ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଓଲିଉଡର ଜଣେ ଷ୍ଟାର ସିଙ୍ଗର୍ ହେଲେ ଟି ସୌରୀ। ତାଙ୍କର ପ୍ରଚ୍ଛଦପଟ୍ଟ ଗାୟକ ହେବାର କଥା ଯେମିତି ମଜାଦାର୍, ଠିକ୍ ସେମିତି ତାଙ୍କୁ ଷ୍ଟାର୍ ବନେଇଥିବା ଗୀତ ‘ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ…’ର କାହାଣୀ ବି ସେମିତି ରେମାଞ୍ଚକର।

ଆସନ୍ତୁ ସେହି ଗୀତ ପଛର କଥାକୁ ଜାଣିବା…

୧୯୯୩ ମୁକ୍ତିଲାଭ କରିଥିବା ଏକ ଲୋକପ୍ରିୟ ଚଳଚ୍ଚିତ୍ର ହେଲା ‘ଉଦଣ୍ଡୀ ସୀତା’। ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ରବି ସ୍ଵାଇଁ। ସେ ଆଗରୁ ‘ଜୋର ଯା’ର ମୁଲକ ତାର’, ‘କି ହେ ଶୁଆ ପୋଷିଲେ’ ଏବଂ ‘ପଞ୍ଜୁରୀ ଭିତରେ ଶାରି’ ଆଦି ଓଡ଼ିଆ ସିନେମା ନିର୍ମାଣ କରିଥିଲେ। ଅବତାର ସିଂହ ‘ଉଦଣ୍ଡୀ ସୀତା’ର ନିର୍ଦ୍ଦେଶନା ଦେଇଥିଲେ।

‘ଉଦଣ୍ଡୀ ସୀତା’ ଏକ ସୁପର ମ୍ୟୁଜିକାଲ୍ ହିଟ୍ ସିନେମା। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମେଲୋଡି ମେକର ସ୍ଵରୂପ ନାୟକ। ଏହି ଫିଲ୍ମର ସବୁଠାରୁ ଲୋକପ୍ରିୟ ଗୀତ ହେଲା – ‘ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ…’।

ଏହି ଲୋକପ୍ରିୟ ଗୀତର ଗୀତିକାର ଓ ସଙ୍ଗୀତକାର ହେଲେ ସ୍ଵରୂପ ନାୟକ। ଏଥିରେ କଣ୍ଠଦାନ କରିଥିଲେ ଆଜିକାଲି ଜଣାଶୁଣା ଗାୟକ ଟି ସୌରୀ। ସଂଯୋଗବଶତଃ ଏହା ଥିଲା ପ୍ରଖ୍ୟାତ କଣ୍ଠଶିଳ୍ପୀ ଟି ସୌରୀଙ୍କ ଜୀବନର ପ୍ରଥମ ସିନେ ଗୀତ।

ଟି ସୌରୀଙ୍କୁ ଆବିଷ୍କାର କରିବା ପଛର କଥାବସ୍ତୁ ମନେପକାଇ ସଙ୍ଗୀତ ନିର୍ଦ୍ଦେଶକ ସ୍ଵରୂପ ନାୟକ କହନ୍ତି, “ଆମ ସାହି (କଟକର କାଫ୍‌ଲା ବଜାର)ରେ ପ୍ରତିବର୍ଷ କାଳୀ ପୂଜା ସମୟରେ ମେଲୋଡି ହୁଏ। ସେ ବର୍ଷ ଅନୁଗୁଳର ଏକ ମେଲୋଡି ପାର୍ଟି ସଙ୍ଗୀତ ପରିବେଷଣ କରିବାକୁ ଆସିଥାଏ।

ସେହି ମେଲୋଡି ପାର୍ଟିରେ ଥାଆନ୍ତି ଉଦୀୟମାନ କଣ୍ଠଶିଳ୍ପୀ ଟି ସୌରୀ। ସେହି ରାତିରେ ସୌରୀ ଗାଇଥିଲେ କେତୋଟି ହିନ୍ଦୀ ଗୀତ, ସେଥିମଧ୍ୟରୁ ଗୋଟିଏ ଗୀତ ଶ୍ରୋତାଙ୍କୁ ଭାବ ବିହ୍ଵଳିତ କରିଥିଲା। ସେହି ଗୀତଟି ହେଲା- ସୋ’ ମ୍ୟାନ୍ ରାଜ କପୁରଙ୍କ ମାଷ୍ଟର ପିସ୍ ଫିଲ୍ମ ‘ବବି’ର ‘ବେଶ୍ ମନ୍ଦିର ମସଜିଦ୍ ତୋଡୋ, ପର୍ ପ୍ୟାର୍ ଭରା ଦିଲ୍ କଭି ନା ତୋଡୋ’। ଏହି ଗୀତ ଶୁଣିବା ପରେ ଆମ ସାହିର କିଛି ଲୋକ ଆସି କହିଲେ, ‘ଦାଦା! କ’ଣ ଗାଉଛି ଏ ଟୋକାଟା ମ; ତାକୁ ତମ ଫିଲ୍ମରେ ଗୋଟାଏ ଚାନ୍ସ ଦିଅ।’ ଏହା ମୋର ମନେ ଥିଲା”।

