ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଶୀଘ୍ର ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବା ପାଇଁ ଯାଉଛନ୍ତି। ଏହା ହେବ ତାଙ୍କର ଶେଷ ସମ୍ପ୍ରସାରଣ/ପରିବର୍ତ୍ତନ। ଆସନ୍ତା ଲୋକସଭା ନିର୍ବାଚନକୁ ଆଖିରେ ରଖି ଏହି ସଂପ୍ରସାରଣ କରାଯିବ।

ଗୋଟିଏପଟେ ସରକାରରେ ସମୀକରଣ ଆଣିବା ଓ ଅପରପଟେ ସହଯୋଗୀ ଦଳମାନଙ୍କୁ ଖୁସିରେ ରଖିବା ନେଇ ବିଚାର ବିମର୍ଷ ଆରମ୍ଭ ହୋଇଯାଇଛି। ସଂପ୍ରସାରଣ ସମ୍ପର୍କରେ ସହଯୋଗୀ ଦଳମାନଙ୍କ ସହ ଆନୁଷ୍ଠାନିକ ଭାବେ କଥାବାର୍ତ୍ତା ଆରମ୍ଭ କରାଯିବ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି।

ବିଜେପି ସୂତ୍ର ଅନୁସାରେ, କର୍ଣ୍ଣାଟକ ନିର୍ବାଚନ ହାରିବା ପରେ ମିଶନ-୨୦୧୯କୁ ଏବେ କେନ୍ଦ୍ରବିନ୍ଦୁ କରାଯାଇଛି। ମନ୍ତ୍ରିମଣ୍ଡଳର ରୂପରେଖ ବଦଳାଇବା ପାଇଁ ସରକାର ଓ ଦଳ ଭିତରେ ସମ୍ମତି ହୋଇଥିବା ଜଣାପଡ଼ିଛି। ଖବର ଅନୁସାରେ ଏଥର ମୋଦି ମନ୍ତ୍ରିମଣ୍ଡଳରେ ବିଭିନ୍ନ ଦଳର ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦେବେ।

ଗତଥରର ମନ୍ତ୍ରିମଣ୍ଡଳରେ ଜେଡି(ୟୁ)ରୁ କାହାକୁ ମନ୍ତ୍ରୀ କରାଯାଇ ନଥିଲା। ଏଣୁ ଏଥର ମନ୍ତ୍ରିମଣ୍ଡଳରେ ଜନତା ଦଳ(ୟୁ)କୁ ପ୍ରତିନିଧିତ୍ୱ ମିଳିବ। ଗତବର୍ଷ ସେପ୍ଟେମ୍ବର ମାସରେ ହୋଇଥିବା ମନ୍ତ୍ରିମଣ୍ଡଳରେ ଜେଡ଼ି(ୟୁ) ଓ ଶିବସେନାର କୌଣସି ପ୍ରତିନିଧିତ୍ୱ ନଥିଲା। ମନ୍ତ୍ରୀ ପଦକୁ ନେଇ ବିଜେପି ଓ ଏହି ଦୁଇ ସହଯୋଗ ଦଳ ଭିତରେ ସମସ୍ୟା ଉପୁଜିଥିଲା।

ସେହିପରି ଏଆଇଏଡିଏମକେ ମଧ୍ୟ ଏନଡିଏ ସରକାରରେ ସ୍ଥାନ ପାଇବ ବୋଲି ଚର୍ଚ୍ଚା ଚାଲିଥିଲା। କିନ୍ତୁ ଭାଗବଣ୍ଟା ନ ଛିଣ୍ଡିବାରୁ କେହି ମନ୍ତ୍ରୀ ହୋଇପାରି ନଥିଲେ। ସମ୍ଭବତଃ ପରବର୍ତ୍ତୀ ପର୍ଯ୍ୟାୟ ମନ୍ତ୍ରିମଣ୍ଡଳ ବିସ୍ତାରରେ ଏହି ଦୁଇ ଦଳ ମଧ୍ୟରୁ ଜଣେ ଜଣେ ସ୍ଥାନ ପାଇବେ।

Comment