ଓଡ଼ିଶାଲାଇଭ୍‌ ବ୍ୟୁରୋ

ବେଲଗାମ ହୋଇଯାଇଛି ପେଟ୍ରୋଲ-ଡିଜେଲ ଦର। ଦର ନିୟନ୍ତ୍ରଣ ହେଉ ନଥିବାରୁ ବିଜେଡି ଆଜି ରାଜଭବନ ଆଗରେ କରିଛି ଜୋରଦାର ପ୍ରତିବାଦ।

ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ଜୋରଦାର ପ୍ରତିବାଦ କରିଛି ବିଜେଡି। କେନ୍ଦ୍ର ସରକାର ବାରମ୍ବାର ତୈଳ ଦର ବଢ଼ାଉ ଥିବାରୁ ଏହାର ପ୍ରତିବାଦରେ ରାଜଭବନ ଆଗରେ ବିଜେଡି ଧାରଣା ଦେଇଛି। ଯୁବ ଓ ଛାତ୍ର ବିଜେଡି କର୍ମୀଙ୍କ ସହ ଦଳର ବହୁ ବରିଷ୍ଠ ନେତା ଏହି ଧାରଣାରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଖାଉଟି ମାରଣ ନୀତିକୁ ସମାଲୋଚନା କରିଥିଲେ।

ଏନ୍‍ଡିଏ ସରକାର ଅମଳରେ ଚାରି ବର୍ଷରେ ପେଟ୍ରୋଲ ଲିଟର ୭୭ ଓ ଡିଜେଲ୍‍ ଲିଟର ୭୩ ଟଙ୍କା ଟପି ସାରିଲାଣି। ହେଲେ କେନ୍ଦ୍ର ସରକାର ଦର ନିୟନ୍ତ୍ରଣ କରୁ ନାହାନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି। ହେଲେ ସରକାର କାହିଁକି ତେଲ ଦର ନିୟନ୍ତ୍ରଣ କରିପାରୁ ନାହାନ୍ତି ବୋଲି ବିଜେଡି ନେତାମାନେ ପ୍ରଶ୍ନ କରିଛନ୍ତି।

ବିଜେଡି କର୍ମୀମାନେ ରାଜଧାନୀ ରାଜରାସ୍ତାରେ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ। ଶଗଡ଼ରେ ବାଇକ୍ ରଖି ପ୍ରତିବାଦ କରିବା ସହ ଗାଡ଼ିକୁ ଦଉଡ଼ିରେ ଟାଣି କେନ୍ଦ୍ର ସରକାରଙ୍କୁ ବିରୋଧ କରିଥିଲେ।

ଏହି ଅବସରରେ ବିଜେଡିର ୩୦ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ଶଶୀଭୂଷଣ ବେହେରା, ପ୍ରଫୁଲ୍ଲ ସାମଲ, ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ଡକ୍ଟର ଅରୁଣ କୁମାର ସାହୁ, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପ୍ରଭାତ କୁମାର ତ୍ରିପାଠୀ, ପ୍ରଶାନ୍ତ କୁମାର ଜଗଦେବ, ଦେବାଶିଷ ନାୟକ, ପ୍ରଣବ କୁମାର ବଳବନ୍ତରାୟ, ବ୍ୟୋମକେଶ ରାୟ ପ୍ରମୁଖ ଏହି ଧାରଣା ଓ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ।

୩୦ ତାରିଖ ଯାଏଁ ବିଭିନ୍ନ ବ୍ଲକରେ ତେଲ ଦର ବୃଦ୍ଧିର ପ୍ରତିବାଦ କରାଯିବ।

Comment