ଭାସ୍କର ପରିଛା

ସଂକଳନର ସବୁଠାରୁ ବଡ଼ ଅଥଚ ପାଠକକୁ ଧରି ରଖିପାରିବା ଭଳି ଗପ ହେଉଛି ଏଥର ଫେରୁଛି’। ମଧୁଛନ୍ଦା ଓ ସୂର୍ଯ୍ୟସ୍ନାତଙ୍କ ଭିତରେ ଗଢ଼ି ଉଠିଥିବାଏବେ ଅଛି ଏବେ ନାହିଁସମ୍ପର୍କର ଏକ ମାର୍ମିକ ପରିପ୍ରକାଶ ଏହି ଗଳ୍ପ। ଗପଟିକୁ ପଢିବା ବେଳେ ଏକ ଆବେଗାତ୍ମକ ପରିଧି ଭିତରେ ପାଠକଟି ସନ୍ତରଣ କରିବାକୁ ବାଧ୍ୟ।

ବୃତ୍ତିରେ ସାମ୍ବାଦିକତା ଆଉ ପ୍ରବୃତ୍ତିରେ ସାହିତ୍ୟ – ଇଏ ଏକ ବିରଳ ସଂଯୋଜନା ନହେଲେ ମଧ୍ୟ ଖୁବ୍ ଅଳ୍ପ ସଂଖ୍ୟକ ଯୁବ ଲେଖକ ଅଛନ୍ତି, ଯେଉଁମାନେ ଉଭୟଟିକୁ ସମାନ ଆନ୍ତରିକତା ଓ ସମାନ ଦକ୍ଷତାର ସହ ତୁଲାଇ ଆସିଛନ୍ତି। ସନ୍ତୋଷ କୁମାର ସେମାନଙ୍କ ମଧ୍ୟରୁ ଜଣେ।

ବିଗତ ୧୦ ବର୍ଷ ମଧ୍ୟରେ ଓଡ଼ିଆ ଖବରକାଗଜ ଜଗତରେ ଏହି ଯୁବଗୋଷ୍ଠୀର ଅଭ୍ୟୁଦୟ ଏକ ବିରାଟ ସମ୍ଭାବନାର ଅପେକ୍ଷା ରଖେ। ଅବଶ୍ୟ ସାମ୍ବାଦିକତା ଓ ସାହିତ୍ୟ ଯେ ପରିପୂରକ ଏହା ଢେର ଆଗରୁ ପ୍ରମାଣିତ। ପାର୍ଥକ୍ୟ ଏତିକି କିଏ ଓ କେଉଁ ପିଢ଼ି କେତେ ନିଷ୍ଠାର ସହ ଏହି ଦୁଇଟି କାର୍ଯ୍ୟକୁ ତୁଲାଇପାରୁଛି।

ସନ୍ତୋଷ କୁମାର ଉଭୟ ଖବର ସମ୍ପାଦନା ଓ ଗପ ଲେଖାକୁ ନିଷ୍ଠାର ସହିତ କରିପାରିଛନ୍ତି, ଆଉ ସେହି ନିଷ୍ଠାର ଫଳ ଆଲୋଚ୍ୟ ଗଳ୍ପ ସଂକଳନ ‘ସାତ ଖୁଣ ମାଫ୍’। ପୁସ୍ତକର ପଛରେ ଲେଖକଙ୍କ ପରିଚୟ ବ୍ୟତୀତ ତାଙ୍କ ଗଳ୍ପ ମାନସର ଯେଉଁ ଆଭାସଟିଏ ଦିଆଯାଇଛି ସେଥିରୁ ବେଶ୍ ଅନୁମାନ କରିହେବ ଗଳ୍ପର ଚରିତ୍ର ସବୁ କିଏ, କେଉଁଭଳି ଗପ ସେ ଲେଖିବା ପାଇଁ ପସନ୍ଦ କରନ୍ତି ଓ ଗପର କ୍ୟାନଭାସଟି କେତେ ବଡ଼। ସେ ଅଣୁ ଗପ ବି ଲେଖନ୍ତି, କ୍ଷୁଦ୍ର ଗଳ୍ପ ବି। କିନ୍ତୁ ତାଙ୍କ କହିବା ଅନୁଯାୟୀ ସେ ‘ସାମାଜିକତା’ ଭିତରେ ଆବଦ୍ଧ ହୋଇ ଗଳ୍ପ ରଚନା କରନ୍ତି ନାହିଁ। ଏହିଭଳି ପରୀକ୍ଷା-ନିରୀକ୍ଷା ଭିତରେ ଯେଉଁ ୧୫ଟି ଗଳ୍ପକୁ ସେ ଏହି ସଂକଳନରେ ଗୁନ୍ଥୁଛନ୍ତି ସେ ଗୁଡ଼ିକର ପଠନୀୟତା ଅନସ୍ୱୀକାର୍ଯ୍ୟ।

‘ପ୍ରେମ ଓ ମାନବୀୟ ସଂବେଦନା’ ହେଉଛି ତାଙ୍କ ଗପଲେଖାର ପ୍ରଧାନ ବିଶେଷତ୍ୱ। ଏମିତି ବି ଏଇ ଦୁଇଟିକୁ ଛାଡ଼ି ଅନ୍ୟ କେହି ସଫଳ ଗପ ଲେଖିପାରିବେ ତାହା କହିବା କଷ୍ଟ। ସଂକଳନରେ ସ୍ଥାନିତ ୧୫ଟି ଗଳ୍ପର ଭିନ୍ନ ଭିନ୍ନ ଆବେଦନ ରହିଛି। କେଉଁଠି ଭଲ ପାଇବା ତ ରହିଛି କେଉଁଠି ଆବେଗ, କେଉଁଠି ମଣିଷ ଜୀବନର ଦ୍ୱନ୍ଦ୍ୱ ତ ଆଉ କେଉଁଠି ଅସହାୟତା ଓ ହରାଇବାପଣ – ଏସବୁର ଏକ ମିଶ୍ରିତ ଚିତ୍ର ବହନ କରୁଛି ଏହି କ୍ଷୁଦ୍ରଗଳ୍ପ ସଂକଳନ।

ଗତ ଦଶବର୍ଷ ଭିତରେ ଲେଖାଯାଇଥିବା ଗଳ୍ପଗୁଡିକୁ ଏକାଠି କରି ଗୋଟିଏ ସୂତ୍ରରେ ବାନ୍ଧିବା ନିଶ୍ଚିତରେ ଏକ ପ୍ରଶଂସନୀୟ ଉଦ୍ୟମ। ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ଏହି ଗଳ୍ପଗୁଡିକର ଭାବ ପ୍ରକାଶ ଯେତିକି ସ୍ଵଚ୍ଛନ୍ଦ ଶବ୍ଦର ଗତି ବି ସେତିକି ସାବଲୀଳ।

ସବୁଠୁ ବଡ଼ କଥା ହେଉଛି ସେ ‘ଟ୍ରେଣ୍ଡିଂ’ ବା ସମସାମୟିକ ଶବ୍ଦ ଗୁଡିକୁ ବହୁଳ ଭାବରେ ପ୍ରୟୋଗ କରିଛନ୍ତି ଗପ ଗୁଡିକରେ। ଗଳ୍ପଗୁଡ଼ିକର ଶୀର୍ଷକ ବି ଚମତ୍କାର।’ ନିଦକୁ ନେଇ ଗୋଟିଏ କନଫେସନ’, ‘ସାଂଚୁ ରିକ୍ସାବାଲାର ଉଇଲ’, ‘ବେଡ଼ ନଂ ୨୪ର ପ୍ରେମିକା’, ‘ଅପରାହ୍ନର ଲେନ୍ସ ତଳୁ’, ‘ଭୋକ ଦେହରେ ଜୋକ’, ‘ରାତି ପାହିଲେ ସକାଳ’ ଇତ୍ୟାଦି। ପ୍ରତ୍ୟେକଟି ଗପରେ ଯୁବମାନସର ପ୍ରତିଫଳନ ଘଟିଛି। କେଉଁଠି କେଉଁଠି ମୂଲ୍ୟବୋଧ କଥା ବି ଆସୁଛି ତ ଆଉ କେଉଁଠି ଗାଁ ଛାଡ଼ି ସହରକୁ ଆସିବା ପରେ ସୃଷ୍ଟି ହୋଇଥିବା ଭାବାବେଗ।

ସଂକଳନର ସବୁଠାରୁ ବଡ଼ ଅଥଚ ପାଠକକୁ ଧରି ରଖିପାରିବା ଭଳି ଗପ ହେଉଛି ‘ଏଥର ଫେରୁଛି’। ମଧୁଛନ୍ଦା ଓ ସୂର୍ଯ୍ୟସ୍ନାତଙ୍କ ଭିତରେ ଗଢ଼ି ଉଠିଥିବା ‘ଏବେ ