ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ହେ ଫଗୁଣ କାନ୍ଦନାରେ….’ ଗୀତର ରେକର୍ଡିଂ ପରେ ମ୍ୟୁଜିକ ଆରେଞ୍ଜର କହିଥିଲେ ଏ ଗୀତଟି ନିଶ୍ଚିତ ହିଟ୍ ହେବ। ତାହା ବି ପରେ ସତ ହୋଇଥିଲା। ଗୀତଟି ନାୟିକା ସୁଜାତା ଆନନ୍ଦଙ୍କ ଉପରେ ପିକଚରାଇଜ୍ ହୋଇଥିଲା।

୧୯୭୫ର ପ୍ରଥମ ମୁକ୍ତିପ୍ରାପ୍ତ ସିନେମା ଥିଲା ‘ମମତା’। ପିକେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ଛବିର ପ୍ରଯୋଜନା କରିଥିଲେ ରମେଶ ଭାଓସିଂକା। ଏହାର ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ବ୍ୟୋମକେଶ ତ୍ରିପାଠୀ। ‘ମମତା’ର କାହାଣୀ ଲେଖିଥିଲେ ପ୍ରଶାନ୍ତ ନନ୍ଦ। ଏଥିରେ ପ୍ରଶାନ୍ତ ନନ୍ଦ, ସୁରେଶ ମିଶ୍ର, ସୁଜାତା, ରାଧା ପଣ୍ଡା ଓ ମାଷ୍ଟର ମାଣିଆ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ।

‘ମମତା’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଶିଷ୍ଟ ସଙ୍ଗୀତକାର ପ୍ରଫୁଲ କର। ସଂଯୋଗବଶତଃ ଏହା ତାଙ୍କର ସଙ୍ଗୀତ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଛବି। ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ‘ମମତା’ ପୂର୍ବରୁ ଅନ୍ୟ ଏକ ଓଡ଼ିଆ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସେହି ସିନେମାର ଟାଇଟଲ୍‌ ଥିଲା ‘ଝରଣା’। ସେହି ସିନେମାର ଗୀତ ରେକର୍ଡିଂ ସରିଥିଲା। ଏହାର କିନ୍ତୁ ସୁଟିଂ ଆରମ୍ଭ ହୋଇନଥିଲା।

‘ମମତା’ ସିନେମାରେ ପ୍ରଫୁଲ କର ଲେଖିଥିବା ପ୍ରତିଟି ଗୀତ ଥିଲା -ଶ୍ରୁତି ମଧୁର। ଏହାର ଗୀତଗୁଡ଼ିକ ହେଲା- ରେ ଆତ୍ମନ୍ ନିଦ୍ରା ପରିହରି… ଆରେ ମିତ ଆ’ ସଙ୍ଗାତ ମୁହଁ ଶୁଖାନି…, ମୁଁ ତ ମଣିଷ ମାରିନି କି ଚୋରି କରିନି…, ଦେଖି ସେ ବଣ ମଲ୍ଲୀ ରାଧା ହେଲେ ବାତୁଳୀ… ଏବଂ ହେ ଫଗୁଣ କାନ୍ଦନାରେ।

‘ମମତା’ ସିନେମାରେ କଣ୍ଠଶିଳ୍ପୀମାନେ ହେଲେ ପ୍ରଣବ ପଟ୍ଟନାୟକ, ଚିତ୍ତ ଜେନା, ସିକନ୍ଦର ଆଲାମ ଓ ପି ସୁଶିଲା ପ୍ରମୁଖ।

ପି ସୁଶିଳା

‘ମମତା’ର ଗୀତ ରେକର୍ଡିଂ ପାଇଁ ମାଡ୍ରାସ(ବର୍ତ୍ତମାନ ଚେନ୍ନାଇ)ର ପ୍ରସାଦ ଷ୍ଟୁଡିଓରେ କରାଯାଇଥିଲା। ଗୀତ ରେକର୍ଡିଂ ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ରିହର୍ସାଲ କରାଇଥିଲେ କଟକରେ। ଫିମେଲ୍ ଭର୍ସନ ଗୀତଗୁଡ଼ିକରେ କିଏ କଣ୍ଠଦାନ କରିବେ, ତା’କୁ ନେଇ ଚିନ୍ତାରେ ଥିଲେ ପ୍ରଫୁଲ୍ଲ କର। ସେ ଭାବିଥିଲେ ଏସ ଜାନକୀଙ୍କୁ ନେବେ।

