ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ପ୍ରାଚୀନ ଓ ଲୋକପ୍ରିୟ ସାଂସ୍କୃତିକ ପରମ୍ପରାକୁ ସମ୍ମାନ ଜଣାଇବା ସହ ଆଜିର ଯୁବପିଢିଙ୍କ ମଧ୍ୟରେ ତା’ର ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ କଟକର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସୁର ମନ୍ଦିର’ ପକ୍ଷରୁ ଗତ ୧୯ବର୍ଷ ଧରି ଆୟୋଜିତ ହୋଇଆସୁଛି ‘ରଜ ମହୋତ୍ସବ’।

ସାଂସ୍କୃତିକ ଅନୁଷ୍ଠାନ ‘ସୁର ମନ୍ଦିର’ ପକ୍ଷରୁ ଚଳିତ ବର୍ଷ ଜୁନ ୧୪ରୁ ୧୬ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି କଟକ ଶହିଦ ଭବନଠାରେ ରଜ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ସନ୍ଧ୍ୟା  ୬.୩୦ରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ।

ଏଥର ‘ସୁର୍ ମନ୍ଦିର’ ରଜ ମହୋତ୍ସବର ନୂଆ ଆକର୍ଷଣ ହେଉଛି ଓଡ଼ିଶାର ପାରମ୍ପରିକ ଚିତା, ଝୋଟି, ମୁରୁଜ, ପୁଚିଖେଳ, ଦୋଳିଖେଳ, ପୋଡ଼ପିଠା ଓ ଅନ୍ୟାନ୍ୟ ପିଠା ପ୍ରସ୍ତୁତି ନେଇ ପ୍ରତିଯୋଗିତା। ଏହାସହ ଏହି କାର୍ଯ୍ୟକ୍ରମରେ ବର୍ଣ୍ଣାଢ୍ୟ ନୃତ୍ୟ, ସଙ୍ଗୀତ ଓ ଅଭିନୟ ବିଚିତ୍ରା ଦେଖିବାକୁ ମିଳିବ।

“ହଜିଯାଉଥିବା ଓଡ଼ିଆ ପରମ୍ପରା ‘ରଜ ପର୍ବ’ର ସ୍ଵାତନ୍ତ୍ର୍ୟ ବଜାୟ ରଖିବା ପାଇଁ ଦୀର୍ଘ ୧୯ବର୍ଷ ଧରି ‘ସୁର ମନ୍ଦିର’ ପକ୍ଷରୁ ଏକ ବିଭିନ୍ନ ପ୍ରୟାସ ଆରମ୍ଭ କରାଯାଉଛି। ଓଡ଼ିଶାର କଳା ଓ ସଂସ୍କୃତିର ପ୍ରସାର ରଖିବା ପାଇଁ ଆମର ଏହି ଉଦ୍ୟମ ଆଗାମୀ ଦିନରେ ମଧ୍ୟ ଜାରି ରହିବ”, କହିଛନ୍ତି ‘ସୁର ମନ୍ଦିର’ ଅନୁଷ୍ଠାନର ସମ୍ପାଦିକା ଜୋତ୍ସ୍ନା ସାହୁ।

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶ୍ରେଷ୍ଠ ୩ଜଣ ଓଡିଆଣୀଙ୍କୁ ପୁରସ୍କୃତ କରାଯିବା ସହ ଜଣଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ। ଏହି ୩ ପ୍ରମୁଖ ଓଡିଆ ନାରୀ ହେଉଛନ୍ତି ଗାୟତ୍ରୀ ଦାସ, ପ୍ରିୟମ୍ବଦା ରାଏ, ଗାୟତ୍ରୀ ଯୋଶୀ। ସେହିପରି ଜୀବନବ୍ୟାପୀ ସାଧନା ନିମନ୍ତେ ଡକ୍ଟର ପ୍ରିୟମ୍ବଦା ମହାନ୍ତି (ହେଜମାଦୀ)ଙ୍କୁ ସମ୍ମାନିତ କରାଯିବ।

ଏହି ଉତ୍ସବର ବିଭିନ୍ନ ଦିନରେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ଡକ୍ଟର ଇଲିଆନା ଚିତାରିସ୍ତି, ନୃତ୍ୟଶିଳ୍ପୀ ଗାୟତ୍ରୀ ଯୋଶୀ, ପଦ୍ମଶ୍ରୀ ଗୀତା ମହାଲିକ୍, ଗୁରୁ ରତିକାନ୍ତ ମହାପାତ୍ର, ଗୁରୁ ଜୋତ୍ସ୍ନା ସାହୁ ପ୍ରମୁଖ ନୃତ୍ୟ ପରିବେଷଶ କରିବେ।

ଏହି ଅବସରରେ ଅନୁଷ୍ଠାନର ସମ୍ପାଦିକା କହିଛନ୍ତି, “ଏଥର ଆମର ଡିଜିଟାଲ ମିଡିଆ ପାର୍ଟନର ରହିଛନ୍ତି ଓଡ଼ିଶାଲାଇଭ୍‌। ଆଶା କରୁଛୁ ଏହି ପ୍ରମୁଖ ଡିଜିଟାଲ ମିଡିଆ ମାଧ୍ୟମରେ ଦେଶବିଦେଶରେ ବାସ କରୁଥିବା ଦର୍ଶକଙ୍କ ପାଖରେ ଆମ କଳା ଓ ସଂସ୍କୃତି ପହଞ୍ଚିପାରିବ”।

“ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଯେଉଁସବୁ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି ଓଡ଼ିଶାଲାଇଭ୍ ସବୁବେଳେ ସେମାନଙ୍କ ସହ ରହିଆସିଛି। ‘ସୁର ମନ୍ଦିର’ ପକ୍ଷରୁ ରଜ ଅବସରରେ ଅନେକ ବର୍ଷଧରି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଚଳିତବର୍ଷ ଓଡ଼ିଶାଲାଇଭ୍‌ ଏହି ଅନୁଷ୍ଠାନର ଡିଜିଟାଲ ମିଡିଆ ପାର୍ଟନର୍ ଭାବେ ଯୋଡି ହୋଇଥିବାରୁ ମୁଁ ଖୁସି”, କହିଛନ୍ତି ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ଏବଂ ସିଇଓ ନୀଳାମ୍ବର ରଥ।

‘ସୁର ମନ୍ଦିର’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ଭିଡିଓ ଆଗାମୀ ଦିନରେ ଓଡ଼ିଶାଲାଇଭର ୟୁଟ୍ୟୁବ ଏବଂ ଅନ୍ୟ ଚ୍ୟାନେଲରେ ସ୍ଥାନ ପାଇବ। ଫଳରେ ଦେଶବିଦେଶରେ ଥିବା ଦର୍ଶକମାନେ ଡିଜିଟାଲ ମିଡିଆ ମାଧ୍ୟମରେ ଏହା ଦେଖିପାରିବେ ବୋଲି ଓଡ଼ିଶାଲାଇଭ୍‌ର ସିଇଓ ସୂଚନା ଦେଇଛନ୍ତି।

Comment