ ମନଯୋଗ ଦେଇ ଦଶମିନିଟ୍‌ରୁ ବେଶି ଗୋଟାଏ କଥା ଶୁଣିପାରନ୍ତି ନାହିଁ। ସେଥିଲାଗି ପ୍ରାଚୀନ କାଳରୁ ଆଲୋଚନା ମାଧ୍ୟମରେ ଶିକ୍ଷା ଦେବାର ବ୍ୟବସ୍ଥା ରହିଛି। ଆମର ଶାସ୍ତ୍ର, ପୁରାଣ, ଉପନିଷଦ ସବୁ ପ୍ରଶ୍ନୋତ୍ତର ଆକାରରେ ଲେଖାଯାଇଛି। ଗୁରୁଙ୍କୁ ପ୍ରଶ୍ନଟିଏ ପଚରାଗଲା – ସେ ଅଳ୍ପ ବେଳ ପାଇଁ ଉତ୍ତରଟି କହି ଚୁପ୍‌ ହେଲେ, ଛାତ୍ର ଉତ୍ତରଟି ଶୁଣି ଭାବି ପୁଣି ପଚାରିଲା (ଯମ ଓ ନଚିକେତା ସମ୍ବାଦ ଦେଖନ୍ତୁ)। ଅଥଚ ସ୍କୁଲରେ ଆମେ ବର୍ତ୍ତମାନ ପୂରା ୪୫ ମିନିଟ୍‌ଯାକ ବକ୍ତୃତା ଦେଇ ପିଲାଙ୍କୁ ପଢ଼ାଉ, ସେଥିଲାଗି ପିଲା ମନ ଦିଅନ୍ତି ନାହିଁ।

ଯେଉଁ ବିଷୟ ପଢ଼ାଯାଉଛି, ସେ ବିଷୟରେ ନିଜ ଜୀବନ ସହିତ ସମ୍ବନ୍ଧ ନ ଥିଲେ ପିଲା ବୁଝିପାରନ୍ତି ନାହିଁ। ତେଣୁ ମନ ଦିଅନ୍ତି ନାହିଁ। ଯଥା- କନ୍ଧମାଳ ପିଲାଙ୍କୁ କୁହାଗଲା – ‘ପୃଥିବୀ ଗୋଲ’, ଏ କଥା ପ୍ରମାଣ କର। ଯିଏ ନିଜ ଗାଆଁରୁ ବାହାରି ଦଶ ମାଇଲ୍ ଦୂର ଜାଗାକୁ ଯାଇ ନାହିଁ ସେ ପ୍ରଥମେ ପୃଥିବୀ କ’ଣ ସେ କଥା ଜାଣିପାରୁ ନାହିଁ। ଗ୍ଲୋବ୍ ଦେଖାଇ ପଢ଼ାଇଲେ (ବହୁତ ସ୍କୁଲରେ ଗ୍ଲୋବ୍ ନାହିଁ) ସେ ଭାବୁଛି ଗ୍ଲୋବର ଆଉ ଗୋଟିଏ ନାଆଁ ହେଲା ପୃଥିବୀ।

ଆଖିରେ ତ ଦେଖୁଛି ଗୋଲ, ମାଷ୍ଟ୍ରେ ତ କହୁଛନ୍ତି ପୃଥିବୀ ଗୋଲ୍, ପୁଣି ପ୍ରମାଣ କରିବା ଦରକାର କ’ଣ? ସହର ସ୍କୁଲରେ ମଧ୍ୟ ‘ପୃଥିବୀ ଗୋଲ୍’ ବୋଲି ଯେତିକି ପ୍ରମାଣ ଅଛି ସବୁ ପ୍ରମାଣ ପିଲାଙ୍କୁ ଘୋଷିବାକୁ ପଡ଼େ। ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍ ଚନ୍ଦ୍ରରୁ ପୃଥିବୀର ଯେଉଁ ଛବି ଉଠାଇଥିଲେ ସେଥିରେ ପୃଥିବୀ ଗୋଲ ଦେଖାଯାଉଛି ବୋଲି କେବଳ ଗୋଟିଏ ପ୍ରମାଣ ଦେଲେ ପରୀକ୍ଷାରେ ନମ୍ବର କମିଯାଉଛି। ଏପରି ଭାବରେ ପଢ଼ିବାରୁ ପିଲାଙ୍କୁ ପାଠ କଷ୍ଟ ଲାଗୁଛି ଓ ବୁଝି ନ ପାରିବାରୁ ମନର ଆଗ୍ରହ ଭାଙ୍ଗି ଯାଉଛି।

ସାନ ପିଲାଙ୍କର ପ୍ରକୃତି ଚଞ୍ଚଳ। ମାତ୍ର ସ୍କୁଲରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ସାନ ପିଲାଙ୍କୁ ଘଣ୍ଟା ଘଣ୍ଟା ଧରି ଗୋଟାଏ ଜାଗାରେ ସ୍ଥିର ହୋଇ ବସି ରହିବାକୁ କୁହାଯାଏ। ଏପରି ସ୍ଥିର ହୋଇ ବସି ରହିବା ଅଭ୍ୟାସଗତ ନ ହେବା ପର୍ଯ୍ୟନ୍ତ ପିଲାଙ୍କୁ କଷ୍ଟ ଲାଗେ। ଫଳରେ ପିଲା ଅମନଯୋଗୀ ହୁଅନ୍ତି।

