ଛନ୍ଦା ମିଶ୍ର

ଅନେକ କ୍ଷେତ୍ରରେ ମୋବାଇଲରେ ଗୋଟିଏ ଶବ୍ଦ ସ୍ଥାନରେ ଗୋଟିଏ ଅକ୍ଷର ମେସେଜ୍‍ କରିଦେଲେ ହେଉଛି ଯଥେଷ୍ଟା କାରଣ ଆଜି ଆମ ପାଖରେ ସମୟର ଘୋର ଅଭାବ। ହେଲେ ଚିଠିରେ ମିଳୁଥିବା ଖବରର ଯେଉଁ ଆବେଗ ଓ ଆନନ୍ଦ ତାହା ମୋବାଇଲ୍ ମେସେଜରେ ମିଳିବ ବା କୁଆଡ଼ୁ ?

ହାତରେ ମୋବାଇଲଟି ହଠାତ୍‍ ଭାଇବ୍ରେଟ୍ କରି ଉଠିଲା। ଫୋନ୍ ଆସିଛି ବୋଲି ଭାବି ଦେଖିଲା ବେଳକୁ ଦୁଇଟି ମେସେଜ୍ ଆଗପଛ କରି। ପ୍ରଥମଟିରେ ଅଛି – “ହଟ୍ ଗାର୍ଲମାନଙ୍କ ପୋଷ୍ଟର ପାଇବା ପାଇଁ ଲଗ୍ ଅନ୍ କରନ୍ତୁ ଏହି ଠିକଣାରେ”। ତା’ ପର ମେସେଜରେ ଲେଖାହୋଇଛି, “ହାଏ, ମୁଁ ସୋନିଆ, ମତେ ସୁଇଟ୍ ସିକ୍‌ଷ୍ଟିନ୍, ମୁଁ ଆପଣଙ୍କ ସହିତ ଫ୍ରେଣ୍ଡସିପ୍ କରିବାକୁ ଇଚ୍ଛୁକ” ଇତ୍ୟାଦି ଇତ୍ୟାଦି। କାଳେ ତାହା ଛୁଆମାନଙ୍କ ହାତରେ ପଡ଼ିବ ବୋଲି ଭାବି ମୁଁ ମେସେଜ୍ ଦୁଇଟି ତୁରନ୍ତ ଡିଲିଟ୍ କରିଦେଲି। ମାତ୍ର ମୁଁ ଏପରି କେତେଦିନ ଧରି କରିବି?

ଦିନେ ନା ଦିନେ ସେମାନେ ଏସବୁ ବିଷୟରେ ଜାଣିବେ ବା ବୋଧହୁଏ ଜାଣିସାରିଥିବେ। ଏହିଭଳି ମେସେଜ୍ ପ୍ରତ୍ୟେକ ଦିନ ଅସଂଖ୍ୟ ମୋବାଇଲକୁ ଆସୁଛି। ଯେତେବେଳେ ତାହା ଏକ କିଶୋର ବା ଯୁବକର ହାତରେ ପହଞ୍ଚେ, ସେ ଉକ୍ତ ସଂସ୍ଥା ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ଇଚ୍ଛୁକ ହୋଇଉଠେ। ଫଳରେ ପିଲାଟି ନିଜର ସମୟ, ଧନ ଓ ତା ସହିତ ନିଜର ମୂଲ୍ୟବାନ ମନ ଓ ବିବେକ ସହିତ ଖେଳ ଖେଳେ।

ତା’ପରେ ଇଣ୍ଟରନେଟରେ ଏସବୁ ବିଷୟରେ ଅଧିକ ଜାଣିବା ପାଇଁ ଚାହେଁ ଓ ସେଥିପାଇଁ ସଙ୍ଗୀ ଖୋଜେ। ସେଥିପାଇଁ ମଧ୍ୟ ତାକୁ ବେଶି ଦୂର ଯିବାକୁ ପଡ଼େ ନାହିଁ। ଯେତେକ ଫ୍ରେଣ୍ଡସିପ୍ କ୍ଲବଗୁଡ଼ିକର ବିଜ୍ଞାପନ ସମ୍ବାଦପତ୍ର ଗୁଡ଼ିକରେ ବାହାରୁଛି, ସେଗୁଡ଼ିକ ଏ ବାବଦରେ ତାକୁ ଅଶେଷ ସାହାଯ୍ୟ କରିବେ ଓ ଶେଷରେ ଏସବୁ କାର୍ଯ୍ୟର କୁପରିଣାମରୁ ପିଲାଟିର ଜୀବନ ନଷ୍ଟ ହୋଇଯିବ।

