ନୀଳାମ୍ବର ରଥ

ସୋସିଆଲ୍ ମିଡିଆ ଆମର ବ୍ୟକ୍ତିଗତ ଜୀବନକୁ ଅଧିକ ଅର୍ଥପୂର୍ଣ୍ଣ ଓ ଆନନ୍ଦମୟ କରୁଛି ନା ଧୀରେ ଧୀରେ ଏହା ବ୍ୟକ୍ତିକୁ ଏକ ପ୍ରକାର ନିଃସଙ୍ଗତା ଆଡ଼କୁ ଟାଣି ନେଉଛି?

ମଣିଷ ଏକ ସାମାଜିକ ପ୍ରାଣୀ। ତେଣୁ ସାମାଜିକ ଜୀବନକୁ ବାଦ୍ ଦେଲେ ମଣିଷ ଓ ପଶୁ ଭିତରେ ହୁଏତ କୌଣସି ଫରକ୍ ରହିବ ନାହିଁ। ବ୍ୟକ୍ତିଗତ ଜୀବନ, ପାରିବାରିକ ଜୀବନ ଏବଂ ସାମାଜିକ ଜୀବନ – ଜଣେ ବ୍ୟକ୍ତିର ମୁଖ୍ୟତଃ ତିନୋଟି ପରିସର ରହିଛି। ଏ ସମସ୍ତ ପରସ୍ପର ପରିପୂରକ। ତେଣୁ ସାମାଜିକ ଓ ପାରିବାରିକ ଜୀବନରେ ସଫଳତା ସହ ବ୍ୟକ୍ତିଗତ ଜୀବନରେ ଆନନ୍ଦ ହିଁ ଜଣେ ମଣିଷକୁ ପୂର୍ଣ୍ଣତା ଆଣିଦିଏ।

ଆଧୁନିକ ଡିଜିଟାଲ୍‌ ଓ ମୋବାଇଲ୍ ମିଡିଆ ଯୁଗରେ ସାମାଜିକ ସମ୍ପର୍କର ଏକ ନୂଆ ପରିସର ହୋଇଛି ସୋସିଆଲ୍ ମିଡିଆ ବା ସାମାଜିକ ଗଣମାଧ୍ୟମ। ଆଜି ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍। ଫୋନ୍‌ରେ ସକ୍ରିୟ ରହିଛି ଏହି ସୋସିଆଲ୍ ମିଡିଆ। ସକାଳୁ ଉଠିବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ମଣିଷ ଘଡ଼ିକୁ ଘଡ଼ି ଫୋନର ସ୍କ୍ରିନକୁ ଚାହିଁ ରହିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି। ଫେସବୁକ୍, ହ୍ୱାଟ୍ସଆପ୍‌, ଟ୍ୟୁଟର ବା ଇନଷ୍ଟାଗ୍ରାମ – ଏଭଳି କେତେ ସୋସିଆଲ୍ ମିଡିଆ ରହିଛି। ଆଜି ପୃଥିବୀର କୋଟି କୋଟି ଲୋକ ଏହିସବୁ ଭର୍ଚୁଆଲ୍ ମିଡିଆରେ ଆକାଉଣ୍ଟ ଖୋଲି ଚିହ୍ନା ଅଚିହ୍ନା ଲୋକଙ୍କ ସହ ସମ୍ପର୍କ ଯୋଡ଼ିବାରେ ମାତିଯାଇଛନ୍ତି।

ହେଲେ ପ୍ରଶ୍ନ ଉଠୁଛି, ଆଜିର ଏହି ଅତ୍ୟାଧୁନିକ ସୋସିଆଲ୍ ମିଡିଆ ଆମର ବ୍ୟକ୍ତିଗତ ଜୀବନକୁ ଅଧିକ ଅର୍ଥପୂର୍ଣ୍ଣ ଓ ଆନନ୍ଦମୟ କରିଛି ନା ଧୀରେ ଧୀରେ ଏହା ବ୍ୟକ୍ତିକୁ ଏକ ପ୍ରକାର ନିଃସଙ୍ଗତା ଆଡ଼କୁ ଟାଣି ନେଉଛି? – ଡିଜିଟାଲ ମିଡିଆ ଦିନକୁ ଦିନ ଯେତିକି ବ୍ୟାପକ ହେଉଛି ଏ ପ୍ରଶ୍ନ ସେତିକି ସେତିକି ପ୍ରାସଙ୍ଗିକ ମନେହେଉଛି। କାରଣ ଦେଖାଯାଉଛି ଯେ ସୋସିଆଲ ମିଡିଆରେ ଘଣ୍ଟା ଘଣ୍ଟା ସମୟ ମାତି ଆମେ ପାରିବାରିକ, ବ୍ୟକ୍ତିଗତ ଏବଂ ସୃଜନାତ୍ମକ ଜୀବନଠାରୁ ଦୂରେଇଯାଉଛୁ। କେତେକ ଦେଶରେ ଅତ୍ୟଧିକ ମୋବାଇଲ ଓ ସୋସିଆଲ ମିଡିଆ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ନାନା ଶାରୀରିକ ଓ ମାନସିକ ସମସ୍ୟା ଦେଖାଦେଲାଣି। ଏ ବିଷୟ ଆଗକୁ ଗମ୍ଭୀର ରୂପ ନେଇପାରେ।

