ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଏସ ୟେଦୁରପ୍ପା ମାତ୍ର ୫୫ଘଣ୍ଟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରେ ରହି ଇସ୍ତଫା ଦେଇଛନ୍ତି। ଜଗଦମ୍ବିକା ପାଲଙ୍କ ପରେ ସବୁଠୁ କମ୍ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିବା ରେକର୍ଡ ନିଜ ନାମରେ କରିଛନ୍ତି ୟେଦୁରପ୍ପା।

କର୍ଣ୍ଣାଟକର ହାଇଭୋଲଟେଜ ଡ୍ରାମା ଦେଖିଲା ସାରା ଭାରତ। ବି ଏସ୍ ୟେଦୁରପ୍ପା ମେ ୧୭ ତାରିଖ ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏବଂ ୧୯ ତାରିଖ ଅପରାହ୍ଣ ୪ଟାରେ ଇସ୍ତଫା ଦେଲେ। ମାତ୍ର ଅଢ଼େଇ ଦିନର ମୁଖ୍ୟମନ୍ତ୍ରୀ ରହି ୟେଦୁରପ୍ପା କମ୍ ଦିନର ମୁଖ୍ୟମନ୍ତ୍ରୀ ତାଲିକାରେ ନିଜ ନାଁ ଲେଖାଇଛନ୍ତି। ୟେଦୁରପ୍ପାଙ୍କ ପୂର୍ବରୁ ଆଉ କିଏ କମ୍ ଦିନର ମୁଖ୍ୟମନ୍ତ୍ରୀ ରହିଥିଲେ ତାହା ପଢ଼ନ୍ତୁ ଏହି ରିପୋର୍ଟରୁ।

ଜଗଦମ୍ବିକା ପାଲ

ସବୁଠୁ କମ୍ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିବା ରେକର୍ଡ ଅଛି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦମ୍ବିକା ପାଲଙ୍କ ନାମରେ। ୧୯୯୮ମସିହା ଫେବ୍ରୁଆରି ୨୧ ତାରିଖଦିନ ରାଜ୍ୟପାଳ ଭଣ୍ଡାରୀ କଲ୍ୟାଣ ସିଂହଙ୍କ ସରକାରକୁ ବରଖାସ୍ତ କରି ଜଗଦମ୍ବିକା ପାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ପରଦିନ ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଏକ ପିଟିସନ୍‌ ଦାଖଲ କରାଯାଇଥିଲା। ଜଗଦମ୍ବିକା ପାଲଙ୍କୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। କିନ୍ତୁ ଜଗଦମ୍ବା ପାଲ ଏଥିରେ ବିଫଳ ହୋଇଥିଲେ। ୧୯୯୮ମସିହା ଫେବ୍ରୁଆରି ୨୩ତାରିଖ ଦିନ କଲ୍ୟାଣ ସିଂହଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦ ଭାର ନେଇଥିଲେ। ଜଗଦମ୍ବା ପାଲଙ୍କୁ ‘ୱାନ ଡେ ୱାନଣ୍ଡର ଅଫ୍‌ ଦ ଇଣ୍ଡିଆନ୍ସ ପଲିଟିକ୍ସ’ ବୋଲି କୁହାଯାଏ।

       ସତୀଶ ପ୍ରସାଦ ସିଂହ

ସତୀଶ ପ୍ରସାଦ ସିଂହ ୧୯୬୮ମସିହା୨୮ଜାନୁଆରି ଦିନ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାର ୫ଦିନ ଅର୍ଥାତ ୧ଫେବ୍ରୁଆରିରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ବିହାରର ପ୍ରଥମ ପଛୁଆବର୍ଗର ମୁଖ୍ୟମନ୍ତ୍ରୀ ଅଳଙ୍କୃତ ହୋଇଥିଲେ ସତୀଶ କୁମାର ସିଂହ। କିନ୍ତୁ ସେ ବେଶୀ ଦିନ ତିଷ୍ଠି ପାରି ନଥିଲେ।

ଶିବୁ ସୋରେନ

୨୦୦୫ମସିହା ମାର୍ଚ୍ଚ ୨ ତାରିଖ ଦିନ ଝାଡଖଣ୍ଡ ରାଜ୍ୟପାଳ ଅଳ୍ପ ବହୁମତ ଥାଇ ମଧ୍ୟ ଶିବୁ ସୋରେନଙ୍କ ନେତୃତ୍ଵାଧିନ ଜେଏମଏମକୁ ସରକାର ଗଢ଼ିବା ପାଇଁ ଡାକିଥିଲେ। ଏହାପରେ ଶିବୁ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ବିଧାନସଭାରେ ବହୁମତ ସାବ୍ୟସ୍ତ କରି ନପାରି ଶେଷରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ସେ ମାତ୍ର ୧୦ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ।

ଜାନକୀ ରାମଚନ୍ଦ୍ରନ

୧୯୮୭ମସିହା ଡିସେମ୍ବର ୨୪ତାରିଖରେ ତାମିଲନାଡୁ ଏମଜି ରାମଚନ୍ଦ୍ରନଙ୍କ ମୃତ୍ୟୁ ହେବାରୁ ତାଙ୍କ ଉତ୍ତରାଧିକାରୀ କିଏ ହେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଏଆଇଡିଏମକେ ପାର୍ଟିର କିଛି ବିଧାୟକମାନେ ଏକଜୁଟ ହୋଇ ଏମଜିଙ୍କ ପତ୍ନୀ ଜାନକୀ ରାମଚନ୍ଦ୍ରନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ରାଜ୍ୟପାଳଙ୍କୁ ଏକ ସମର୍ଥନ ପତ୍ର ପଠାଇଥିଲେ। ରାଜ୍ୟପାଳ ଏସଏଲ ଖୁରାନା ଜାନକୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। କିନ୍ତୁ ବିଧାନସଭାରେ ସେ ବହୁମତ ସାବ୍ୟସ୍ତ କରିପାରିନଥିଲେ। ଫଳରେ ଜାନୁଆରି ୨୮ରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ସେ ମାତ୍ର ୨୪ଦିନ ମୁଖ୍ୟମନ୍ତ୍ରୀ ଭାବେ ରହିଥିଲେ।

ଏସି ମାରକ

ମେଘାଳୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଏସି ମାରକ ମାତ୍ର ୬ଦିନ ରହିଥିଲେ। ୧୯୯୮ମସିହା ଫେବ୍ରୁଆରି ୨୪ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ।

ବିପି ମଣ୍ଡଳ

ସତୀଶ କୁମାରଙ୍କ ପରେ ବିହାରରେ ବିପି ମଣ୍ଡଳ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାକୁ ଆସିଥିଲା। ସେ ମଧ୍ୟ ଅଧିକ ଦିନ ଧରି ମୁଖ୍ୟମନ୍ତ୍ରୀ ପଦରେ ରହି ପାରିନଥିଲେ। ୧୯୬୮ମସିହା ଫେବ୍ରୁଆରି ୧ରୁ ୧୯୬୮ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଅର୍ଥାତ ମାତ୍ର ୩୧ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ ବିପି ମଣ୍ଡଳ।

ମହମ୍ମଦ

କେରଳର ମୁଖ୍ୟମନ୍ତ୍ରୀ ଭାବେ ମାତ୍ର ୪୫ଦିନ ପର୍ଯ୍ୟନ୍ତ ରହିପାରିଥିଲେ ମହମ୍ମଦ।

 

Comment