ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାପ୍ରଭୁଙ୍କୁ ନେଇ ଚାଲିଛି ରାଜନୀତି। ଶ୍ରୀମନ୍ଦିର ଚାବି ହଜିବା ବିବାଦ ସମାଧାନ ନହେଉଣୁ ଏବେ ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଅସମ୍ମାନ ସମ୍ପର୍କିତ ଚିଠିକୁ ନେଇ ଶ୍ରୀମନ୍ଦିର ଏବଂ ଜିଲ୍ଲା ପ୍ରଶାସନ ପଡ଼ିଛି ଅଡ଼ୁଆରେ।

ପୁରୀ ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କୁ ସେବାୟତମାନେ କୌଣସି ଅସମ୍ମାନ କରିନାହାନ୍ତି। ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କ ମିଡିଆ ସଚିବ ଅଶୋକ ମଲ୍ଲିକ ଜାତୀୟ ଗଣମାଧ୍ୟମକୁ କହିବା ପରେ ବିବାଦ ନୂଆ ମୋଡ଼ ନେଇଛି।

ଭାରତର ରାଷ୍ଟ୍ରପତି ଏବଂ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଏଭଳି ବିବାଦ କାହିଁକି ଉଠିଲା ବୋଲି ଚର୍ଚ୍ଚା ଜୋର୍ ଧରିଛି। କିଏ ଏବଂ କେଉଁ ଉଦ୍ଦେଶ୍ୟ ନେଇ ଏହି ପ୍ରସଙ୍ଗ ଉଠାଇଲା ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ମାର୍ଚ୍ଚ ୧୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ ସବିତା କୋବିନ୍ଦ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ ଶ୍ରୀମନ୍ଦିର।

ମାର୍ଚ୍ଚ ୨୦: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା। ଏହି ବୈଠକରେ ମାର୍ଚ୍ଚ ୧୯ ତାରିଖରେ ରାଷ୍ଟ୍ରପତି ଭବନରୁ ପୁରୀ ଜିଲ୍ଲାପାଳଙ୍କ ଅଫିସକୁ ଆସିଥିବା ଚିଠି ସମ୍ପର୍କରେ ଆଲୋଚନା ହୋଇଥିଲା।

ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁଇ ଜଣ ସେବାୟତ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଏହି ଚିଠିରେ ଉଲ୍ଲେଖ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକରେ କୁହାଯାଇଥିଲା। ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରିଜଲ୍ୟୁସନ ପାସ୍ ହୋଇଥିଲା।

ଜୁନ୍ ୨୫: ପରିଚାଳନା କମିଟି ବୈଠକରେ ପାସ୍ ହୋଇଥିବା ରିଜଲ୍ୟୁସନ କପି ଗଣମାଧ୍ୟମ ପ୍ରତିନିଧିଙ୍କ ହାତରେ ଲାଗିଥିଲା। ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଶ୍ରୀମନ୍ଦିରରେ ଅସମ୍ମାନ କରାଯାଇଥିବା ଚର୍ଚ୍ଚା ହେଲା।

ଜୁନ୍ ୨୬: ବିଜେଡି ମୁଖପାତ୍ର ପ୍ରତାପ ଦେବ ଦେଲେ ବୟାନ। ସେ କହିଲେ ଯେ ରାଷ୍ଟ୍ରପତି ଭବନରୁ ପୁରୀ ଜିଲ୍ଲା ପ୍ରଶାସନକୁ ଚିଠି ଆସିଛି। ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନ ବିଚାର କରୁଛି।

ଜୁନ୍ ୨୭: ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଅସମ୍ମାନ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର୍ ଧରିଲା। ଏପରିକି ଜାତୀୟ ଗଣମାଧ୍ୟମରେ ବି ଆଲୋଚନା ହେଲା। ହେଲେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ। ରାଷ୍ଟ୍ରପତି ଭବନରୁ କୌଣସି ଚିଠି ଆସି ନଥିବା ଶ୍ରୀ ପାଢ଼ୀ ସ୍ପଷ୍ଟ କରିଥିଲେ।

ଜୁନ୍ ୨୮: ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ମନ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ ରାଷ୍ଟ୍ରପତି ଭବନରୁ କୌଣସି ଚିଠି ଆସିନି। ଶ୍ରୀମନ୍ଦିରରେ କୌଣସି ଦୁର୍ବ୍ୟବହାର ହୋଇନି। ଏହି ଚର୍ଚ୍ଚାକୁ ଅଯଥାରେ ଆଗକୁ ବଢ଼ା ନଯାଉ।

ଜୁନ୍ ୨୯: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ। ରାଷ୍ଟ୍ରପତି ଭବନରୁ କୌଣସି ଚିଠି ଆସିନାହିଁ ବୋଲି କହିଥିଲେ। ତେବେ ଏହି ଚର୍ଚ୍ଚା କିଏ ଏବଂ କାହିଁକି ଆରମ୍ଭ କଲା ତାର ସ୍ପଷ୍ଟୀକରଣ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ସେ ଦାବି କରିଥିଲେ।