ଫିଲ୍ମର ବିରହ ଗୀତ ‘ହେ ଫଗୁଣ କାନ୍ଦନା’ରେକୁ ଜଣେ ଦକ୍ଷିଣ ଭାରତର ପ୍ରଖ୍ୟାତ କଣ୍ଠଶିଳ୍ପୀ ଗାଇଲେ ଭଲ ଶୁଭିବ ବୋଲି ପ୍ରଫୁଲ୍ଲ କରଙ୍କୁ କହିଥିଲେ ମ୍ୟୁଜିକ ଆରେଞ୍ଜର ଉପେନ୍ଦ୍ର କୁମାର। ସେହି ସୁଗାୟିକା ଜଣକ ହେଲେ ପି ସୁଶିଳା।

ଗୀତ ରେକର୍ଡିଂ ପାଇଁ ନିର୍ଦ୍ଧାରିତ ଦିନ ସଙ୍ଗୀତକାର ପ୍ରଫୁଲ୍ଲ କର, ମ୍ୟୁଜିକ ଆରେଞ୍ଜର ଉପେନ୍ଦ୍ର କୁମାର, ପ୍ରଡ଼କ୍ସନ କଣ୍ଟ୍ରୋଲର ଧୀର ବିଶ୍ୱାଳ, କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମ ଓ ଚିତ୍ତ ଜେନା କଟକରୁ ମାଡ୍ରାସ ଯାଇଥିଲେ ଟ୍ରେନରେ।

ମାଡ୍ରାସରେ ଉପେନ୍ଦ୍ର କୁମାର କଣ୍ଠଶିଳ୍ପୀ ପି ସୁଶିଲାଙ୍କ ସହ ଯୋଗାଯୋଗ ଓଡ଼ିଆ ଗୀତଟି ହେ ଫଗୁଣ କାନ୍ଦନାରେ… ଗାଇବାକୁ ଅନୁରୋଧ କରିଲେ। ସେ ଗୀତର ସ୍ୱର ଶୁଣି ଖୁବ୍ ଉତ୍ସାହିତ ହୋଇପଡ଼ିଲେ। ଉପେନ୍ଦ୍ର କୁମାର ଗୀତଟିର ଭାବାର୍ଥ ବି ବୁଝାଇ ଦେଇଥିଲେ ପି ସୁଶିଲାଙ୍କୁ।

ସେ ସମୟରେ ଆଜି ଭଳି ଟ୍ରାକ୍ ରେକର୍ଡିଂର ବ୍ୟବସ୍ଥା ନଥିଲା। ଏଣୁ ଗାୟିକା ପି ସୁଶିଲାଙ୍କୁ ରେକର୍ଡିଂ ଥିଏଟରରେ ରିହର୍ସଲ କରିବାକୁ ପଡ଼ିଥିଲା। ହେଲେ ସେ ସୁରୁଖୁରୁରେ ଗୀତଟିକୁ ଲାଇଭ୍ ରେକର୍ଡିଂରେ ଗାଇଥିଲେ। ଷ୍ଟୁଡିଓରେ ଥିବା ରେକର୍ଡିଷ୍ଟ ବି ଖୁବ୍ ଖୁସି ହୋଇଥିଲେ।

‘ହେ ଫଗୁଣ କାନ୍ଦନାରେ….’ରେ ଗୀତର ରେକର୍ଡିଂ ପରେ ମ୍ୟୁଜିକ ଆରେଞ୍ଜର କହିଥିଲେ ଏ ଗୀତଟି ନିଶ୍ଚିତ ହିଟ୍ ହେବ। ତାହା ବି ପରେ ସତ ହୋଇଥିଲା। ଏହାପରେ କଣ୍ଠଶିଳ୍ପୀ ପି ସୁଶିଲା ଚିତ୍ତ ଜେନାଙ୍କ ସହିତ ମିଶି ଏକ ଡୁଏଟ୍ ‘ଦେଖି ସେ ବଣମଲ୍ଲୀ, ରାଧା ହେଲା ବାତୁଳି…’ ବି ଗାଇଥିଲେ। ଏହା ବି ହିଟ୍ ହୋଇଥିଲା। ‘ହେ ଫଗୁଣ କାନ୍ଦନାରେ….’ ଗୀତଟି ନାୟିକା ସୁଜାତା ଆନନ୍ଦଙ୍କ ଉପରେ ପିକଚରାଇଜ୍ ହୋଇଥିଲା।

1 COMMENT

  1. Listen to the song. Follow the lyric, music and the emotional delivery on the voice. Old is gold, really!

Comment