ଫକୀର ମୋହନ ନାହାକ

ଭଗବାନ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ତଥା ଭକ୍ତିମାର୍ଗର ପ୍ରବର୍ତ୍ତକ ଶ୍ରୀଚୈତନ୍ୟଙ୍କ ଜନ୍ମସ୍ଥାନ ନଦିଆ ନବଦ୍ୱୀପର ମାୟାପୁର। ଗଙ୍ଗା ଓ ଜଳାଙ୍ଗି ନଦୀର ସଂଗମ ସ୍ଥଳରେ ରହିଛି ଏହି ଆଧ୍ୟାତ୍ମିକ କେନ୍ଦ୍ର। ଏଠାରେ ରହିଛି ଗୌଡୀୟ ବୈଷ୍ଣବମାନଙ୍କ ମଠ ଓ ଅନ୍ତର୍ଜାତୀୟ କୃଷ୍ଣ ଚେତନା ସଂଘର ପ୍ରତିଷ୍ଠାତା ସ୍ୱାମୀଶ୍ରୀଳ ପ୍ରଭୁପାଦଙ୍କ ଏକ ସୁରମ୍ୟ ସମାଧି ମନ୍ଦିର।

ବଙ୍ଗ ସହିତ ଉତ୍କଳର ସମ୍ପର୍କ ଅତି ପୁରୁଣା, ଅତି ନିବିଡ। ଭାଷା, ଭାବ, ଚାଲିଚଳଣି ସବୁଥିରେ ରହିଛି ସମାନତା। କେହି କେହି କହନ୍ତି, ଓଡିଆ ବଙ୍ଗଳା ଦୁଇ ଭଉଣୀ। ପରସ୍ପରକୁ ଜାବୁଡି ଧରିଛନ୍ତି ନଖକୁ ମାଂସ ଧରିଲା ଭଳି। ସେମାନଙ୍କ ଆରାଧ୍ୟା ମାଆ ଦୁର୍ଗା, ଆଉ ଆମ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ। ତେବେ ଉଭୟ ସଂସ୍କୃତି ମଧ୍ୟରେ ସମ୍ପର୍କର ସେତୁ ହେଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ବଙ୍ଗୀୟଙ୍କ ଈଷ୍ଟଦେବୀ ଦୁର୍ଗା, କିନ୍ତୁ ଈଷ୍ଟଦେବ ସ୍ୱୟଂ ନୀଳାଚଳବିହାରୀ ଶ୍ରୀଜଗନ୍ନାଥ। ପ୍ରତ୍ୟେକ ବଙ୍ଗୀୟଙ୍କ ହୃଦୟରେ ବିରାଜମାନ କରିଛନ୍ତି ପ୍ରଭୁ। ସେଥିପାଇଁ ତ ପଶ୍ଚିମବଙ୍ଗର ପ୍ରାୟ ପ୍ରତ୍ୟେକ ସ୍ଥାନରେ ରହିଛି ଶ୍ରୀଜଗନ୍ନାଥଙ୍କ ମନ୍ଦିର। କେବଳ କୋଲକାତା ନୁହେଁ, ସାରା ରାଜ୍ୟର ଅଧିକାଂଶ ସ୍ଥାନରେ ପାଳିତ ହୁଏ ରଥଯାତ୍ରା।