ଗତ କିଛି ଦଶନ୍ଧି ମଧ୍ୟରେ ମିଡିଆ ଟେକ୍ନୋଲୋଜି କ୍ଷେତ୍ରରେ ଆସିଛି ଯୁଗାନ୍ତକାରୀ ପରିବର୍ତ୍ତନ। ତା’ ସାଙ୍ଗକୁ ତାଳ ଦେଇ ବଦଳିଚାଲିଛି ଆମ ଦୈନନ୍ଦିନ ଜୀବନରେ ମିଡିଆର ପ୍ରବେଶ ଓ ପ୍ରଭାବ। ବିଶେଷକରି ସ୍ମାର୍ଟଫୋନର ପ୍ରସାର, ହାତମୁଠାରେ ୪ଜି ଇଣ୍ଟରନେଟ୍ ଏବଂ ଅତ୍ୟାଧୁନିକ ମୋବାଇଲ୍ ଆପ୍‌ର ପ୍ରୟୋଗ ଆମ ଜୀବନଧାରାକୁ ବଦଳାଇ ଦେଇଛି। ଯେଉଁ ମୋବାଇଲ୍ ଫୋନ୍‌କୁ ଦିନେ ଆମେ ମୁଖ୍ୟତଃ ଦୂରସ୍ଥାନ ସହ କଥାବାର୍ତ୍ତା ପାଇଁ ବ୍ୟବହାର କରୁଥିଲୁ ଆଜି ତାହା ଏକ ପୂର୍ଣ୍ଣାଙ୍ଗ ବ୍ୟକ୍ତିଗତ ମିଡିଆ ବା ପର୍ସନାଲ୍ ମିଡିଆରେ ପରିଣତ ହୋଇଛି। ତେଣୁ ଆଜି ଫୋନରେ କଥାବାର୍ତ୍ତା ଅପେକ୍ଷା ଆମେ ଫଟୋ ଉଠାଇବା, ଭିଡିଓ ସୁଟ୍ କରିବା, ଇମେଲ୍ କରିବା ଏବଂ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ତଥା ଘଡ଼ିକି ଘଡ଼ି କମେଣ୍ଟ ଦେବା ବା ସେୟାର କରିବା କ୍ଷେତ୍ରରେ ଅଧିକ ସମୟ ଦେଉଛୁ। ମୋବାଇଲ୍ ଫୋନ୍‌ର ଏହି ବ୍ୟାପକ ବ୍ୟବହାର ଆମକୁ ଏକ ଭର୍ଚୁଆଲ୍ ଜଗତ ସହ ଯୋଡ଼ୁଛି ସତ ତେବେ ଆମର ବ୍ୟକ୍ତିଗତ ଜୀବନକୁ ଅଧିକରୁ ଅଧିକ ନିଃସଙ୍ଗ କରିଦେବା ଭଳି ମନେହେଉଛି।

