ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶିଷ୍ଟ ଗାନ୍ଧିବାଦୀ ନେତା ତଥା ପୂର୍ବତନ ବିଧାୟକ ରାଜକିଶୋର ନାୟକଙ୍କ ସ୍ମୃତିରେ ଅନୁଷ୍ଠିତ ହେବ ଏକ ବକ୍ତୃତାମାଳା କାର୍ଯ୍ୟକ୍ରମ। ଏଥିରେ ଭାଗ ନେବେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର।

ଗାନ୍ଧିବାଦୀ ନେତା ତଥା ପାଟକୁରାର ପୂର୍ବତନ ବିଧାୟକ ରାଜକିଶୋର ନାୟକଙ୍କ ସ୍ମୃତିରେ ଏକ ବକୃତାମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଜକିଶୋର ନାୟକ ଜାତୀୟ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ରାଜକିଶୋର ନାୟକଙ୍କ ଅପ୍ରତିମ ଜୀବନୀ ଗ୍ରନ୍ଥ ‘ସାୟାହ୍ନର ସ୍କୃତି’ ଉନ୍ମୋଚନ ହେବ।

ଭୁବନେଶ୍ଵର ଜୟଦେବ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଭାଗ ନେବେ। ମାଣିକ ସରକାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜୀବନୀ ଗ୍ରନ୍ଥ ‘ସାୟାହ୍ନର ସ୍କୃତି’ ଉନ୍ମୋଚନ କରିବେ।

‘ସାୟାହ୍ନର ସ୍କୃତି’ ପୁସ୍ତକକୁ ରଚନା କରିଛନ୍ତି ରାଜକିଶୋର ନାୟକଙ୍କ ପତ୍ନୀ ନିର୍ମଳପ୍ରଭା ନାୟକ। ପାଟକୁରା ନିର୍ବାଚନ ମଣ୍ଡଳୀର ବର୍ତ୍ତମାନ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ପିତା ହେଉଛନ୍ତି ରାଜକିଶୋର ନାୟକ।

ପ୍ରତିବର୍ଷ ସ୍ଵର୍ଗତ ରାଜକିଶୋର ନାୟକଙ୍କ ସ୍ମୃତିରେ ସ୍ମାରକୀ ବକ୍ତୃତାମାଳା ଅନୁଷ୍ଠିତ ହୋଇଥାଏ। ସର୍ବଭାରତୀୟ ସ୍ତରର ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ଏଥିରେ ଯୋଗ ଦେଇଥାନ୍ତି।

କାର୍ଯ୍ୟକ୍ରମର ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ମାଣିକ ସରକାର ‘ପରିପୂର୍ଣ୍ଣତାର ପ୍ରତିଷ୍ଠା ଓ ରାଜନୀତିରେ ମୂଲ୍ୟବୋଧ’ ଶୀର୍ଷକ ସ୍ମାରକୀ ବକୃତା ଦେବେ। କାର୍ଯ୍ୟକ୍ରମକୁ ସଭାପତିତ୍ଵ କରିବେ ଆନ୍ତର୍ଜାତିକ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର। ଏହି ସମାରୋହରେ ସ୍ଵାଧିନତା ସଂଗ୍ରାମୀ, ପୂର୍ବତନ ସାଂସଦ ତଥା ପଦ୍ମଶ୍ରୀ ଚରଣ ପଟ୍ଟନାୟକ ଓ ଲେଖକ ଓ ସ୍ତମ୍ବକାର ଗୌରହରି ଦାସ ଯୋଗ ଦେବେ।

ପୁସ୍ତକ ଉନ୍ମୋଚନ ସମାରୋହ ଜୟଦେବ ଭବନରେ ଆସନ୍ତାକାଲି ସକାଳ ସାଢେ ୧୦ଟାରେ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଓଡ଼ିଶାଲାଇଭ୍‌ ଫେସ୍‌ବୁକ୍‌ ପେଜ୍‌ (www.facebook.com/odishalive)ରେ ଲାଇଭ୍‌ ଷ୍ଟ୍ରିମିଂ କରାଯିବ। ଏହାକୁ କ୍ଲିକ୍‌ କରି ଆପଣ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିପାରିବେ।

Comment