ଭଗବାନ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ତଥା ଭକ୍ତିମାର୍ଗର ପ୍ରବର୍ତ୍ତକ ଶ୍ରୀଚୈତନ୍ୟଙ୍କ ଜନ୍ମସ୍ଥାନ ନଦିଆ ନବଦ୍ୱୀପର ମାୟାପୁର। ଗଙ୍ଗା ଓ ଜଳାଙ୍ଗି ନଦୀର ସଂଗମ ସ୍ଥଳରେ ରହିଛି ଏହି ଆଧ୍ୟାତ୍ମିକ କେନ୍ଦ୍ର। ଏଠାରେ ରହିଛି ଗୌଡୀୟ ବୈଷ୍ଣବମାନଙ୍କ ମଠ ଓ ଅନ୍ତର୍ଜାତୀୟ କୃଷ୍ଣ ଚେତନା ସଂଘର ପ୍ରତିଷ୍ଠାତା ସ୍ୱାମୀଶ୍ରୀଳ ପ୍ରଭୁପାଦଙ୍କ ଏକ ସୁରମ୍ୟ ସମାଧି ମନ୍ଦିର। ପ୍ରତିବର୍ଷ ଏଠାରେ ପାଳନ କରାଯାଏ ରଥଯାତ୍ରା। କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ବହୁସଂଖ୍ୟାରେ ଭକ୍ତ ଆସନ୍ତି ଜଗନ୍ନାଥ ପ୍ରେମରେ ଉଦବୁଦ୍ଧ ହେବାପାଇଁ।

ପଶ୍ଚିମବଙ୍ଗର ସବୁଠୁ ପୁରୁଣା ରଥଯାତ୍ରାର ଆୟୋଜନ ଓ ଶ୍ରୀଜଗନ୍ନାଥ ମନ୍ଦିର ରହିଛି ହୁଗୁଳି ଜିଲ୍ଲା ଶ୍ରୀରାମପୁରର ମାହେଶରେ। ଏ ବର୍ଷ ଏଠାକାର ରଥ ଯାତ୍ରାକୁ ହେଉଛି ୬୧୭ ବର୍ଷ। ମାହେଶ ରଥ ଯାତ୍ରାରେ ସାମିଲ ହୁଅନ୍ତି ୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ। ପୁରୀ ଶ୍ରୀକ୍ଷେତ୍ରର ରଥଯାତ୍ରା ପରେ ମାହେଶର ରଥଯାତ୍ରା ଦ୍ୱିତୀୟ ସର୍ବପୁରାତନ ରଥଯାତ୍ରା। ଏଠାରେ ଶ୍ରୀବିଗ୍ରହଙ୍କ ପ୍ରତିଷ୍ଠା ଓ ରଥଯାତ୍ରା ଆୟୋଜନ ପଛରେ ବି ରହିଛି ଏକ ରୋଚକ କାହାଣୀ।

ଚତୁର୍ଦ୍ଧଶ ଶତାବ୍ଦୀର କଥା। ସେତେବେଳେ ଶ୍ରୀରାମପୁରରେ ରହୁଥିଲେ ଜଣେ ସାଧୁ ଦୃବାନନ୍ଦ ବ୍ରହ୍ମଚାରୀ। ସେ ଥିଲେ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ। ଏକଦା ମନସ୍ଥ କରିଥିଲେ, ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ନିଜ ହାତରେ ନୈବେଦ୍ୟ ଅର୍ପଣ କରିବେ। ସେହି ମନୋକାମନା ସହ ସେ ପହଂଚିଲେ ଶ୍ରୀକ୍ଷେତ୍ରରେ। କିନ୍ତୁ ମନ୍ଦିରର ପୂଜକମାନେ ତାଙ୍କୁ ବ୍ୟକ୍ତିଗତ ଭାବେ ନୈବେଦ୍ୟ ଅର୍ପଣ କରିବାରୁ ବାରଣ କଲେ। ଏଥିରେ ମର୍ମାହତ ହୋଇ ସେ ଶ୍ରୀମନ୍ଦିର ପରିସରରେ ହିଁ ଅନଶନରେ ବସିପଡିଲେ। ହେଲେ ଶ୍ରୀଜଗନ୍ନାଥ କି ଛାଡିବାର ଲୋକ? ଭକତ ଭାବରେ ବନ୍ଧା ସେ ଭାବବିନୋଦିଆ ଠାକୁର।