ଦିନ ଥିଲା ସମୟ ମିଳିବା ମାତ୍ରେ ଘରେ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହେବା, ସାଙ୍ଗସାଥୀଙ୍କ ସହ ଗପସପ, ଚା’ ଖଟି କିମ୍ବା ବ୍ୟକ୍ତିଗତ ରୁଚି ବା ଅଭ୍ୟାସ ଭିତରେ ମଣିଷ ବୁଡ଼ିଯାଉଥିଲା। ଏହା ଫଳରେ ତା’ର ସାମାଜିକ ଓ ବ୍ୟକ୍ତିଗତ ଜୀବନ ଅଧିକ ଅର୍ଥପୂର୍ଣ୍ଣ ହୋଇପାରୁଥିଲା। ଭାବର ଆଦାନପ୍ରଦାନ ଫଳରେ ମନରେ ଶାନ୍ତି ଆସୁଥିଲା। ଜଣେ ବ୍ୟକ୍ତି ସାଙ୍ଗରେ ସାମନାସାମନି ବସି ସୁଖ ବା ଦୁଃଖ କହିବା ବେଳେ ଅନ୍ୟଜଣଙ୍କ ପ୍ରତିକ୍ରିୟା ତାକୁ ଅଧିକ ଖୁସି ବା ଆଶ୍ୱାସନା ଦେଉଥିଲା। କିନ୍ତୁ ଆଜି ମୋବାଇଲ୍ ଓ ସୋସିଆଲ୍ ମିଡିଆ ମଣିଷର ଏହି ସାମାଜିକ ବ୍ୟବହାରକୁ ଏକ ପ୍ରକାର ବଦଳାଇ ଦେଇଛି। ଆଜି ଗୋଟିଏ ଛାତ ତଳେ ଥାଇ ମଧ୍ୟ ଘଣ୍ଟା ଘଣ୍ଟା ଧରି ଲୋକେ ପରସ୍ପରକୁ ଭୁଲିଯାଇ କେବଳ ମୋବାଇଲ୍ ପରଦାକୁ ଅନାଇ ବିତାଇ ଦେଉଛନ୍ତି। ଏହି ଅଭ୍ୟାସ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଗ୍ରାସ କରିଛି। ଆଜି ଉପର ମହଲାରେ ପୁଅ ତଳ ମହଲାରେ ଥିବା ବାପାଙ୍କ ଜନ୍ମଦିନ ଅଭିନନ୍ଦନ ହ୍ୱାଟସଆପରେ ପଠାଇବା ଭଳି ଘଟଣା ଘଟୁଛୁ। ଏହାଫଳରେ ବାସ୍ତବ ଜୀବନରେ ଆମେ ସାମାଜିକ ହୋଇପାରୁଛୁ ନା ଅଧିକ ଏକଲା ହୋଇଯାଉଛୁ ତାହା ଚିନ୍ତା କରିବା ଦରକାର।

ଆଜିର ସୋସିଆଲ୍ ମିଡିଆ ଏକ ଅଭିଶାପ ନୁହେଁ – ବରଦାନ। ହେଲେ କୌଣସି ବାଛବିଚାର ନ ରଖି ଆମେ ଏହାର ଯେଭଳି ବ୍ୟବହାର କରୁଛୁ ତାହା ଆଶୀର୍ବାଦ ନ ହୋଇ ଏକ ପ୍ରକାର ଅଭିଶାପ ହେବାକୁ ବସିଛି। ସୋସିଆଲ ମିଡିଆ ଆଜି ଅନେକଙ୍କ ପାଇଁ ସବୁଠାରୁ ବଡ଼ ଟାଇମ ୱେଷ୍ଟର ବା ସମୟ ବରବାଦ କରୁଥିବା ମାଧ୍ୟମରେ ପରିଣତ ହୋଇଛି।

ସକାଳେ ଆଖି ଖୋଲିଲା ବେଳକୁ ଗୁଡ୍‌ମର୍ଣ୍ଣିଂ ମେସେଜ୍‌ରେ ଫୋନ୍‌ ଭରିଯାଉଛି। ହ୍ଵାଟ୍ସଆପରେ ଭରିଯାଉଛି ଭଳିକିଭଳି ଭିଡିଓ। ଆମେ ମଧ୍ୟ ବାଛବିଚାର ନ କରି ଶହ ଶହ ପୋଷ୍ଟକୁ ସାଙ୍ଗସାଥୀଙ୍କ ସହ ସେୟାର କରିଦେଉଛୁ। ଏହି ସୂଚନାର ବିସ୍ଫୋରଣ ଭିତରେ ଅନେକ ସମୟରେ ଜରୁରୀ ମେସେଜଟି କେଉଁଠି ହଜିଯାଉଛି।

