ରବୀନ୍ଦ୍ର ନାରାୟଣ ମିଶ୍ର

ପ୍ରଥମେ ମଣିଷ ତା’ ମନରୁ ସବୁ ଅହଙ୍କାରକୁ ପ୍ରଥମେ ପୋଛି ଦେବା ଦରକାର। ତାହେଲେ ଯାଇ ଆନନ୍ଦମୟୀ ମା’ ତା’କୁ କହିବେ ଅନ୍ୟମାନଙ୍କର ସେବା କରିବାକୁ।

‘ହିନ୍ଦୁ ପାଟ୍ରିଅଟ୍‌’ର ସମ୍ପାଦକ କ୍ରିଷ୍ଟୋଦାସ ପାଲ୍‌ ସ୍ୱାଧୀନତା ଆନ୍ଦୋଳନର ଅଗ୍ରଣୀ ଭୂମିକାରେ ଥାଇ ସରକାର ଓ ଜନସାଧାରଣଙ୍କ ଆଖିରେ ଥିଲେ ଜଣେ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ। ଦିନେ ପରମହଂସ ରାମକୃଷ୍ଣଙ୍କ ଆଗରେ ସେ ଯୁକ୍ତି ବାଢ଼ିଲେ, ‘‘ଏ ଯେଉଁ ତ୍ୟାଗର କଥା ଆପଣ କହୁଛନ୍ତି, ସେ କଥାଗୁଡ଼ା ଏ ଦେଶଟାକୁ ନାଶ କରିଦେଲାଣି। କେବଳ ଏଇଥିପାଇଁ ଭାରତ ପରାଧୀନ ହୋଇ ରହିଛି।

ଅନ୍ୟମାନଙ୍କର ମଙ୍ଗଳ କରିବା, ଅଜ୍ଞ ଲୋକମାନଙ୍କୁ ଶିକ୍ଷିତ କରିବା ଏବଂ ସର୍ବୋପରି ଆମ ଦେଶରେ ବସ୍ତୁବାଦର ଉନ୍ନତି କରିବା – ଏସବୁ ଆମର ବର୍ତ୍ତମାନର କର୍ତ୍ତବ୍ୟ ହେବା ଉଚିତ୍‌। ଧର୍ମ ଓ ତ୍ୟାଗର ପରିପ୍ରଚାର ଆମକୁ ଅପରପକ୍ଷରେ ଦୁର୍ବଳ କରିଦେଉଛି। ଦେଶର ଉନ୍ନତି ଲକ୍ଷ୍ୟରେ କାମ କରିବାକୁ ବଙ୍ଗଳାର ଯୁବ ଗୋଷ୍ଠୀଙ୍କୁ ଆପଣ ଉଦ୍‌ବୁଦ୍ଧ କରିବା ଉଚିତ୍‌।’’

ପରମହଂସ ସବୁ ଶୁଣିସାରି କହିଲେ, ‘‘ତୁମେ ଜଣେ ବୋକା ଲୋକ ବୋଲି ଜଣାପଡ଼ୁଛ। ଆମର ସବୁ ଶାସ୍ତ୍ର ଯାହାକୁ ସର୍ବୋଚ୍ଚ ପୁଣ୍ୟ ବୋଲି ପ୍ରତିପାଦନ କରନ୍ତି, ତୁମେ ତାକୁ ତଳେ ପକାଇ ଦେଉଛ। ଦି’ ପୃଷ୍ଠା ଇଂରାଜୀ ପାଠପଢ଼ି ତୁମେ ଭାବୁଛ ଯେ ତୁମେ ସର୍ବଜ୍ଞ ହୋଇଯାଇଛ। ବର୍ଷା ଆସିଲେ ଗଙ୍ଗାରେ ଜନ୍ମ ହେଉଥିବା ଛୋଟ ଛୋଟ କଙ୍କଡ଼ାଗୁଡ଼ାକୁ ଦେଖିଛ କି? ବିଶ୍ୱବ୍ରହ୍ମାଣ୍ଡରେ ତୁମେ ସେଇ ଛୋଟ ଛୋଟ ପ୍ରାଣୀମାନଙ୍କଠାରୁ ମଧ୍ୟ ଆହୁରି ନଗଣ୍ୟ। ତୁମେ କେମିତି ତେବେ କହୁଛ ସାରା ବିଶ୍ୱକୁ ସାହାଯ୍ୟ କରିବ? ବିଶ୍ୱର ମଙ୍ଗଳ କରିବା ପରମେଶ୍ୱରଙ୍କ କାର୍ଯ୍ୟ।’’

ପୁଣି ଟିକେ ରହିଯାଇ ପରମହଂସ ଆରମ୍ଭ କଲେ, ‘‘ଗୁଡ଼ିଏ ଲୋକଙ୍କୁ ଖାଇବାକୁ ଦେବା, ସେମାନଙ୍କୁ ରୋଗବ୍ୟାଧିରେ ଚିକିତ୍ସା କରିବା, ରାସ୍ତାଟିଏ ତିଆରି କରିବା ବା କୂଅଟିଏ ଖୋଳିବା ନିଃସନ୍ଦେହରେ ଭଲ କାମ, ମାତ୍ର ସାରା ବିଶ୍ୱର ବ୍ୟାପକତା ଦୃଷ୍ଟିରୁ ଏସବୁ କେତେ କ୍ଷୁଦ୍ର। ଦୁର୍ଭିକ୍ଷ ଓ ମ୍ୟାଲେରିଆ ଦାଉରୁ ତୁମେ କେତେ ଲୋକଙ୍କୁ ବଞ୍ଚାଇପାରିବ? କେବଳ ପରମାତ୍ମା ହିଁ ଏସବୁ କରିପାରିବେ। ପ୍ରଥମେ ଲୋକେ ତାଙ୍କୁ ଜାଣିବା ଉଚିତ୍। ପ୍ରଥମେ ତାଙ୍କ ଦ୍ୱାରା କ୍ଷମତାପ୍ରାପ୍ତ ହେବା ଦରକାର। ପ୍ରଥମେ ମଣିଷ ତା’ ମନରୁ ସବୁ ଅହଙ୍କାରକୁ ପ୍ରଥମେ ପୋଛି ଦେବା ଦରକାର। ତାହେଲେ ଯାଇ ଆନନ୍ଦମୟୀ ମା’ ତା’କୁ କହିବେ ଅନ୍ୟମାନଙ୍କର ସେବା କରିବାକୁ।’’

ପରମହଂସଙ୍କ ତାଡ଼ନା ପରେ ପାଲ୍ ମହାଶୟ ସାହାଯ୍ୟ ଓ ସେବା ମଧ୍ୟରେ ଥିବା ପାର୍ଥକ୍ୟ ବିଷୟ ବୁଝିପାରିଲେ।

(ରବୀନ୍ଦ୍ର ନାରାୟଣ ମିଶ୍ର ଜଣେ ଲୋକପ୍ରିୟ ଲେଖକ ଓ ସ୍ତମ୍ଭକାର। ‘କଥାଟିଏ କହୁଁ’ ଶୀର୍ଷକରେ ସେ ବାର ଶହରୁ ଅଧିକ କଥା ଲେଖିଛନ୍ତି। – ସଂପାଦକ, ଓଡ଼ିଶାଲାଇଭ)

Comment