ଅନଶନର ତିନିଦିନ ପରେ ସାଧୁ ଦୃବାନନ୍ଦଙ୍କୁ ସ୍ୱପ୍ନାଦେଶ ହେଲା, “ତୁମେ ଯାଇ ଭାଗୀରଥି କୂଳର ସେହି ସ୍ଥାନରେ ପହଂଚ, ଯାହାର ନାଁ ମାହେଶ। ମୁଁ ନିମ୍ବଦାରୁ ରୂପରେ ସେଠାରେ ପହଂଚିବି। ସେହି ଦାରୁରେ ତୁମେ ଶ୍ରୀବିଗ୍ରହ ନିର୍ମାଣ କରିବ। ତାକୁ ପୂଜା କରିବ। ସେତେବେଳେ ମୁଁ ତୁମ ହାତରୁ ନୈବେଦ୍ୟ ଗ୍ରହଣ କରିବି” ଏହାପରେ ସାଧୁଙ୍କ ତନ୍ଦ୍ରାଛନ୍ନ ଅବସ୍ଥା କୁଆଡେ ଉଭେଇଗଲା। ସେ ମନ ଖୁସିରେ ମାହେଶ ଫେରିଲେ ଏବଂ ମନ୍ଦିର ନିର୍ମାଣ ସହ ବିଗ୍ରହ ସ୍ଥାପନ କଲେ। ତେବେ ଶ୍ରୀବିଗ୍ରହଙ୍କ ରୂପ ଶ୍ରୀକ୍ଷେତ୍ରରେ ଥିବା ଶ୍ରୀବିଗ୍ରହଙ୍କୁଠାରୁ ସାମାନ୍ୟ ଭିନ୍ନ। ସେବେଠାରୁ ଚାଲିଛି ରଥଯାତ୍ରାର ପରଂପରା। କେବଳ ସେତିକି ନୁହେଁ। ଏହି ପୀଠ ସହିତ ଶ୍ରୀଚୈତନ୍ୟଙ୍କ ବି ବିଶେଷ ସଂପର୍କ ରହିଛି। ନଦିଆରୁ ପୁରୀ ଯିବା ବାଟରେ ଏହି ପୀଠକୁ ଆସିଛନ୍ତି ଶ୍ରୀଚୈତନ୍ୟ। ଆଉ ଶ୍ରୀଜଗନ୍ନାଥଙ୍କ ଦର୍ଶନ ମାତ୍ରେ ମୋହାଚ୍ଛନ୍ନ ହୋଇ ଚେତାଶୂନ୍ୟ ହୋଇଛନ୍ତି।

ତେବେ ଏଠାକାର ରଥଯାତ୍ରାରେ ବିଭିନ୍ନ ସମୟରେ ବିଘ୍ନ ଘଟିଛି। କେତେବେଳେ ରଥକୁ କେହି ପୋଡି ଦେଇଛି ତ, ଅନ୍ୟ କେତେବେଳେ ରଥ ଉପରୁ ଡେଇଁ କେହି ଆତ୍ମହତ୍ୟା କରିବା ଯୋଗୁଁ ବିଭିନ୍ନ ସମୟରେ ନୂଆ ରଥ ନିର୍ମାଣ କରାଯାଇଛି। କିନ୍ତୁ ଏବେ ଟଣା ଯାଉଥିବା ରଥଟି ପ୍ରାୟ ଶହେ ବର୍ଷ ହେଲା ବ୍ୟବହାର ହେଉଛି। ଏଠାକାର ପରଂପରା ଅନୁସାରେ ଶ୍ରୀକ୍ଷେତ୍ରରେ ରଥଟଣା ହେବା ପରେ ହିଁ ମାହେଶରେ ରଥଟଣା ହୁଏ।

ମାହେଶ ବ୍ୟତୀତ ଗୁପ୍ତିପଡାର ରଥଯାତ୍ରା ୪୦୦ ବର୍ଷରୁ ବି ପୁରୁଣା। ଏଠାରେ ଏକ ବିରାଟ ରଥରେ ଶ୍ରୀଜିଉମାନଙ୍କୁ ନିଆଯାଏ। ସେହିଭଳି ଚନ୍ଦନନଗରରେ ୨୩୫ ବର୍ଷ ଧରି ପାଳିତ ହେଉଛି ରଥଯାତ୍ରା। ତେବେ ଏକଦା ପୂର୍ବ ଭାରତରେ ମୋଗଲ ସାମ୍ରାଜ୍ୟର କେନ୍ଦ୍ର ଥିବା ମୁର୍ଶିଦାବାଦରେ ରଥଯାତ୍ରାର ଆକର୍ଷଣ ହେଉଛି ଏଠାକାର ରୁପାରଥ। ଆଉ ଶିଳ୍ପନଗରୀ ଦୁର୍ଗାପୁରରେ ରଥଯାତ୍ରାର ଆକର୍ଷଣ ଏଠାକାର ପିତଳ ରଥ। ଏକ ବିରାଟ ପିତଳ ରଥରେ ଶ୍ରୀଜିଉମାନଙ୍କୁ ରଥାରୁଢ କରି ଶ୍ରଦ୍ଧାଳୁମାନେ ଟାଣି ନିଅନ୍ତି ଆଷାଢ ଶୁକ୍ଳ ଦ୍ୱିତୀୟାରେ।

ଏହା ବ୍ୟତୀତ ବୀରଭୂମ, ବାଙ୍କୁଡା, ପୂର୍ବ ଓ ପଶ୍ଚିମ ମେଦିନୀପୁର, ଦୁଇ ଚବିଶ ପ୍ରଗଣା ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଛି ଶ୍ରୀଜଗନ୍ନାଥଙ୍କ ମନ୍ଦିର। ଏହି ସବୁ ସ୍ଥାନରେ ଅତ୍ୟନ୍ତ ଶ୍ରଦ୍ଧା ଓ ନିଷ୍ଠାର ସହ ଲୋକମାନେ ପାଳନ କରନ୍ତି ରଥଯାତ୍ରା। ତେବେ ଉତର ବଙ୍ଗର ମାଲଦା ଓ ସିଲିଗୁଡିରେ ପ୍ରତିବର୍ଷ ରଥଯାତ୍ରା ଆୟୋଜନ କରେ ଅନ୍ତର୍ଜାତୀୟ କୃଷ୍ଣଚେତନା ସଂଘ-ଇସକନ୍।

ମୋଟାମୋଟି ଦେଖିଲେ, ରଥଯାତ୍ରାର ସ୍ଥାନ ବଙ୍ଗଳା ଜୀବନରେ ସ୍ୱତନ୍ତ୍ର। ଏହା ପ୍ରଭାବିତ କରିଛି ସେ ମାଟିର ଭାଷା, ଭାବ, ନୃତ୍ୟ ଆଉ ସଙ୍ଗୀତକୁ। ରବୀନ୍ଦ୍ରନାଥଙ୍କ କଳ୍ପନାକୁ, ବଙ୍କୀମଚନ୍ଦ୍ରଙ୍କ ଲେଖନୀକୁ, ପୁଣି କୁମ୍ଭାରର ଚକକୁ। ୧୮୭୫ର ମାହେଶ ରଥଯାତ୍ରାରେ ହଜି ଯାଇଥିବା ଗୋଟିଏ ଦୃଷ୍ଟିହୀନ କୁନି ଝିଅକୁ ଖୋଜିବାକୁ ଯାଇ ବଙ୍କୀମଚନ୍ଦ୍ର ଲେଖିଥିଲେ କାଳଜୟୀ ଉପନ୍ୟାସ ରାଧାରାଣୀ। ରଥଯାତ୍ରା ଅର୍ଥାତ୍ ଆଷାଢ ଶୁକ୍ଳ ଦ୍ୱିତୀୟାରେ ହିଁ ବଙ୍ଗଳାର ମୂର୍ତିକାର ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତି ଗଢଣର ଶ୍ରୀଗଣେଶ କରେ।

(ଲେଖକ ଜଣେ ଗଣମାଧ୍ୟମ ବ୍ୟକ୍ତିତ୍ୱ ଏବଂ ସଂପ୍ରତି ଏକ ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟରେ ଅଧ୍ୟାପନାରତ)

Comment