ଗତ କିଛି ଦିନ ଧରି ଖବରକାଗଜ ଗୁଡ଼ିକର ପୃଷ୍ଠାମଣ୍ଡନ କରୁଛି ଏହି ପ୍ରକାରର ସମ୍ବାଦଗୁଡ଼ିଏ, ଯେଉଁଥିରେ ପାତ୍ର ବା ପାତ୍ରୀ ଓ ସ୍ଥାନ କେବଳ ଅଲଗାଅଲଗା, ମାତ୍ର ଅପରାଧ ଗୋଟିଏ। ମୋବାଇଲ ଦ୍ୱାରା ଅଶ୍ଲୀଳ ଚିତ୍ର ଉତ୍ତୋଳନ ପରେ ଯୁବତୀର ଆତ୍ମହତ୍ୟା ଓ ଯୁବକ ଗିରଫ। ଯୁବତୀଟିର ଜୀବନ ଚାଲିଗଲା ଓ ଯୁବକଟିର ଜୀବନ ଥାଇ ମଧ୍ୟ କୌଣସି କାର୍ଯ୍ୟରେ ଲାଗିଲା ନାହିଁ। ଚିନ୍ତା କରନ୍ତୁ ତ, କେଡ଼େ ସୁନ୍ଦର ଓ ଅମୂଲ୍ୟ ଜୀବନ ଯୋଡ଼ିଏ ନଷ୍ଟ ହୋଇଗଲା, କେବଳ ପାଶବିକ ପ୍ରବୃତ୍ତିର ବଶୀଭୂତ ହୋଇ।

ଏବେ ଯାହା ଘରେ ଦେଖିବେ ଛୁଆମାନେ ମୋବାଇଲ, ଟିଭି କିମ୍ବା କମ୍ପ୍ୟୁଟର ପାଖରେ ହିଁ ଥିବେ। ଆଗଭଳି ମଧ୍ୟ ଆଉ ଚ୍ୟାନେଲ ବଦଳାଇବା ପାଇଁ ନିଜ ସ୍ଥାନରୁ ଉଠୁବାକୁ ପଡୁନି। ସେହି ସ୍ଥାନରେ ବସି ମଧ୍ୟ ରିମୋଟ୍ କଣ୍ଟ୍ରୋଲ ସାହାଯ୍ୟରେ ଟିଭି ଉପରେ ନିଜର ଆଧିପତ୍ୟ ଜାହିର କରିହେବ।

ମୋବାଇଲ ଆମର ସବୁ କାମକୁ ସହଜ କରିବାରେ ଲାଗିଛି। ମୋବାଇଲ ଧରି ଅର୍ଡର କରିଦେଲେ ଖାଦ୍ୟ ପଦାର୍ଥ ଆସି ଘରେ ପହଞ୍ଚି ଯାଉଛି। ଆଉ ଆଗଭଳି କାଗଜ-କଲମ ଧରି ଚିଠି ଲେଖି ପୋଷ୍ଟ ଅଫିସ ଯାଇ ଡାକବାକ୍ସରେ ପକାଇବାକୁ ପଡ଼ୁନାହିାଁ ମୋବାଇଲର ସ୍କ୍ରିନରେ କେତୋଟି ଶବ୍ଦ ଟାଇପ୍ କରି ପଠାଇ ଦେଲେ ହେଲା। ଯଥା ସ୍ଥାନରେ ଯଥାର୍ଥ ବ୍ୟକ୍ତିକୁ ଅଳ୍ପ କେତେ ସେକେଣ୍ଡ ମଧ୍ୟରେ ଖବରଟି ମିଳିଗଲା।

ଅନେକ କ୍ଷେତ୍ରରେ ମୋବାଇଲରେ ଗୋଟିଏ ଶବ୍ଦ ସ୍ଥାନରେ ଗୋଟିଏ ଅକ୍ଷର ମେସେଜ୍‍ କରିଦେଲେ ହେଉଛି ଯଥେଷ୍ଟା କାରଣ ଆଜି ଆମ ପାଖରେ ସମୟର ଘୋର ଅଭାବ। ହେଲେ ଚିଠିରେ ମିଳୁଥିବା ଖବରର ଯେଉଁ ଆବେଗ ଓ ଆନନ୍ଦ ତାହା ମୋବାଇଲ୍ ମେସେଜରେ ମିଳିବ ବା କୁଆଡ଼ୁ ?