ଭାରତ ବାହାରେ ଅଧିକାଂଶ ପାଶ୍ଚାତ୍ୟ ଦେଶରେ ସାନ ପିଲାଙ୍କ କ୍ଲାସ୍ ଅଲଗା ନିୟମରେ ଚାଲେ। ସେମାନେ ତିନି ଚାରିଜଣ ଏକାଠି ହୋଇ ବହି ପଢ଼ନ୍ତି, ହାତ କାମ କରନ୍ତି, ଛବି ଆଙ୍କନ୍ତି (ସବୁ ପିଲାଙ୍କ ହାତକାମ ଓ ଛବି ସ୍କୁଲ କାନ୍ଥରେ ମରା ହୋଇ ସଜା ହୋଇଥାଏ – କେବଳ ଭଲ ଛବି ବାଛିକରି ମାରନ୍ତି ନାହିଁ)। ଟର୍ଚ୍ଚ ଖୋଲି, ବ୍ୟାଟେରୀ ପକାଇବାକୁ ଶିଖନ୍ତି। ବିଭିନ୍ନ ସାନ ସାନ ଯନ୍ତ୍ରପାତିର ବ୍ୟବହାର ଶିଖନ୍ତି। କ୍ଲାସରେ ଚଳପ୍ରଚଳ ହେଉଥାଆନ୍ତି। କଥାବାର୍ତ୍ତା କରନ୍ତି। ଘରେ ଭାଇଭଉଣୀ ସବୁ ଯେମିତି ଏକାଠି ହୋଇ ଚଳନ୍ତି, ପ୍ରାୟ ସେହିପରି ସ୍କୁଲରେ ଚଳୁଥିବାରୁ ପିଲା ଖୁସିରେ ସବୁ କଥା ଶିଖନ୍ତି। ସେଠାରେ ସାଧାରଣ ସ୍ୱାଭାବିକ ପିଲାଙ୍କଠାରେ ଅମନୋଯୋଗିତା ଦେଖାଯାଏ ନାହିଁ। କେବଳ ସମସ୍ୟାଗ୍ରସ୍ତ ପିଲାଙ୍କଠାରେ ଅମନୋଯୋଗିତା ଦେଖାଯାଏ।

ସାନ ପିଲାଙ୍କ ଗୋଟାଏ ଆପତ୍ତି ପ୍ରାୟ ସମସ୍ତେ କରିଥାନ୍ତି – ‘‘ତା’ର ଜମା ପାଠରେ ମନ ନାହିଁ, ସବୁବେଳେ ଖେଳରେ ମନ।’’ ବିଦେଶରେ ଏଥିଲାଗି ପିଲାଙ୍କୁ ଖେଳ ମାଧ୍ୟମରେ ହିଁ ପାଠପଢ଼ା ଯାଇଥାଏ। ପିଲାଙ୍କ କ୍ଲାସ୍ ରୁମ୍‌ରେ ବିଭିନ୍ନ ପ୍ରକାରର ଖେଳ ଥାଏ। ଶିକ୍ଷକ ସେ ସବୁ ଖେଳ ବ୍ୟବହାର କରି ପିଲାଙ୍କୁ ପାଠ ଶିଖାନ୍ତି। ଯଥା – ଲୁଡ଼ୁ ସାହାଯ୍ୟରେ ଖେଳ ସହ ମିଶାଣ ଶିଖାନ୍ତି। ଢଗର ଅର୍ଥ ପଚାରି ପିଲାଙ୍କୁ ଗୋଟାଏ ଶବ୍ଦର ବିଭିନ୍ନ ଅର୍ଥ ଶିଖାନ୍ତି। ସାନ ପିଲାଙ୍କୁ ଲମ୍ବା ରଚନା ଲେଖିବାକୁ ନ କହି, ତିନି ଚାରି ଧାଡ଼ିର ଛାନ୍ଦ ଲେଖିବାକୁ କହନ୍ତି। (ମାନବ ସଭ୍ୟତାର ଆରମ୍ଭରୁ ଅଧିକାଂଶ ଜିନିଷ ପଦ୍ୟାକାରରେ ଲେଖା ହେଉଥିଲା ଓ ପରେ ଗଦ୍ୟ ରଚନା ଆରମ୍ଭ ହେଲା)। ଏହି ଉପାୟରେ ପଢ଼ିବା ବିଷୟଟିକୁ ଚିତ୍ତାକର୍ଷକ କରିବାରୁ ପିଲାର ମନୋଯୋଗ ଓ ଆଗ୍ରହ ବଢ଼େ।

(‘କୈଶୋରରୁ ଯୌବନ’ ମନୋବିଜ୍ଞାନୀ ଗୀତା ଦାସଙ୍କ ଏକ ଲୋକପ୍ରିୟ ପୁସ୍ତକ। ପିଲାଙ୍କ ମନୋବିଜ୍ଞାନକୁ ଆଧାରକରି ସେ ଏଥିରେ ଯେଉଁସବୁ ବିଷୟ ବର୍ଣ୍ଣନା କରିଛନ୍ତି ତାହା ଅଭିଭାବକ, ଶିକ୍ଷକ ଏବଂ ପିଲାଙ୍କ ମନସ୍ତତ୍ୱ ଉପରେ ରୁଚି ରଖୁଥିବା ଲୋକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିବ।)

Comment