ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବୈଜୟନ୍ତ ପଣ୍ଡା ଇସ୍ତଫା ଦେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଯେଉଁ ୩ ପୃଷ୍ଠାର ଚିଠି ଲେଖିଛନ୍ତି ତାହାର ସାରମର୍ମ

୧. ସାମାନ୍ୟ ମାନବିକତା ବି ଦେଖାଇଲେ ନାହିଁ। ନା ଆପଣ ନା ଆପଣଙ୍କର କେହି ପ୍ରତିନିଧି ମୋ’ ବାପାଙ୍କ ଶେଷ ଦର୍ଶନ ପାଇଁ ଆସିଲେ।

୨. ୧୯୯୭ରେ ଆପଣ ରାଜନୀତିକୁ ଆସିବା ସମୟରୁ ବିଜେଡି ଗଠନ ପର୍ଯ୍ୟନ୍ତ ସବୁବେଳେ ମୁଁ ଆପଣଙ୍କ ପାଖେପାଖେ ଓ ସୁଖ ଦୁଃଖରେ ରହିଆସିଛି।

୩. ଦଳର ଖରାପ ସମୟରେ ମୁଁ ଆପଣଙ୍କୁ ସାହସ ଦେଇଛି। ଏଥିରେ ମୋର କୌଣସି ବ୍ୟକ୍ତିଗତ ଲାଭ ଉଦ୍ଦେଶ୍ୟ ନଥିଲା। ମୁଁ ଆପଣଙ୍କୁ ନିଃସର୍ତ୍ତ ସମ୍ମାନ ଓ ସ୍ନେହ ଜଣାଇଛି।

୪. ୨୦୦୨ରେ ବିଜେଡି ପାର୍ଲାମେଣ୍ଟାରୀ ପାର୍ଟିରେ ବିଭାଜନ ଓ ୨୦୧୨ ମେ ୨୯ର ଘଟଣା ବେଳେ ଦିଲ୍ଲୀରେ ଓ ଓଡ଼ିଶାରେ ମୁଁ ବରାବର ଆପଣଙ୍କ ସହିତ ରହିଛି।

୫. ବିଜେଡି ଗଠନର ପ୍ରଥମ ୧୨ ବର୍ଷ ମଧ୍ୟରେ ଯେଉଁମାନେ ଆପଣଙ୍କ ବିରୋଧୀ ଥିଲେ ସେମାନେ ଆଜି ଦଳରେ ଗୁରୁତ୍ୱପୂର୍ଣ୍ଣ ପଦବୀ ମାଡ଼ି ବସିଛନ୍ତି।

୬. କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଁ ମାନପ୍ରାଣ ଢ଼ାଳି କାମ କରିଛି। ଭୁବନେଶ୍ୱରରେ ଓ ଦିଲ୍ଲୀରେ ଯେଉଁ ସବୁ ପ୍ରକଳ୍ପ ବକେୟା ପଡ଼ିଥିଲା ସେଗୁଡ଼ିକୁ ତ୍ୱରାନ୍ୱିତ କରିବା ସହ ମୋ ସମୟରେ ରେଳ ଲାଇନ କାମ ଆରମ୍ଭ ହେଲା।

୭. ଏମ୍‌ପି ଲାଡ଼ ଫଣ୍ଡରୁ ଲୋକେ ଯେତେବେଳେ ଯାହା ଚାହିଁଛନ୍ତି ତାହା କରିଛି। ମୋ’ ନିର୍ବାଚନ ମଣ୍ଡଳୀରେ ପିସି କାରବାରକୁ ଆଦୌ ପ୍ରଶୟ ଦେଇନାହିଁ। କିନ୍ତୁ ଗତ କିଛି ଦିନ ଧରି ବିଜେଡିର ଲୋକେ ଏହାକୁ ବିରୋଧ କରିଛନ୍ତି ଓ ହିଂସା ଆଚରଣ କରିଛନ୍ତି।