ଆଜି ମୋବାଇଲ ମାଧ୍ୟମରେ ଅତ୍ୟନ୍ତ କ୍ଷୀପ୍ର ଗତିରେ ପ୍ରେମ, ବିବାହ ଓ ପରେ ପରେ ବିଚ୍ଛେଦ ମଧ୍ୟ ହେବାରେ ଲାଗିଛି। କୋଟିପତିଠାରୁ ଆରମ୍ଭ କରି ସାଧାରଣ ରିକ୍ସାବାଲା ହାତରେ ମଧ୍ୟ ଶୋଭାପାଉଛି ମୋବାଇଲ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମୋବାଇଲ ବ୍ୟବହାର କରିବା ଦ୍ୱାରା କର୍କଟ ବ୍ୟାଧି ବଢ଼ିବାରେ ଲାଗିଛି ବୋଲି କୁହାଯାଉଛି। ଏଥିରେ ହେଉଥିବା ବିକିରଣ, ମସ୍ତିଷ୍କ କର୍କଟର ଏକ ପ୍ରମୁଖ କାରଣ ସାଜିଛି।

ଆଜି ଅନେକଗୁଡ଼ିଏ ଉନ୍ନତ ଦେଶ ମୋବାଇଲ ବ୍ୟବହାର ଉପରେ ଲଗାଇଛନ୍ତି କଟକଣା। ମାତ୍ର ଆମ ଦେଶ ଭାରତରେ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଆଜି ଏଭଳି ଅନେକ ପରିବାର ଅଛନ୍ତି ଯାହାର ପାଇଖାନା ଗୋଟିଏ ମଧ୍ୟ ନାହିଁ, ମାତ୍ର ମୋବାଇଲ ପ୍ରାୟ ପ୍ରତ୍ୟେକ ସଦସ୍ୟଙ୍କ ହାତରେ ଅଛି।

ଆଜି ଯେକୌଣସି ଯୁବକ ବା ଯୁବତୀଙ୍କୁ ଦେଖିବେ ତ ହାତରେ ନିଶ୍ଚୟ ମୋବାଇଲଟିଏ ଥିବ। ଘଣ୍ଟା ଘଣ୍ଟା ଧରି ଗପ ଚାଲିଥିବ। ହାତ ଦୁଇଟିକୁ ମୁକ୍ତ ରଖିବା ପାଇଁ ଇଅରଫୋନ୍ କିମ୍ବା ବ୍ଲୁଟୁଥ ଗେଞ୍ଜା ହୋଇଥିବ କାନରେ କିମ୍ବା କାନ ଓ କାନ୍ଧ ମଧ୍ୟରେ ମୋବାଇଲ ଚାପି ଧରି ବାର୍ତ୍ତାଳାପ ଚାଲିଥିବ। ସେହି ଅବସ୍ଥାରେ ବାଇକ୍ ବା କାର୍ ଡ୍ରାଇଭିଂ କରିବାରୁ ଆଜି ଦୁର୍ଘଟଣାର ହାର ମଧ୍ୟ ବଢ଼ିବାରେ ଲାଗିଛି।

ବର୍ତ୍ତମାନ ସମୟ ଆସିଛି ମୋବାଇଲ ବ୍ୟବହାର ଉପରେ ଅଙ୍କୁଶ ଲଗାଇବା ପାଇଁ। ମୋବାଇଲ ଆମର ଅନେକ ଉପକାର କରେ। ମାତ୍ର ତା’ର ଉପକାର ତୁଳନାରେ ଅପକାରର ମାତ୍ରା ଯଥେଷ୍ଟ ଅଧିକ। ଆଜି ଯେଉଁ ଛୋଟିଆ ଶିଶୁଟି ମୋବାଇଲରେ ଗେମ୍ ଖେଳିବାରେ ବ୍ୟସ୍ତ, କାଲି ମୋବାଇଲ ହାତରେ ସେ ନିଜେ ଏକ ଖେଳନା ସାଜିଯାଉଛି। ଅତି ଦରକାର ନପଡ଼ିଲେ ମୋବାଇଲ ବ୍ୟବହାର କରିବା ଅନୁଚିତ। ଏହାଦ୍ୱାରା ନିଜର ତଥା ସମାଜ ଓ ପରିବେଶର ଉନ୍ନତି ପଥରେ ସହାୟ ହେବା ନିଶ୍ଚିତ।

(ସୌଜନ୍ୟ – ଭିନ୍ନ ମଣିଷ)

Comment