ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକ ରାଜନୀତି ନାଟକ ଶେଷ ହୋଇଛି। କଂଗ୍ରେସର ହଜିଲା ବିଧାୟକ ଘର ବାହୁଡ଼ା ହୋଇଥିବା ବେଳେ ବିଜେପି କିନ୍ତୁ ତାଙ୍କ ବିଧାୟକଙ୍କୁ ପାଉନି।

ବାପା-ପୁଅ ରାତି ଅନିଦ୍ରା… ଭଳି ସ୍ଥିତି ହୋଇଛି ବିଜେପିର। ଆସ୍ଥା ଭୋଟରେ ଶକ୍ତି ଦେଖାଇବା ପାଇଁ ବିଜେପି ତିନି ଦିନ ହେଲା କଂଗ୍ରେସ ଏବଂ ଜେଡିଏସ୍ ବିଧାୟକଙ୍କ ସହ ମୂଲଚାଲ କରୁଥିବା ବେଳେ ବିଜେପି ଘର କିନ୍ତୁ ମୁକୁଳା ପଡ଼ି ଯାଇଥିଲା। କଂଗ୍ରେସ ବିଧାୟକଙ୍କୁ ଟାର୍ଗେଟ କରୁ କରୁ ନିଜ ଦଳର ଜଣେ ବିଧାୟକ ଛୁ ମାରିବା କର୍ଣ୍ଣାଟକ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

ଆସ୍ଥା ଭୋଟ ପାଇଁ ଯେବେଠୁ ପ୍ରକ୍ରିୟା ଆରମ୍ଭ ହେଲାଣି ସେବେଠୁ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। କଂଗ୍ରେସ ଶିବିରରୁ ୩ ଜଣ ବିଧାୟକ ପ୍ରଥମେ ଗାଏବ ହୋଇଯାଇଥିବା ଚର୍ଚ୍ଚା ହେଲା। କିନ୍ତୁ ପରେ କଂଗ୍ରେସ ପକ୍ଷରୁ ଏହି ଚର୍ଚ୍ଚାକୁ ଖଣ୍ଡନ କରାଯାଇଥିଲା। କଂଗ୍ରେସର ସବୁ ବିଧାୟକ ଏକାଠି ବୋଲି ଦଳ ପକ୍ଷରୁ କୁହାଯାଇଥିଲା।

ଆସ୍ଥା ଭୋଟ ଦିନକ ପୂର୍ବରୁ କଂଗ୍ରେସର ଜଣେ ବିଧାୟକ ସମ୍ପର୍କରେ ନଥିବା କୁହାଯାଇଥିଲା। ହେଲେ ଆସ୍ଥା ଭୋଟ ଦିନ ଅର୍ଥାତ୍ ଶନିବାର କଂଗ୍ରେସର ୨ ଜଣ ପ୍ରତାପ ଗୌଡା ପାଟିଲ ଏବଂ ବିଜେପି ବିଧାୟକ ସୌମ୍ୟଶେଖର ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। କିଏ କହିଲା ବିଜେପି ସେମାନଙ୍କୁ ଗାଏବ କରି ନେଇଛି ତ ଆଉ କିଏ କହିଲା ବିଜେପି ଟଙ୍କା ଦେଇ ସେମାନଙ୍କୁ କିଣି ନେଇଛି। ବିଜେପି ବିଧାୟକଙ୍କୁ କଂଗ୍ରେସ କିମ୍ବା ଜେଡିଏସ୍‌ ହାଇଜାକ କରିନେଇଥିବା ଚର୍ଚ୍ଚା ହେଲା।

ସମୟ ଗଡ଼ି ଚାଲିଲା ପଛେ କଂଗ୍ରେସର ଦୁଇ ଏବଂ ବିଜେପିର ଜଣେ ବିଧାୟକଙ୍କ ଦେଖା ମିଳିଲା ନାହିଁ। ଜଣକ ପରେ ଜଣେ ବିଧାୟକ ବିଧାନସଭାରେ ଶପଥ ଗ୍ରହଣ କଲେ। ଠିକ୍ ୟେଦୁରପ୍ପାଙ୍କ ଭାଷଣ ପୂର୍ବରୁ କଂଗ୍ରେସର ଦୁଇ ବିଧାୟକ ବିଧାନସଭାକୁ ଆସିଲେ। ସେମାନେ ଗୋଟିଏ ହୋଟେଲରେ ଥିବା ଜଣାପଡ଼ିଥିଲା।

ଦୁଇ ବିଧାୟକ କର୍ଣ୍ଣାଟକ ବିଧାନସଭାରେ ଶପଥ ନେବା ପରେ ୟେଦୁରପ୍ପା ଭାଷଣ ଦେଇ ସଂଖ୍ୟା ଗରିଷ୍ଠତା ଦେଇପାରୁ ନଥିବାରୁ ସେ ଇସ୍ତଫା ଦେଉଥିବା ଘୋଷଣା କରିଥିଲେ।

ସବୁଠୁ ବଡ଼ କଥା ହେଉଛି, କଂଗ୍ରେସର ହଜିଥିବା ୨ ବିଧାୟକ ଘର ବାହୁଡ଼ା ହୋଇଥିବା ବେଳେ ବିଜେପି ବିଧାୟକ ଏପର୍ଯ୍ୟନ୍ତ ଆସି ପାରିଲେ ନାହିଁ। ସେ କୁଆଡ଼େ ଗଲେ ତାହା ମଧ୍ୟ ଜଣାପଡ଼ୁ ନାହିଁ। ହଜିଥିବା ବିଧାୟକଙ୍କୁ ବିଜେପି ଏବେ ବି ଖୋଜୁଛି।

Comment