୮. ମୋ ବିରୋଧରେ ଆଭ୍ୟନ୍ତରୀଣ ଷଡ଼ଯନ୍ତ୍ର ଚାଲିଛି ବୋଲି ୨୦୧୪ରୁ ମୁଁ ଆପଣଙ୍କୁ କହି ଆସିଛି ଓ ଦଳ ତାର ଘୋଷିତ ନୀତିରୁ ଓହରିଥିବା କଥା ମୁଁ ଆପଣଙ୍କ ଦୃଷ୍ଟିକୁ ଆଣିଛି।

୯.ଏହା ପରଠାରୁ ପଥର, ଇଟା ଓ ଅଣ୍ଡା ମାଡ଼ ସହ ମୋ ଉପରେ ବ୍ୟକ୍ତିଗତ ଆକ୍ରମଣ କରାଯାଇଛି। ମୁଁ ମର୍ମାହତ ଯେ ଆପଣ ଏ ବିଷୟରେ କେବେ ବି ଅନୁସନ୍ଧାନ କରିନାହାନ୍ତି।

୧୦. ୨୦୧୪ ପରଠାରୁ ମୋତେ ଦଳର ବିଭିନ୍ନ ମଞ୍ଚରେ ଏକ ଘରିକିଆ କରିଦିଆଯାଇଛି। ମୋ ବିରୋଧରେ ମିଥ୍ୟା ମକଦ୍ଦମା ରୁଜୁ କରାଯାଇଛି, ଉପରୁ ଅର୍ଡର ଆସିଛି କହି ମୋତେ ନିର୍ବାଚନ ମଣ୍ଡଳୀ ସମୀକ୍ଷାରେ ପୂରାଇ ଦିଆଯାଇନାହିଁ।

୧୧. ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଙ୍ଗାରୁ କୋର୍ଟ ବସାଯାଇ ଦୁର୍ନୀତିଗସ୍ତ ନେତାଙ୍କ ଦ୍ୱାରା ତଦନ୍ତ କରାଯାଇ ଦୁଇ ଦିନ ଭିତରେ ମୋତେ ଶୁଣିବାକୁ ସୁଯୋଗ ଦିଆ ନଯାଇ ଦଳରୁ ନିଲମ୍ବିତ କରାଯାଇଛି।

୧୨. ସର୍ବସାଧାରଣରେ ମୁଁ ମୋର ବ୍ୟକ୍ତିଗତ ସାଧୁତା ଓ ନିଷ୍ଠା ବଜାୟ ରଖିଛି। କୌଣସି ନେତା କିମ୍ବା ପ୍ରଶାସକ କହି ପାରିବେ ନାହିଁ ଯେ ମୁଁ କାହାଠାରୁ କୌଣସି ସ୍ୱାର୍ଥ ହାସଲ କରିଛି। ଓଡ଼ିଶା ଓ ଭାରତର ଭଲ ପାଇଁ ମୋ ପକ୍ଷରୁ ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି।

୧୩. ବିଜୁ ଅଙ୍କଲଙ୍କ କୋକେଇ ମୁଁ କାନ୍ଧରେ ବୋହିଛି। ମୋ’ ପ୍ରତି ନ୍ୟାୟ କରିବାକୁ ମୁଁ ଅନେକ ଥର ନିବେଦନ କରିଛି କିନ୍ତୁ ଆପଣ ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି।

୧୪. ମୋ’ ବାପାଙ୍କ ମୃତ୍ୟୁର ସାତ ଦିନରେ କ୍ରିୟା ଧରିବା ଅବସରରେ ମୁଁ ଅନୁଭବ କଲି ଯେ ମୋର ଆପଣଙ୍କ ପ୍ରତି ବିଶ୍ଵାସ ତୁଟି ଯାଇଛି।

୧୫. ମୋତେ ପୂରା ଲାଗୁଛି ଯେ ଆପଣ ଓ ଆପଣଙ୍କ ଦଳରେ ମୁଁ ଅଲୋଡ଼ା ହୋଇପଡ଼ିଛି। ଏଣୁ ମୁଁ ଦଳଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛି। ଲୋକସଭାରୁ ଇସ୍ତଫା ଦେବା ନେଇ ମୁଁ ବାଚସ୍ପତିଙ୍କ ନିକଟକୁ ପୃଥକ ଭାବରେ ପତ୍ର ଲେଖି ଜଣାଇବି।

Comment