ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱାମୀଙ୍କର ଦୀର୍ଘ ଜୀବନ କାମନା କରି ସ୍ତ୍ରୀମାନେ ସାବିତ୍ରୀ ବ୍ରତ ପାଳନ କରୁଥିବା ବେଳେ ମହାରାଷ୍ଟ୍ରରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି।

ପତ୍ନୀମାନେ ନିଜ ସ୍ଵାମୀମାନଙ୍କ ଦୀର୍ଘ ଆୟୁଷ କାମନା କରି ବଟ ବୃକ୍ଷ ପୂଜା କରନ୍ତି। କିନ୍ତୁ ମହାରାଷ୍ଟ୍ରର ଔରଙ୍ଗବାଦର ବାଲୁଜ ଅଞ୍ଚଳରେ ଘଟିଛି ଓଲଟା ଘଟଣା।

ସ୍ଵାମୀମାନେ ସ୍ତ୍ରୀମାନଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ତାଙ୍କଠାରୁ ମୁକ୍ତି ପାଇବା ପାଇଁ ସମୂହ ଭାବେ ବଟ ବୃକ୍ଷ ପୂଜା କରିଛନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି।

ହିନ୍ଦୁ ପରମ୍ପରା ଅନୁସାରେ ସ୍ଵାମୀମାନଙ୍କ ଦୀର୍ଘ ଜୀବନ କାମନା କରି ବଟ ସାବିତ୍ରୀ ପୂଜା ଅବସରରେ ବିବାହିତ ମହିଳା ମାନେ ଏହି ବ୍ରତ କରିଥାନ୍ତି। ମହିଳାମାନେ ଦିନ ତମାମ ଉପବାସ ରହି ବଟ ବୃକ୍ଷର ଚାରି ପାଖରେ ସୂତା ବାନ୍ଧି ଏହି ପୂଜା କରିଥାନ୍ତି।

ମହାରାଷ୍ଟ୍ରର ବାଲୁଜ ଅଞ୍ଚଳରେ ପତ୍ନୀ ପୀଡ଼ିତ ପୁରୁଷ ସଂଗଠନର ସଦସ୍ୟମାନେ ଏଠାରେ ସ୍ତ୍ରୀଙ୍କଠାରୁ ମୁକ୍ତି ପାଇବା ପାଇଁ ବଟ ବୃକ୍ଷରେ ସୂତା ବାନ୍ଧି ମାନସିକ ରଖିଛନ୍ତି ଯେ, ସାତ ଜନ୍ମ ପର୍ଯ୍ୟନ୍ତ ତାଙ୍କୁ ଏପରି ପତ୍ନୀ ନ ମିଳୁ। ସେଠାରେ ସ୍ଵାମୀମାନେ କହିଛନ୍ତି ଯେ ସେମାନେ ତାଙ୍କ ପତ୍ନୀଙ୍କ ଦ୍ୱାରା ଅତ୍ୟାଚାରର ଶିକାର ହେଉଉନ୍ତି।

ପତ୍ନୀମାନେ ଯୌତୁକ ଓ ନାରୀ ନିର୍ଯାତନା ଆଇନର ଅପବ୍ୟବହାର କରି ତାଙ୍କୁ ଅତ୍ୟାଚାର କରୁଛନ୍ତି। ସାତ ଜନ୍ମ କଣ ସାତ ସେକେଣ୍ଡ ପାଇଁ ମଧ୍ୟ ଏଭଳି ସ୍ତ୍ରୀଙ୍କୁ ପାଖରେ ରଖିବାକୁ ସେମାନେ ଚାହୁଁନାହାଁନ୍ତି, ଏମିତି କହିଛନ୍ତି ସେହି ସଙ୍ଗଠନର ଜଣେ ସଦସ୍ୟ ତୁଷାର ବାଖରେ।

ସଙ୍ଗଠନର ସଭାପତି ଭରତ ଫୁଲୱାରେ ଓ ଅନ୍ୟ ସଦସ୍ୟମାନେ ସମ୍ବିଧାନର ଧାରା ୪୯୮-କ ଓ ୩୫୪ ଘରୋଇ ହିଂସା ଆଇନର ଅପବ୍ୟବହାର କରୁଥିବାର ବ୍ୟାନର ଦେଖାଇ ନାରା ଦେଇଥିଲେ। ଅନ୍ୟ ଏକ ସଦସ୍ୟ କହିଥିଲେ ଯେ ତାଙ୍କ ପତ୍ନୀ ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିବାରୁ ତାଙ୍କର ୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ଗତ ୨୭ତାରିଖ ଦିନ ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ, ଗୋଆ ଏବଂ କର୍ଣ୍ଣାଟକର ବିଭିନ୍ନ ଭାଗରେ ସାବିତ୍ରୀ ବ୍ରତ ‘ବଟସାବିତ୍ରୀ’ ଭାବେ ପାଳିତ ହୋଇଯାଇଛି।

Comment