ଓଡ଼ିଶାଲାଇଭ୍‌ ବ୍ୟୁରୋ

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ପରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ। ହିନ୍ଦୀ ସାମ୍ବାଦିକତା ଦିବସ ଅବସରରେ ମଥୁରାରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଭାଗ ନେଇ ସେ କହିଛନ୍ତି, “ପୌରାଣିକ ଯୁଗରେ ଭାରତରେ ଥିଲା ଟେଷ୍ଟ ଟ୍ୟୁବ ବେବିର ସୁତ୍ର। ଏହି କୌଶଳ ଥିଲା ବୋଲି ଦେବୀ ସୀତାଙ୍କ ଜନ୍ମ ମାଟି ପାତ୍ରରୁ ସମ୍ଭବ ହେଲା”।

ମହାଭାରତ ଯୁଗରୁ ସାମ୍ବାଦିକତା ଆରମ୍ଭ ହୋଇଥିଲା। ମହାଭାରତ ଯୁଦ୍ଧ ସମୟରେ ଯୁଦ୍ଧକ୍ଷେତ୍ରର ଟିକିନିକି ଖବର ନିଜ ମହାମନ୍ତ୍ରୀ ସଞ୍ଜୟ ଦିବ୍ୟଦୃଷ୍ଟି ସାହାଯ୍ୟରେ ହସ୍ତିନାପୁରରୁ ରହି ଧୃତରାଷ୍ଟ୍ରଙ୍କୁ ଜଣାଉଥିଲେ। ଯାହାକୁ ଆଜିର ଲାଇଭ ଟେଲିକାଷ୍ଟ ବା ସିଧାପ୍ରସାରଣ ସହ ତୁଳନା କରିଛନ୍ତି ଦିନେଶ ଶର୍ମା।

ନାରଦ ହେଉଛନ୍ତି ଗୁଗୁଲ। ଦିନେଶଙ୍କ କହିଛନ୍ତି, “ଆପଣଙ୍କର ଗୁଗୁଲ ଏବେ ଆରମ୍ଭ ହେଲା, କିନ୍ତୁ ଆମ ଗୁଗୁଲ ବହୁ ଦିନ ପୂର୍ବରୁ ଆରମ୍ଭ ହୋଇଛି। ଆଉ ସେହି ଗୁଗୁଲ ଚରିତ୍ର ଜଣକ ହେଉଛନ୍ତି ନାରଦ। ତିନିଥର ନାରାୟଣ ନାମ ଉଚ୍ଚାରଣ କରିବା ସହ ବିଶ୍ୱର ସମସ୍ତ ସ୍ଥାନରେ ବାର୍ତ୍ତା ପହଞ୍ଚାଇ ପାରୁଥିଲେ ନାରଦ।

ଏହାପୂର୍ବରୁ ମଧ୍ୟ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଦେବର୍ଷି ନାରଦଙ୍କୁ ଗୁଗୁଲ ସହ ତୁଳନା କରିଥିଲେ। ଏହାଛଡ଼ା ମୋତିଆ ବିନ୍ଦୁ ଅପରେସନ, ପ୍ଲାଷ୍ଟିକ ସର୍ଜରୀ, ପରମାଣୁ ପରୀକ୍ଷଣ, ଓ ଇଣ୍ଟରନେଟ ଭଳି ସୁବିଧା ପୁରାତନ କାଳରୁ ଆରମ୍ଭ ହୋଇଥିବା ଦିନେଶ କହିଛନ୍ତି।

ଉତ୍ତର ପ୍ରଦେଶର ବିଜେପି ମୁଖପାତ୍ର ରାକେଶ ତ୍ରିପାଠୀ କହିଛନ୍ତି, “ଦିନେଶ ଶର୍ମାଙ୍କ ମନ୍ତବ୍ୟରେ କୌଣସି ବିବାଦ ସୃଷ୍ଟି ହେବା ଉଚିତ ନୁହେଁ। ପୁରାଣ ଯୁଗରେ ଉନ୍ନତ ବୈଜ୍ଞାନିକ ଜ୍ଞାନକୌଶଳ ସମ୍ପର୍କରେ ଶର୍ମା ବୁଝାଇବାକୁ ଚେଷ୍ଟା କରିଥିଲେ”।

ବିଜେପି ନେତାଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ନୂଆ ନୁହେଁ। ଏହାପୂର୍ବରୁ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ, ମହାଭାରତରେ ମଧ୍ୟ ଇଣ୍ଟରନେଟ ସରକାରୀ ଚାକିରି ପାଇଁ ରାଜନେତାଙ୍କ ପଛରେ ନ ଗୋଡ଼ାଇ ପାନ ଦୋକାନ କିମ୍ବା ଗୋପାଳନ କରିବାକୁ ଉପଦେଶ ଦେଇ ଚର୍ଚ୍ଚାକୁ ଆସିଥିଲେ।

ବାଲିଆର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଟିଏମ୍‍ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ସୂର୍ପଣ୍ଣଖା ଓ ବିଜେପିକୁ ଲକ୍ଷ୍ମଣ ଭାବରେ ତୁଳନା କରି ବିବାଦକୁ ଆସିଥିଲେ।

 

Comment