ଜୁନ୍ ୨୯: ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇଲା ସୁଆର ମହାସୁଆ ନିଯୋଗ ସମିତି। ଏନେଇ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଏବଂ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ ଜେନାଙ୍କ ବିରୋଧରେ ଏତଲା ଦେଇଛି ସମିତି।

ଜୁନ୍ ୩୦: ରାଷ୍ଟ୍ରପତି ଭବନରୁ ଜାତୀୟ ଗଣମାଧ୍ୟମକୁ ଦିଆଗଲା ସ୍ପଷ୍ଟୀକରଣ। ଶ୍ରୀମନ୍ଦିରରେ କୌଣସି ଦୁର୍ବ୍ୟବହାର ହୋଇ ନଥିବା ରାଷ୍ଟ୍ରପତି ଭବନର ମିଡିଆ ସଚିବ ଅଶୋକ ମଲ୍ଲିକ କହିଥିଲେ। ଯଦି ଚିଠି ଆସିଛି ତାହାଲେ ତାକୁ ସାର୍ବଜନୀନ କରାଯାଉ ବୋଲି କହିଥିଲେ ମିଡିଆ ସଚିବ।

କେଉଁଠୁ ଉଠିଲା ନିଆଁ?

ରାଷ୍ଟ୍ରପତି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସାରି ନୂଆଦିଲ୍ଲୀ ଫେରିବାର ଚାରି ମାସ ବିତିଲାଣି। ଚାରି ମାସ ପରେ ହଠାତ୍ ଏହି ଘଟଣାକୁ ନେଇ କାହିଁକି ଆଲୋଚନା ହେଲା? ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ କେଉଁ ଆଧାରରେ ରିଜଲ୍ୟୁସନ ପାସ ହେଲା? ଜିଲ୍ଲା ପ୍ରଶାସନକୁ ରାଷ୍ଟ୍ରପତି ଭବନରୁ ଯେଉଁ ଚିଠି ଆସିଛି ଜିଲ୍ଲାପାଳ ତାକୁ ସାର୍ବଜନୀନ କରୁ ନାହାନ୍ତି କାହିଁକି? ଏସବୁ ପ୍ରଶ୍ନ ଏବେ ସାଧାରଣ ଲୋକ ଏବଂ ଜଗନ୍ନାଥପ୍ରେମୀଙ୍କ ମନରେ ଉଙ୍କି ମାରୁଛି।

ସବୁଠୁ ବଡ଼ କଥା ହେଉଛି ରିଜଲ୍ୟୁସନରେ ଖୁଣ୍ଟିଆ ଏବଂ ମେକାପ ସେବାୟତ ଦୁର୍ବ୍ୟହାର ପ୍ରଦର୍ଶନ କରିଥିବା ଉଲ୍ଲେଖ ରହିଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ହେଲେ ଚାରି ମାସ ପରେ ବି ପ୍ରଶାସନ ଏହି ସେବାୟତମାନଙ୍କୁ କାହିଁକି ଚିହ୍ନଟ କରିପାରିନି? ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଏବଂ ଶ୍ରୀମନ୍ଦିର ପ୍ରଶାସନର ତତ୍କାଳୀନ ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ସ୍ପଷ୍ଟୀକରଣ ଦେବାକୁ ସାଧାରଣରେ ଦାବି ହେଉଛି।

ଆଉ କେତେ ରାଜନୀତି?

ଶ୍ରୀମନ୍ଦିର ଏବଂ ଜଗନ୍ନାଥଙ୍କୁ ନେଇ ବିବାଦ ଥମୁନି। ଭିତର ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ଶ୍ରୀମନ୍ଦିର ଏବଂ ଜିଲ୍ଲା ପ୍ରଶାସନ ବିବାଦରେ ରହିଛି। ଭିତର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଏବେ ବି ସମାଧାନ ହୋଇପାରିନି। ସରକାର ଏଥିପାଇଁ ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ କରିଛନ୍ତି। ସେହିପରି ସେବାୟତଙ୍କ ନୀତି ବନ୍ଦ ଯୋଗୁଁ ମେ ମାସରେ ଚାରି ଦିନ ପର୍ଯ୍ୟନ୍ତ ମହାପ୍ରସାଦ ବାହାରି ପାରିନଥିଲା। ଫଳରେ ଶ୍ରୀମନ୍ଦିର ପ୍ରଶାସନ ବିବାଦରେ ରହିଥିଲା। ଏବେ ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଅସମ୍ମାନ ଘଟଣାକୁ ନେଇ ଶ୍ରୀମନ୍ଦିର ପୁଣି ଚର୍ଚ୍ଚାକୁ ଆସିଛି।

Comment