ଓଡ଼ିଶାଲାଇଭ୍‌ ବ୍ୟୁରୋ

ରତ୍ନଭଣ୍ଡାର ଚାବି ହଜିବା ବିବାଦ ବଢ଼ିବାରେ ଲାଗିଛି। ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ।

ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବାପରେ ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ଏନେଇ ରାଜ୍ୟ ସରକାରଙ୍କୁ ବାଣ ମାରିଛନ୍ତି ଦାମ ରାଉତ। ଏହାସହ ରତ୍ନଭଣ୍ଡାରରୁ ଅଳଙ୍କାର ଚୋରି ହୋଇଥିବା ସନ୍ଦେହ କରିଛନ୍ତି ଦାମ।

“ରତ୍ନଭଣ୍ଡାରକୁ ନେଇ ବିରୋଧୀ ଯଦି ସମାଲୋଚନା କରୁଛନ୍ତି ତାକୁ ଏଡ଼ାଇବା ପାଇଁ ଆମେ କମିଶନ ଗଠନ କରିବୁନି ତ କ’ଣ କରିବୁ? ରତ୍ନ ଭଣ୍ଡାର ଚାବି ୩ ଜଣଙ୍କ ପାଖରେ କହିଁକି ରହିଥିଲା? ରତ୍ନଭଣ୍ଡାରରୁ ଯଦି କେହି ଚୋରି କରି ନେଇଥିବ ତାହା ବି କିଏ କହିବ? ଯେଉଁ ତିନି ଜଣ ଚାବି ରଖିଛନ୍ତି ସେମାନଙ୍କ ଭିତରେ ଗଜପତି ମହାରାଜ ହେଉଛନ୍ତି ଅନ୍ୟତମ। ହେଲେ ସେ ଏଯାଏଁ ଚୁପ୍ ଅଛନ୍ତି”, କହିଛନ୍ତି ଦାମୋଦର ରାଉତ।

ରତ୍ନ ଭଣ୍ଡାର ପୁଣି ଥରେ ଖୋଲାଯିବାକୁ ଦାବି କରିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର।

ସେ କହିଛନ୍ତି, “ଶ୍ରୀଜୀଉଙ୍କ ଅଳଙ୍କାର ପୁଣିଥରେ ହିସାବ ହେଲେ ଲୋକଙ୍କ ମନରୁ ସନ୍ଦେହ ଦୂର ହେବ। ୧୯୮୫ ମସିହାରେ ଶେଷ ଥର ଲାଗି ଅଳଙ୍କାରର ଆକଳନ କରାଯାଇ ଚାବି ପକାଯାଇଥିଲା। ତେଣୁ ୧୯୮୫ ମସିହାରୁ ତଦନ୍ତ ହେବା ଦରକାର”।

ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ବୋଲି ସ୍ପଷ୍ଟିକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ୩ଟି ଯାକ ଚାବିରୁ ଗୋଟିଏ ହଜିଯିବା କଥା ସତ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ୱୀକାର କରିଛି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ନ୍ୟାୟିକ ତଦନ୍ତ ବ୍ୟବସ୍ଥାରେ ପୂର୍ଣ୍ଣ ସହଯୋଗ କରାଯିବ ବୋଲି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

Comment