ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରୀ ମୃତ୍ୟୁ ମାମଲାକୁ ନେଇ ଆଜି ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଯଦୁପୁର ଗାଁର ଯୁବକ ସରୋଜ ସେଠୀ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଯଦି ସତ ହୁଏ, ତାହେଲେ ପରିସ୍ଥିତି ସାଂଘାତିକ ହେବ। ପରୀକୁ ନ୍ୟାୟ ଦେବାକୁ ବିଜେପି ଶେଷ ଯାଏଁ ଲଢ଼ିବ ବୋଲି ସେ କହିଛନ୍ତି।

‘‘ଏସଆଇଟିକୁ ଲଗେଇ ସରକାର ତାଙ୍କ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି। ଅରୁଣଙ୍କୁ ବ୍ୟବହାର କରି ଏହି ମାମଲାରୁ ଖସିଯିବେ ସେ ନେଇ ଉଦ୍ୟମ ଚାଲିଛି। ଏହି ମାମଲାରେ ଜଣେ ନିର୍ଦ୍ଦୋଷଙ୍କୁ ଫସେଇ ଦିଆଯାଉଛି। ଏକଥାକୁ ବିଜେପି ଘୋର ନିନ୍ଦା କରୁଛି। ତେଣୁ ସର୍ବପ୍ରଥମେ ଅରୁଣଙ୍କୁ ଏସ୍‌ଆଇଟିରୁ ବାହାର କରାଯାଉ ଆମର ଦାବି’’, କହିଛନ୍ତି ଲେଖାଶ୍ରୀ।

ଅରୁଣ ବୋଥ୍ରାଙ୍କ ନାଁରେ ସରୋଜ ଆଣିଥିଲେ ସଂଘାତିକ ଅଭିଯୋଗ

ବୁଧବାର ପରୀ ମାମଲାରେ ଏସ୍‌ଆଇଟି ହାଇକୋର୍ଟରେ ବନ୍ଦ ଲଫାପାରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ଏହାପରେ ଏହି ରିପୋର୍ଟରେ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଲେଖାଥିବା ଚର୍ଚ୍ଚା ହୋଇଥିଲା। ଏହାସହିତ ସେହି ଗାଁର ଜଣେ ଯୁବକ ଏ କାଣ୍ଡ ଭିଆଇଥିବା ରିପୋର୍ଟରେ ଲେଖାଥିବା ମଧ୍ୟ ଶୁଣିବାକୁ ମିଳିଥିଲା। ଏହାର ଗୋଟିଏ ଦିନ ପରେ ଅର୍ଥାତ ଗୁରୁବାର ଯଦୁପୁର ଗାଁର ଯୁବକ ସରୋଜ ସେଠୀ ଏକ ଚାଞ୍ଚଲ୍ୟକର ବୟାନ ଦେଇଥିଲେ। ଦୋଷ ମୁଣ୍ଡେଇବାକୁ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିବା ସେ ଗଣମାଧ୍ୟମକୁ କହିଥିଲେ।

‘‘ନିଖୋଜ ହେବା ପୂର୍ବ ଦିନ ପରି ତାଙ୍କ ଘରକୁ ଯାଇଥିଲା। ଏଥିପାଇଁ ମୋତେ ସନ୍ଦେହ କରାଯାଉଛି। ଏଥିପାଇଁ ମୋ ରକ୍ତ, ଲାଳ, ଓ ପ୍ୟାଣ୍ଟସାର୍ଟର ନମୂନା ସଂଗ୍ରହ କରିଥିଲା ପୋଲିସ। ଦୋଷ ମାନିବାକୁ ଅରୁଣ ବୋଥ୍ରା ସାର ମୋତେ ୫ ଲକ୍ଷ ଟଙ୍କା ଯାଚିଥିଲେ। କହିଥିଲେ ତୋତେ ୧୮ ବର୍ଷ ବୟସ। ଆମେ ୧୭ ଦେଖାଇବୁ। ତୁ ରାଜି ହୋଇଯା’’, ଏଭଳି ବୟାନ ଦେଇଥିଲେ ସରୋଜ।

Comment