ସଙ୍ଗୀତକାର ସ୍ଵରୂପ ନାୟକଙ୍କ ବଡ଼ଭାଇ ଶାରଦା ପ୍ରସନ୍ନ ନାୟକ ସେତେବେଳେ ଥାଆନ୍ତି ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ରର ନିର୍ଦ୍ଦେଶକ। ସେ ଢ଼େଙ୍କାନାଳର ସଙ୍ଗୀତ ଶିଳ୍ପୀମାନଙ୍କୁ ଦେଇ ଦୁଇଟି କୋରସ୍ ଗୀତର ଯୋଜନା କରିଥିଲେ। ଏହି ଗୀତ ଦୁଇଟି ତତ୍କାଳୀନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଅର୍ଜୁନ ସିଂହଙ୍କ ସମ୍ମୁଖରେ ପରିବେଷଣ କରାଯାଇଥିଲା।

ଉକ୍ତ କୋରସର ସ୍ଵର ସଂଯୋଜନା ଦାୟିତ୍ଵ ନେଇଥିଲେ ସ୍ଵରୂପ ନାୟକ। ସେହି କୋରସରେ ସେ ପ୍ରଥମେ ସୁଯୋଗ ଦେଇଥିଲେ ସୌରୀଙ୍କୁ। ଏହା ପରେ ସ୍ଵରୂପ ନାୟକ ‘ଉଦଣ୍ଡୀ ସୀତା’ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେବାକୁ ଚୁକ୍ତିବଦ୍ଧ ହୁଅନ୍ତି।

ମଲୋଡି ମେକର ସ୍ଵରୂପ ନାୟକ ପ୍ରଖ୍ୟାତ କଣ୍ଠଶିଳ୍ପୀ ଘନଶ୍ୟାମ ପଣ୍ଡାଙ୍କୁ ଆଖି ଆଗରେ ରଖି ଏକ ଗୀତ ପ୍ରସ୍ତୁତ କରିଥିଲେ। ସେହି ଗୀତଟି ହେଲା-‘ସୀତା ଲୋ ଆଜି ଜଳୁଛି, ଯାହାର ଚିତା ଲୋ…।

କଳିଙ୍ଗ ଷ୍ଟୁଡିଓରେ ଟ୍ରାକ୍ ସରିଲା। ଭଏସ୍ ଡବିଂ ବେଳକୁ ଘନଶ୍ୟାମ ପଣ୍ଡା ଓଡ଼ିଶାରେ ନଥିଲେ। ଏଣୁ କିଏ ଗାଇବ ଏହି ଗୀତ। ସେ ବିଷୟରେ ଭାବୁ ଭାବୁ ସୌରୀଙ୍କ କଥା ମନେ ପଡ଼ିଲା।

ତା’ପରେ ସଙ୍ଗୀତ ନିର୍ଦ୍ଦେଶକ ସ୍ଵରୂପ ନାୟକ ଟି ସୌରୀଙ୍କୁ ପ୍ରଯୋଜକ ରବି ସ୍ଵାଇଁଙ୍କ ପିପିଲି ଘରକୁ ଡକାଇଲେ। ସେଠି ସୌରୀଙ୍କ ଗୀତ ଶୁଣି ପ୍ରଯୋଜକ ଖୁସି ହେଲେ। ତାଙ୍କୁ ସୀତା ଲୋ ଆଜି ଜଳୁଛି… ଗୀତ ଗାଇବାକୁ ସୁଯୋଗ ଦିଆଗଲା।

କଳିଙ୍ଗ ଷ୍ଟୁଡିଓରେ ବେଶ୍ କିଛି ସମୟର ରିହସାଲ୍ ପରେ ସୌରି ଡବିଂ ଥିଏଟରକୁ ଯାଇଥିଲେ। ସେଠି ଗୋଟିଏ ଟେକ୍‌ରେ ଗୀତଟିକୁ ଗାଇଦେଲେ। ସେହି ଗୀତ ଶୁଣି ପ୍ରଖ୍ୟାତ ଅଭିନେତା- ନିର୍ଦ୍ଦେଶକ ଗୋବିନ୍ଦ ତେଜ ବି ପ୍ରଭାବିତ ହୋଇଥିଲେ। ଟି ସୌରୀଙ୍କ ଏହି ଗୀତ ଆଜି ବି ମାଇଲଖୁଣ୍ଟ ହୋଇରହିଛି।

Comment