ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ାରୁ ନବରଙ୍ଗପୁର ସବୁଠି ବଜ୍ରପାତର ତାଣ୍ଡବ। ବଜ୍ରପାତରେ ଆଜି ୧୦ ଜଣ ପ୍ରାଣ ହରାଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।

ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ବଜ୍ରପାତ ଘଟିଛି। ବଜ୍ରପାତରେ ୧୦ ଜଣଙ୍କର ପ୍ରାଣହାନି ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା, ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଏବଂ କରଞ୍ଜିଆ ୨ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ଖୋର୍ଦ୍ଧା, ବାଲେଶ୍ୱର ଏବଂ ପୁରୀ ଜିଲ୍ଲାରେ ଜଣେ ଲେଖାଏଁ ବଜ୍ରପାତରେ ପ୍ରାଣ ହରାଇଛନ୍ତି।

ଶୁକ୍ରବାର ଅପରାହ୍ଣରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ବିଭିନ୍ନ ସ୍ଥାନରେ ଅଭାବନୀୟ ଘଟଣା ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଦୁଇ ସାଙ୍ଗ ବସିଥିବା ବେଳେ ବଜ୍ରପାତ ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାସହ ୨ ଜଣ ମଧ୍ୟ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୩ ବଖରା ଘର ମଧ୍ୟ ଜଳି ଯାଇଛି କେନ୍ଦ୍ରାପଡ଼ାରେ।

ଯାଜପୁର ଜିଲ୍ଲା ଚିତାହଟାରେ ମଧ୍ୟ ଦୁଃଖଦ ଘଟଣା ଘଟିଛି। ଗାଇ ଚରାଇବାକୁ ଯାଇଥିବା ଜଣେ ଲୋକ ବଜ୍ରପାତରେ ଆଖି ବୁଜିଛି।

ମୟୂରଭଞ୍ଜ ଜିଲ୍ଲାରେ ଦନଦବାସ ଗାଁରେ ଜଣେ ଚାଷୀ ଚାଷଜମିରେ କାମ କରୁଥିବା ବେଳେ ଚଡ଼ଚଡ଼ି ମାରିଥିଲା। ଚାଷଜମିରେ ହିଁ ସେ ଟଳି ପଡ଼ିଥିଲେ।

ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକର ପଣ୍ଡିକୋଟ ଗାଁରେ ବଜ୍ରପାତ ହେବାରୁ ୫ ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି।

Comment