ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଦିନକୁ ଦିନ ଭିନ୍ନ ମୋଡ଼ ନେଇଛି। ରାୟପୁରରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ସାଙ୍ଗରେ ଧରି କ୍ରାଇମବ୍ରାଞ୍ଚ ତନଘନା କରୁଥିଲେ ମଧ୍ୟ ଅଟୋ ଚାଳକର ପତ୍ତା ମିଳୁନି।

ସାଙ୍ଗରେ ପୁଞ୍ଜିଲାଲ। ପାଖେ ପାଖେ କ୍ରାଇମବ୍ରାଞ୍ଚ ଅଧିକାରୀ। ରାୟପୁର ଷ୍ଟେସନରେ ଓହ୍ଲାଇବା ପରେ ପୁଞ୍ଜିଲାଲ ପାର୍ସଲ ବୋମାକୁ ନେଇ କୁଆଡ଼େ କୁଆଡ଼େ ଯାଇଥିଲା? କେଉଁ ଅଟୋରେ ବସିଥିଲା? ଅଟୋ ଚାଳକ ତା ସାଙ୍ଗରେ କେତେ ସମୟ ରହିଥିଲା? ଏନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ଟିମ୍। ରାୟପୁରର ବିଭିନ୍ନ ସ୍ଥାନରେ ପୁଞ୍ଜିଲାଲକୁ ଧରି ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ।

ଛତିଶଗଡ଼ର ରାୟପୁରରେ ଚାଲିଛି ପାଟଣାଗଡ଼ ପାର୍ସଲା ବୋମା ବିସ୍ଫୋରଣର ତନଘନା। ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ସାଙ୍ଗରେ ଧରି କ୍ରାଇମବ୍ରାଞ୍ଚ ଟିମ୍ ଖୋଳତାଡ଼ କରୁଛନ୍ତି। ଯେଉଁ ଅଟୋରେ ପୁଞ୍ଜିଲାଲ କୋରିଅର ଅଫିସକୁ ପାର୍ସଲ ବୋମା ନେଇ ଯାଇଥିଲା ସେହି ଅଟୋ ଚାଳକକୁ ଖୋଜୁଛି କ୍ରାଇମବ୍ରାଞ୍ଚ। ହେଲେ ଅଟୋ ଚାଳକର ପତ୍ତା ମିଳୁନି।  ଅଟୋ ଚାଳକକୁ ଧରାଇ ଦେବା ପାଇଁ ପୁରସ୍କାର ଘୋଷଣା କରିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। ଯେଉଁ ବ୍ୟକ୍ତି ଅଟୋ ଚାଳକଙ୍କୁ ଧରାଇ ଦେବେ ତାଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ବୋଥ୍ରା କହିଛନ୍ତି।

ପୁଞ୍ଜିଲାଲ ମେହେରକୁ ସାଙ୍ଗରେ ଧରି କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ଶନିବାରଠାରୁ ରାୟପୁର ଯାଇଛନ୍ତି। ରାୟପୁରରେ ପୁଞ୍ଜିଲାଲ କୁଆଡ଼େ ଯାଇଥିଲା ଏବଂ କ’ଣ କରିଥିଲା ତାହା ପୁଞ୍ଜିଲାଲଠାରୁ ଜାଣିବାକୁ ଚାହିଁଛି କ୍ରାଇମବ୍ରାଞ୍ଚ। ରାୟପୁରରେ ପୁଞ୍ଜିଲାଲ କ’ଣ କରିଥିଲା ସେନେଇ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଡେମୋ ଦେଖାଇଛି ପୁଞ୍ଜିଲାଲ।

“ଅଟୋ ଚାଳକ ଉପରେ କିଛି ରାଗ ନାହିଁ। ପୁଞ୍ଜିଲାଲଠାରୁ ଅଧିକ ଟଙ୍କା ନେଇ ଅଟୋ ଚାଳକ ପାର୍ସଲ ବୋମା କୋରିଅର କରିଥିଲା। ହେଲେ କୋରିଅର ସଂସ୍ଥାର ସିସିଟିଭି ଅଚଳ ହୋଇଯାଇଥିବାରୁ ଅଟୋ ଚାଳକର ପତ୍ତା ମିଳୁନି। ଅଟୋ ଆସୋସିଏସନ ବି ଠିକରେ ଅଟୋ ଚାଳକଙ୍କ ଠିକଣା ଦେଇପାରୁ ନାହାନ୍ତି। ଅଟୋ ଚାଳକ ମିଳିଗଲେ ଅଭିଯୁକ୍ତକୁ ଦଣ୍ଡ ଦେବା ସହଜ ହେବ। ଏଣୁ ଅଟୋ ଚାଳକକୁ ଯିଏ ଧରାଇ ଦେବେ ତାଙ୍କୁ ଆମେ ପୁରସ୍କାର ସ୍ୱରୂପ ୨୫ ହଜାର ଟଙ୍କା ଦେବୁ”, କହିଛନ୍ତି ଅରୁଣ ବୋଥ୍ରା।

ପୁଞ୍ଜିଲାଲଙ୍କୁ ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ। ବଲାଙ୍ଗିର କେନ୍ଦୁପତ୍ର ଡାକବଙ୍ଗଳାରେ ପୁଞ୍ଜିଲାଲଙ୍କୁ କ୍ରାଇମବ୍ରାଞ୍ଚ ଅଧିକାରୀ ଜେରା କରିବା ପରେ ଶୁକ୍ରବାରଦିନ ପାଟଣାଗଡ ମେହେରପଡା ସ୍ଥିତ ପୁଞ୍ଜିଲାଲର ଘରେ ନିଜେ ଯାଞ୍ଚ କରିଥିଲେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। ଶନିବାର ଦିନ ଅଧିକ ଯାଞ୍ଚ ପାଇଁ ପୁଞ୍ଜିଲାଲକୁ କଣ୍ଟାବାଞ୍ଜି ଷ୍ଟେସନରୁ ଟ୍ରେନ ଯୋଗେ ରାୟପୁର ନିଆଯାଇଛି। ସେ କେମିତି କୋରିୟର ପ୍ୟାକ୍‌ କରିଥିଲା ଏବଂ କାହାର ସହାୟତା ସବୁ ନେଇଥିଲା ତାହା ଖୋଳତାଡ଼ କରିଛି ତଦନ୍ତକାରୀ ସଂସ୍ଥା। ଏହାସହ କ୍ରାଇମବ୍ରାଞ୍ଚ ରାୟପୁରର ବିଭିନ୍ନ ଏଟିଏମ୍‌ କାଉଣ୍ଟରର ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି।

ଫେବ୍ରୁଆରୀ ୨୩ ତାରିଖରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ନବବିବାହିତ ସୌମ୍ୟଶେଖର ଏବଂ ରିମାଙ୍କ ସଂସାର ଛାରଖାର ହୋଇଯାଇଥିଲା। ରିମା ଗୁରୁତର ହୋଇଯାଇଥିବା ବେଳେ ସୌମ୍ୟଶେଖର ଓ ତାଙ୍କ ଜେଜେମା ଆରପାରିକୁ ଚାଲିଯାଇଥିଲେ।

Comment