ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେକ୍ସିକୋ ରାଷ୍ଟଦୂତ ମେଲବା ପ୍ରିୟାଙ୍କ ନିଆରା ଷ୍ଟାଇଲ୍। ଦାମୀ କାର୍‌ ଛାଡ଼ି ସେ ଅଟୋରିକ୍ସାକୁ ତାଙ୍କ ଅଫିସିଆଲ ଗାଡ଼ି ଭାବେ ବାଛିଛନ୍ତି।

ଅଟୋ ନମ୍ବର 48CD1A। ଗାଡ଼ି ସାରା ଲେଖାଯାଇଛି ମେକ୍ସିକୋ। ଆଗରେ ଲାଗିଛି ମେକ୍ସିକୋ ଜାତୀୟ ପତାକା। ହେଲେ ଏହା କୌଣସି ସାଧାରଣ ଅଟୋ ନୁହେଁ। ଭାରତରେ ଅବସ୍ଥାପିତ ମେକ୍ସିକୋ ରାଷ୍ଟ୍ରଦୂତ ମେଲବା ପ୍ରିୟାଙ୍କ ସରକାରୀ ଗାଡ଼ି।

ଏହି ଅଟୋରେ ମେଲବା ପ୍ରିୟା  ବିଭିନ୍ନ ଅଫିସିଆଲ କାମରେ ଯାଇଥାନ୍ତି। ଅଟୋରେ ଜଣେ ରାଷ୍ଟ୍ରଦୂତଙ୍କୁ ଦେଖି ସରକାରୀ କର୍ମଚାରୀଙ୍କ ସମେତ ସାଧାରଣ ଲୋକ ଚକିତ ହୋଇ ଯାଆନ୍ତି। ହଲେ ମେଲବା ପ୍ରିୟା ନିଜ ଷ୍ଟାଇଲ୍‌ରେ କାମ କରିଥାନ୍ତି।

ଭାରତରେ ଅବସ୍ଥାପିତ ବିଭିନ୍ନ ଦେଶର ରାଷ୍ଟ୍ରଦୂତମାନେ ଦାମୀ ଗାଡ଼ିରେ ଯାତାୟତ କରିଥାନ୍ତି। କିନ୍ତୁ ମେକ୍ସିକୋ ରାଷ୍ଟ୍ରଦୂତ ମେଲବା ପ୍ରିୟା ଅନ୍ୟ ରାଷ୍ଟ୍ରଦୂତଙ୍କଠାରୁ ଟିକେ ଭିନ୍ନ। ସେ ନିଆରା ଷ୍ଟାଇଲରେ ଯାତାୟତ କରିଥାନ୍ତି। ଦାମୀ କାର୍‌ ବଦଳରେ ସେ ଅଟୋରିକ୍ସାକୁ ଅଫିସିଆଲ ଗାଡ଼ି ଭାବେ ବ୍ୟବହାର କରୁଛନ୍ତି।

ଏ ସଂପର୍କରେ ରାଷ୍ଟ୍ରଦୂତ ପ୍ରିୟା କହନ୍ତି, “ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ହେବା ପୂର୍ବରୁ ମୁଁ ଭାରତକୁ ଆସିଥିଲି ଏବଂ ସବୁବେଳେ ଅଟୋରିକ୍ସାରେ ଯିବା ଆସିବା କରୁଥିଲି। ତେଣୁ ମୁଁ ଚିନ୍ତାକଲି ଯଦି କୋଟି କୋଟି ଭାରତବାସୀ ଅଟୋରିକ୍ସାକୁ ବ୍ୟବହାର କରୁଛନ୍ତି, ତା’ ହେଲେ ଜଣେ ରାଷ୍ଟ୍ରଦୂତ କ’ଣ ପାଇଁ ଏହାକୁ ବ୍ୟବହାର କରିପାରିବ ନାହିଁ?”

ଅଧିକାଂଶ ବିଦେଶୀ ପ୍ରତିନିଧି ସେଡାନ୍ ଓ ଏସୟୁଭି କାର ବ୍ୟବହାର କରୁଛନ୍ତି। କିନ୍ତୁ ଦିଲ୍ଲୀର ପରିବେଶକୁ ଦେଖି ପ୍ରିୟା ଅଟୋ ବ୍ୟବହାର କରୁଛନ୍ତି। ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ତାଙ୍କ ଅଟୋ ସିଏନଜି ଦ୍ୱାରା ଚାଲିଥାଏ।

ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନେଇ ମେଲବା ପ୍ରିୟା ଚିନ୍ତା ପ୍ରକଟ କରିଛନ୍ତି। ତାଙ୍କ କହିବା କଥା ହେଉଛି ଗାଡ଼ିରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ଗ୍ୟାସ ଯୋଗୁଁ ଦିଲ୍ଲୀର ପରିବେଷ ପ୍ରଦୂଷିତ ହେଉଛି। ଅଧିକାଂଶ ଲୋକ ସିଏନ୍‌ଜି ଅଟୋ ବ୍ୟବହାର କରିବେ ତାହାଲେ ପରିବେଶ ସୁରକ୍ଷିତ ରହିପାରନ୍ତା।

ସିନ୍ଏଜି ଦ୍ୱାରା ପରିଚାଳିତ ଅଟୋରିକ୍ସା କେବଳ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିବ ନାହିଁ, ଏହାକୁ ବ୍ୟବହାର କରିବା ଫଳରେ ପରିବେଶ ପ୍ରଦୂଷଣମୁକ୍ତ ହୋଇପାରିବ ବୋଲି ପ୍ରିୟା କହିଛନ୍ତି।

“ମୁଁ ଦିଲ୍ଲୀରେ ରହୁଥିବାରୁ ଏହାର ପରିବେଶ କିପରି ପ୍ରଦୁଷଣମୁକ୍ତ ହେବ ସେ ଦିଗରେ ଚିନ୍ତା କରୁଛି। ସମସ୍ତେ ମଧ୍ୟ ଏଥିପ୍ରତି ଚିନ୍ତା କରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍”, ଏହା କହିଛନ୍ତି ମେଲବା ପ୍ରିୟା।

ପ୍ରିୟା ଆହୁରି କହିଛନ୍ତି ଯେ ଭାରତକୁ ରାଷ୍ଟ୍ରଦୂତ ହୋଇ ଆସିଥିବାରୁ ଅଟୋ କିଣିବା କିଛି ସହଜ ନଥିଲା। ମତେ ପ୍ରଥମେ ବିଦେଶ ମନ୍ତ୍ରାଳୟ ନିକଟରୁ ଅନୁମତି ଆଣିବାକୁ ପଡ଼ିଲା। ଅଟୋରିକ୍ସା ଚଳାଇବା ପାଇଁ ଡ୍ରାଇଭର ରଖିବା ବି କଷ୍ଟକର କାମ ଥିଲା। କାରଣ ଜଣେ ଡ୍ରାଇଭର ରାଷ୍ଟ୍ରଦୂତଙ୍କର ଗାଡ଼ି ଚଳାଉଥିବାରୁ ସେଥିପାଇଁ ସେ ଗର୍ବ ଅନୁଭବ କରନ୍ତି। କିନ୍ତୁ ଅଟୋରିକ୍ସା ଚଳାଇବାକୁ କେହି ରାଜି ହେଲେନାହିଁ। ବହୁ ବୁଝାସୁଝା କରିବା ପରେ ଅଟୋ ଚଳାଇବା ପାଇଁ ଡ୍ରାଇଭର୍ ପାଇଥିଲି।

ମେକ୍ସିକୋର ଚିତ୍ରକର ସାଙ୍କୋ ଏହି ଅଟୋକୁ ତାଙ୍କର ଚିତ୍ରକଳାରେ ସଜାଇଛନ୍ତି। ସବୁଜ ଓ ହଳଦୀ ରଙ୍ଗ ବିଶିଷ୍ଟ ଅଟୋରିକ୍ସାରୁ ସେ ଏହାକୁ ଧଳାରଙ୍ଗର ସୁନ୍ଦର ଅଟୋରେ ପରିଣତ କରିଦେଇଛନ୍ତି। ସେଥିରେ ସୁନ୍ଦର ଡିଜାଇନ୍ ଓ ମୋଟିଫ୍ କରାଯାଇଛି। ଯେତେବେଳେ ମେକ୍ସିକୋର ବିଦେଶ ମନ୍ତ୍ରୀ ଭାରତ ଆସିଥିଲେ ସେ ଏହି ଅଟୋରେ ଯିବା ଆସିବା କରୁଥିଲେ ବୋଲି ପ୍ରିୟା କହିଛନ୍ତି।

ଡ୍ରାଇଭର ଜଗଦୀଶ ଡୁଗଲ କହନ୍ତି,  “ଯଦି ମେକ୍ସିକୋର ରାଷ୍ଟ୍ରଦୂତ ଏକ ଅଟୋରିକ୍ସାରେ ଯାତାୟତ କରୁଛନ୍ତି ତାହେଲେ ଭାରତର ବଡ଼ବଡ଼ିଆମାନେ କାହିଁକି ନୁହେଁ?”

Comment