ଅନ୍ୟପକ୍ଷରେ ସୋସିଆଲ୍ ମିଡିଆରେ ଲୋକଙ୍କ ଆତ୍ମବଡ଼ିମା ଏବଂ କେତେକ ଜାଗାରେ ଗାଳିମନ୍ଦ ଦେଖି ଦେଖି ମଣିଷ ବିରକ୍ତ ହୋଇଯାଉଛି। ତେଣୁ ଯେଉଁ ସୋସିଆଲ୍ ମିଡିଆ ଆଧୁନିକ ମଣିଷର ସାମାଜିକ ଯୋଗାଯୋଗର ଏକ ବଳିଷ୍ଠ ମାଧ୍ୟମ ଭାବେ ତିଆରି ହୋଇଥିଲା, ତାହା ଅନେକ ସମୟରେ ବିରକ୍ତିର କାରଣ ହେଉଛି। ସୋସିଆଲ୍ ମିଡିଆ ମନରେ ଆନନ୍ଦ ଆଣିବା ବଦଳରେ କ୍ରମେ ତା’ର ଗୁରୁତ୍ୱ ହରାଇ ବସୁଛି। ସୋସିଆଲ ମିଡିଆ ଆଜି ପିଲାଙ୍କଠାରୁ ଖେଳକୁଦ ମଧ୍ୟ ଛଡ଼ାଇ ନେଇଛି। ଏହା ଆନନ୍ଦର କଥା କି ଚିନ୍ତାର ବିଷୟ ଆପଣ ଥରେ ଭାବି ଦେଖନ୍ତୁ।

ଆଜି ସାତରୁ ସତୁରୀ – ସବୁ ବୟସର ଲୋକ ସୋସିଆଲ ମିଡିଆ ବ୍ୟବହାର କରୁଥିବା ବେଳେ ବିଶେଷକରି ଯୁବବର୍ଗଙ୍କ ପାଇଁ ଏହା ସବୁଠାରୁ ଅଧିକ ସମସ୍ୟା ସୃଷ୍ଟି କରିବାକୁ ଯାଉଛି। କେବଳ ସମୟର ଅପଚୟ ନୁହେଁ, ସୋସିଆଲ ମିଡିଆ ମାୟାରେ ପଡ଼ି ମଣିଷ ଆଜି ତା’ର ବ୍ୟକ୍ତିଗତ ଜୀବନକୁ ବିପନ୍ନ କରିଦେଉଛି। ବିଭିନ୍ନ ସୋସିଆଲ ମିଡିଆରେ ପ୍ରତିଦିନ ଆମେ ପୋଷ୍ଟ କରୁଥିବା ସୂଚନା, ଫଟୋ ବା ଭିଡିଓ ମାଧ୍ୟମରେ ଆମ ସମ୍ପର୍କରେ ଅନେକ ବ୍ୟକ୍ତିଗତ ତଥ୍ୟ ଆମ ଅଜାଣତରେ ଅନ୍ୟ ହାତକୁ ଚାଲିଯାଉଛି। ଏହାକୁ ବିଭିନ୍ନ ବ୍ୟବସାୟିକ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ, ଭୋଟ୍ ରାଜନୀତିରେ ଜିତାପଟ ହାସଲ ପାଇଁ ଆଜି ଏହିସବୁ ବ୍ୟକ୍ତିଗତ ତଥ୍ୟକୁ ଅନୁଧ୍ୟାନ କରି ନିର୍ବାଚନୀ ରଣନୀତି ପ୍ରସ୍ତୁତ କରାଯାଉଛି। ତେଣୁ ସୋସିଆଲ ମିଡିଆ ଆଜି ଆମ ବ୍ୟକ୍ତିଗତ ଜୀବନର ପସନ୍ଦ ଅପସନ୍ଦ ଏବଂ ଅନେକ ଗୋପନୀୟ ଦିଗକୁ ସର୍ବସାଧାରଣରେ ଖୋଲି ଦେଇଛି।

ଆଜି ସୋସିଆଲ୍ ମିଡିଆ ମଧ୍ୟ ହୋଇଛି ଅପରାଧୀମାନଙ୍କର ଏକ ବଡ଼ ମାଧ୍ୟମ। ସେମାନେ ଏହାର ବ୍ୟବହାର କରି ନିଜର ଉଦ୍ଦେଶ୍ୟ ସାଧନ କରିବାରେ ଅନେକ ସମୟରେ ସଫଳ ହେଉଛନ୍ତି। ବିଶେଷକରି ଅନେକ ଆର୍ଥିକ ଅପରାଧର ଖିଅ ଏହି ସୋସିଆଲ ମିଡିଆରୁ ବାହାରୁଛି। ସେହିପରି ଅନେକ ଯୁବତୀଙ୍କ ସମ୍ମାନ ଧୂଳିସାତ କରୁଥିବା ତଥାକଥିତ ଭାଇରାଲ ଭିଡିଓର ସବୁଠୁ ବଡ଼ ମାଧ୍ୟମ ହେଉଛି ଏହି ମିଡିଆ।

ସାଧାରଣ ଲୋକେ ଏହିସବୁ ବ୍ୟବସାୟିକ, ରାଜନୈତିକ ବା ଅପରାଧିକ ଦିଗ ସମ୍ପର୍କରେ ସଚେତନ ନ ରହି ସୋସିଆଲ ମିଡିଆ ମାୟାରେ ଭାସିଯାଉଛନ୍ତି। ତେଣୁ ଆଗାମୀ ଦିନରେ ଏହା ଯେ ଏକ ବିରାଟ ସାମାଜିକ ସମସ୍ୟା ସୃଷ୍ଟି କରିବ ଏବେଠାରୁ ତାହା ଜଳ ଜଳ ହୋଇ ଦେଖାଗଲାଣି।

ସୋସିଆଲ ମିଡିଆ ଏକ ଚମତ୍କାର ମାଧ୍ୟମ। ଏହାରି ସାହାଯ୍ୟରେ ଆମେ ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ନିଜର ସୂଚନା ଓ ଭାବନା ବ୍ୟକ୍ତ କରିବାର ସୁଯୋଗ ପାଉ। ସେହିପରି ଅନ୍ୟମାନଙ୍କ ଭାବନା ସହ ଯୋଡ଼ି ହେବାର ତତ୍କାଳ ଏବଂ ବିଶେଷ ସୁଯୋଗ ଆଣିଦିଏ ଏହି ମାଧ୍ୟମ। ହେଲେ ସୋସିଆଲ୍ ମିଡିଆରେ କୌଣସି ପୋଷ୍ଟ କରିବା ପୂର୍ବରୁ କିମ୍ବା ଅନ୍ୟ କାହାର ପୋଷ୍ଟ ସେୟାର କରିବା ପୂର୍ବରୁ କ’ଣ ଦରକାରୀ ଓ କ’ଣ ଅଦରକାରୀ ତଥା କ’ଣ ବ୍ୟକ୍ତିଗତ ଓ କ’ଣ ସାର୍ବଜନୀନ – ସେ ବିଷୟରେ ଆମେ ବିଚାର କରିବା ଆବଶ୍ୟକ।

ସୋସିଆଲ ମିଡିଆକୁ ଏକ ସୀମା ମଧ୍ୟରେ ବ୍ୟବହାର କଲେ ତାହା ଆମକୁ ସାମାଜିକ ଭାବେ ସକ୍ରିୟ ରଖିବାରେ ସାହାଯ୍ୟ କରିବ। ବୃତ୍ତିଗତ ଜୀବନରେ ମଧ୍ୟ ଏହା ସଫଳତାର ଏକ ସୋପାନ ହୋ‍ଇପାରିବ। କେବଳ ସେତିକି ନୁହେଁ, ଏହି ଡିଜିଟାଲ ବା ଭର୍ଚୁଆଲ ମାଧ୍ୟମରେ ଘଣ୍ଟା ଘଣ୍ଟା ସମୟ ନ ବିତାଇ ଆଗଭଳି ପ୍ରିୟପରିଜନ, ସାଙ୍ଗସାଥୀ, ଅଫିସର ସହକର୍ମୀ ଏପରିକି ହାଟବଜାରରେ ଅପରିଚିତ ମଣିଷଙ୍କ ସହ ସମୟ ଦେଲେ ଆମକୁ ଅଧିକ ଆନନ୍ଦ ମିଳିପାରିବ।

ମୋ ବିଚାରରେ, ସୋସିଆଲ ମିଡିଆକୁ ଆମେ କିଭଳି ଆମ ବ୍ୟକ୍ତିଗତ, ପାରିବାରିକ, ସାମାଜିକ, ବୃତ୍ତିଗତ ଏବଂ ସର୍ଜନାତ୍ମକ ଜୀବନରେ ଅଧିକ ସଫଳତା ଓ ଆନନ୍ଦ ଭରିଦେବାରେ ବ୍ୟବହାର କରିପାରିବା ତାହା ବୁଝିବା ଓ ଖୋଜିବାର ସମୟ ଆସିଯାଇଛି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ)

ସୌଜନ୍ୟ – ଆକାଶବାଣୀ, କଟକ

Comment