ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଚାର ଶେଷ ହେବାର ଠିକ୍ ଘଣ୍ଟାଏ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଉପରେ ବର୍ଷିଛନ୍ତି। ୧୩୦ରୁ ଅଧିକ ଆସନ ପାଇ ବିଜେପି ସରକାର ଗଠନ କରିବ ବୋଲି କହିଛନ୍ତି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରଚାର। ପ୍ରଚାର ଶେଷ ଦିନରେ ଉଭୟ ବିଜେପି ଏବଂ କଂଗ୍ରେସ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ପ୍ରଚାର ଶେଷ ହେବାର ଠିକ୍ ଘଣ୍ଟାଏ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଏବଂ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି। ଏହାସହ ବିଜେପି ୧୩୦ ଆସନ ଜିତି କର୍ଣ୍ଣାଟକରେ ସରକାର ଗଠନ କରିବ ବୋଲି ଶାହା କହିଛନ୍ତି।

ଗଡ଼ିବ ସିଦ୍ଧରମେୟାଙ୍କ ସରକାର

କର୍ଣ୍ଣାଟକରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ଚୋରି, ଡକାୟତି ଏବଂ ଦୁଷ୍କର୍ମ ଘଟଣା ବଢ଼ିଛି। ବେଙ୍ଗାଳୁରୁର ଟ୍ରାଫିକ ଭଳି କର୍ଣ୍ଣାଟକର ବିକାଶ ଧିମେଇ ଯାଇଛି। ସିଦ୍ଧରମେୟା ସରକାର କର୍ଣ୍ଣାଟକବାସୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି। ଏଣୁ ସିଦ୍ଧରମେୟ ସରକାର ଏଥର ହାରିବାକୁ ଯାଉଛନ୍ତି। ବିଜେପି ୧୩୦ ଆସନରେ ଜିତି ସରକାର ଗଠନ କରିବ ବୋଲି ଶାହା କହିଛନ୍ତି।

ରାହୁଲ ଗାନ୍ଧିଙ୍କୁ କଟାକ୍ଷ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଛନ୍ତି ବିଜେପି ସଭାପତି ଅମିତ ଶାହା। ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବା ସମ୍ପର୍କୀତ ପ୍ରଶ୍ନର ଉତ୍ତର ଦେଇ ଶାହା କହିଲେ ଯେ ପ୍ରଧାନମନ୍ତ୍ରୀ ଯିଏ ନାଇ ସେ ହୋଇ ପାରିବ। ପ୍ରଶ୍ନ ପଚାରିଥିବା ସାମ୍ବାଦିକଙ୍କୁ ଶାହା କହିଲେ ଯେ ଆପଣ ବି ଚାହିଁଲେ ପ୍ରଧାନମନ୍ତ୍ରୀ ହୋଇପାରିବେ। ରାହୁଲ ଗାନ୍ଧି ଯେମିତି ପ୍ରଧାନମନ୍ତ୍ରୀ ହେବା ପାଇଁ ଇଚ୍ଛା ରଖିଛନ୍ତି ସେମିତି ତାଠୁ ଅଧିକ ଇଚ୍ଛା ଆପଣଙ୍କର ହେବା ଦରକାର।

ବିଜେପି କରିଛି ୪୦୦ ରାଲି

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜୋରଦାର କସରତ କରିଛି। ନିର୍ବାଚନ ବିଗୁଲ ବାଜିବା ଦିନରୁ ବିଜେପି ପ୍ରଚାରକୁ ଜୋରଦାର କରିଛି। କର୍ଣ୍ଣାଟକର ୫୬ ହଜାର ବୁଥରେ ବିଜେପି କର୍ମକର୍ତ୍ତାମାନେ ଭୋଟରଙ୍କ ପାଖରେ ପହଞ୍ଚିଛନ୍ତି। ବିଜେପି ୪୦୦ ରାଲି ଏବଂ ରୋଡ ସୋ ଆୟୋଜନ କରିଛି। ୩୫ରୁ ଅଧିକ ବରିଷ୍ଠ ନେତା ଏସବୁ କାମରେ ସାମିଲ ହୋଇଥିଲେ।

Comment