ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦାମ ଆଜି ପୁଣି ବାଣ ମାରିଛନ୍ତି। ବିଜେଡିରେ ମୁଁ ଅଲୋଡ଼ା ହୋଇଯାଇଛି ଏବଂ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଭୂମିକାରେ ରହିଥିବା ଦାମ କହିଛନ୍ତି।

ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ପୁଣି ଦମଦାର ବାଣ ମାରିଛନ୍ତି। ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଦାମ ନିଜର କ୍ଷୋଭ ଏବଂ ଅକ୍ଷମତା ପ୍ରକାଶ କରିଛନ୍ତି। ଆମ ଦଳରେ ମୁଁ କିଛି ନୁହେଁ। ମୁଁ ଅଲୋଡ଼ା ହୋଇଯାଇଛି ବୋଲି ଦାମ କହିଛନ୍ତି।

ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ବିଜେଡି ପାଇଁ ବୁମେରାଂ କି ବୋଲି ଗଣମାଧ୍ୟମ ପ୍ରତିନିଧି ଆଜି ଦାମଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଦାମ ଏମିତି ମନ୍ତବ୍ୟ ଦେଇଛନ୍ତି ଯାହା ରାଜନୀତିକୁ କରିଡରକୁ ପୁଣି ହଲ୍‌ଚଲ୍ କରିଦେଇଛି।

ଡାକ୍ତର ଦାମୋଦର ରାଉତ କହିଛନ୍ତି, “ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ବିଷୟରେ ମୁଁ କିଛି କହିପାରିବି ନାହିଁ। ମୋତେ ସେ ବିଷୟରେ କିଛି ପଚାରନ୍ତୁନି। କାରଣ ଆମ ଦଳରେ ମୁଁ ଅଲୋଡ଼ା ହୋଇଯାଇଛି। ଯେଉଁମାନେ ପାୱାରରେ ଅଛନ୍ତି ସେମାନଙ୍କୁ ଏ ବିଷୟରେ ପଚରାଯାଉ। ବିଜୁବାବୁଙ୍କ ନାଁରେ ବିଜେଡି ଗଠନ ହୋଇଛି। ଯେଉଁମାନେ ବିଜୁବାବୁ ଦେଖି ନାହାନ୍ତି କି ଜାଣି ନାହାନ୍ତି ସେମାନେ ଆଜି ତାଙ୍କ ବିଷୟରେ କହୁଛନ୍ତି। ମୁଁ କେବଳ ଶୁଣୁଛି।”

ପ୍ରଣବଙ୍କ ନାଁ ନେଲେ ଦାମ

ବୈଜୟନ୍ତଙ୍କ ଇସ୍ତଫାପତ୍ର ଗ୍ରହଣ ହୋଇଛି କି ବୋଲି ଦାମଙ୍କୁ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି। ହେଲେ ଦାମ ଭିନ୍ନ ମନ୍ତବ୍ୟ ଦେଇଥିଲେ। କହିଥିଲେ, ବୈଜୟନ୍ତ ଯାହାଙ୍କୁ ଇସ୍ତଫାପତ୍ର ଦେଇଛନ୍ତି ସେ ହିଁ ଜାଣିଥିବେ କ’ଣ ହୋଇଛି। ମୁଁ କେମିତି ଜାଣିବି? ଦଳରେ ମୁଖ୍ୟ ଭୂମିକାରେ ଏବେ ପ୍ରଣବ ପ୍ରକାଶ ଦାସ ଅଛନ୍ତି। ତାଙ୍କୁ ଏ ବିଷୟରେ ପଚରାଯାଉ। ଆମ ଦଳ ହେଲା ଆଞ୍ଚଳିକ ଦଳ। ଜାତୀୟ ଦଳରେ ହାଇକମାଣ୍ଡ ସବୁକଥା ବୁଝୁଛନ୍ତି। ଆମ ଦଳରେ ଆମ ସଭାପତି ହେଉଛନ୍ତି ସର୍ବେସର୍ବା।

ବିଜେଡିରେ ଦ୍ୱିତୀୟ କ୍ଷମତାକେନ୍ଦ୍ର?

ବିଜେଡିରେ ଗୋଟିଏ ନେତା ଏବଂ ଗୋଟିଏ ସଭାପତି। ଦ୍ୱିତୀୟ କ୍ଷମତାକେନ୍ଦ୍ରର ପ୍ରଶ୍ନ ଉଠୁନି। ପ୍ୟାରୀମୋହନ ମହାପାତ୍ର ଥିବା ବେଳେ  ତାଙ୍କୁ କିଛି ଲୋକ ଦ୍ୱିତୀୟ କ୍ଷମତାକେନ୍ଦ୍ର ବୋଲି କହୁଥିଲେ। ମୁଁ ଏହାକୁ ଗ୍ରହଣ ନକରିବାରୁ ତାଙ୍କ ରୋଷର ଶିକାର ହେଲି। ଏବେ ବି ଆମ ଦଳରେ ଦ୍ୱିତୀୟ କ୍ଷମତାକେନ୍ଦ୍ର ନାହିଁ। ଆମ ଦଳରେ ଗୋଟିଏ ନେତା ଏବଂ ଗୋଟିଏ କ୍ଷମତାକେନ୍ଦ୍ର। ସେ ହେଉଛନ୍ତି ନବୀନ ପଟ୍ଟନାୟକ।

Comment