ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସସି) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ କେନ୍ଦ୍ର ସରକାରଙ୍କ ଉଚ୍ଚ ପଦପଦବୀରେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଏ। ହେଲେ ଏବେ ଘରୋଇ କର୍ମଚାରୀମାନେ କେନ୍ଦ୍ରର ବିଭିନ୍ନ ମନ୍ତ୍ରାଳୟରେ ସଚିବ ପଦବୀରେ ନିଯୁକ୍ତି ପାଇବାକୁ ଯାଉଛନ୍ତି।

  • ଘରୋଇ କ୍ଷେତ୍ରର ପ୍ରତିଭାକୁ ଆକର୍ଷିତ କରିବା ଲାଗି କେନ୍ଦ୍ର ସରକାର କର୍ମଚାରୀ ଚୟନ ନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିଛନ୍ତି। ‘ଲାଟେରାଲ ଏଣ୍ଟି୍’ ନାମରେ ଏକ ସ୍କିମ୍‌ ଆରମ୍ଭ କରାଯାଇଛି। ଏହି ସ୍କିମ୍‌ରେ ନିଯୁକ୍ତି ପାଇଁ ୧୦ଟି ଯୁଗ୍ମ ସଚିବ ପଦ ରଖାଯାଇଛି।
  • କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ପରୀକ୍ଷା ନଦେଇ ମଧ୍ୟ ଏମାନେ ଏସବୁ ପଦରେ ନିଯୁକ୍ତି ପାଇପାରିବେ। ରାଜସ୍ୱ ବିଭାଗ, ଆର୍ଥିକ ସେବା ବିଭାଗ, ଅର୍ଥନୈତିକ ବ୍ୟାପାର ବିଭାଗ, କୃଷି ଏବଂ କୃଷକ ମଙ୍ଗଳ ବିଭାଗ, ସଡ଼କ ପରିବହନ ଓ ରାଜପଥ ବିଭାଗ, ଜାହାଜ ଚଳାଚଳ ବିଭାଗ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ନବୀନ ଓ ଅକ୍ଷୟ ଶକ୍ତି ବିଭାଗ, ବେସାମରିକ ବିମାନ ଚଳାଚଳ ବିଭାଗ ଏବଂ ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ପଦ ଏଥିପାଇଁ ଉଦ୍ଦିଷ୍ଟ ରହିଛି।
  • କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ସାଧାରଣତଃ ୟୁପିଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ ବ୍ୟକ୍ତି ହିଁ ଏହି ପଦରେ ନିଯୁକ୍ତି ପାଇଥାନ୍ତି। ଏବେ ଘରୋଇ କର୍ମଚାରୀମାନେ କେନ୍ଦ୍ରର ବିଭିନ୍ନ ମନ୍ତ୍ରାଳୟରେ ସଚିବ ପଦବୀରେ ନିଯୁକ୍ତି ପାଇବାକୁ ଯାଉଛନ୍ତି।
  • ଆବେଦନକାରୀଙ୍କ ବୟସ ଜୁଲାଇ ୧ ତାରିଖ ସୁଦ୍ଧା ୪୦ ବର୍ଷ ହୋଇଥିବ। ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିବେ। ସରକାର ଏମାନଙ୍କୁ ୩ ବର୍ଷ ପାଇଁ ନିଯୁକ୍ତି ଦେବେ। ପରେ ଏହାକୁ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ।
  • ପ୍ରତିଭାସମ୍ପନ୍ନ ବ୍ୟକ୍ତିମାନଙ୍କୁ ଆକୃଷ୍ଟ କରିବା ଲାଗି ସରକାର ଆକର୍ଷଣୀୟ ବେତନ ମଧ୍ୟ ପ୍ରଦାନ କରିବେ। ମାସିକ ୧ ଲକ୍ଷ ୪୪ ହଜାର ଟଙ୍କାରୁ ୨ ଲକ୍ଷ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ବେତନ ପ୍ରଦାନ କରାଯିବ। ଏତଦ୍‌ବ୍ୟତୀତ କେନ୍ଦ୍ର ସରକାର ପ୍ରଦାନ କରୁଥିବା ଅନ୍ୟାନ୍ୟ ଭତ୍ତା ଓ ସୁବିଧା ସୁଯୋଗ ମଧ୍ୟ ଏମାନଙ୍କୁ ପ୍ରଦାନ କରାଯିବ।
  • ମାତ୍ର ୧୦ଟି ପଦ ପାଇଁ ୩ରୁ ୫ବର୍ଷ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯିବ। ନିଯୁକ୍ତ ବ୍ୟକ୍ତି ବିଶେଷ କେନ୍ଦ୍ର ସରକାରଙ୍କର ଏହି ବିଭାଗ ପାଇଁ ନୀତି ନିର୍ଦ୍ଧାରଣ କରିବେ।
  • ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ଅଧୀନରେ ସମାନ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ, ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ତୁଳନାତ୍ମକ ସ୍ତରରେ କାର୍ଯ୍ୟ କରୁଥିବା ବ୍ୟକ୍ତି, ସ୍ୱାୟତ୍ତ ଶାସନ ସଂସ୍ଥା, ବୈଧାନିକ ସଂଗଠନ, ବିଶ୍ୱବିଦ୍ୟାଳୟ, ସ୍ୱୀକୃତିପ୍ରାପ୍ତ ଗବେଷଣା ସଂସ୍ଥାରେ ସର୍ବନିମ୍ନ ୧୫ ବର୍ଷର ଅଭିଜ୍ଞତା ଥିବା ବ୍ୟକ୍ତିମାନେ ଏହି ପଦବୀଗୁଡ଼ିକ ପାଇଁ ଆବେଦନ କରିପାରିବେ।
  • ଘରୋଇ କମ୍ପାନି, ପରାମର୍ଶଦାତା ସଂସ୍ଥା, ଅନ୍ତର୍ଜାତୀୟ-ବହୁଦେଶୀୟ ସଂସ୍ଥାରେ ଅତିକମ୍‌ରେ ୧୫ ବର୍ଷର ଅଭିଜ୍ଞତା ଥିବା ବ୍ୟକ୍ତିମାନେ ମଧ୍ୟ ଏଥିପାଇଁ ଆବେଦନ କରିବାର ସୁଯୋଗ ରହିଛି ବୋଲି ସୂଚନା ମିଳିଛି।
  • ଜୁନ୍‍ ୧୫, ୨୦୧୮ରୁ ଜୁଲାଇ ୩୦, ୨୦୧୮ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ। ଅନଲାଇନ ପୋର୍ଟାଲ ଲାଟେରାଲ.ଏନଆଇସି.ଇନ ମାଧ୍ୟମରେ ଆବେଦନ କରାଯାଇପାରିବ।
  • ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ଦଳ ସମାଳୋଚନା କରିଛନ୍ତି। କଂଗ୍ରେସ ଏବଂ ସିପିଏମ୍‌ ନେତାମାନେ ଅଭିଯୋଗ କରିଛନ୍ତି ଯେ ବିଜେପି ଏବଂ ଆରଏସ୍‌ଏସ୍‌ ସହିତ ସଂପର୍କ ରଖିଥିବା ଲୋକଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତି ଦେବା ଲାଗି ମୋଦି ସରକାରର ଏହା ଏକ ଚାଲ। ଏଭଳି ନିଯୁକ୍ତି ନେଇ ସଂଘ ପରିବାରର ଏଜେଣ୍ଡାକୁ ସରକାର କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି।

Comment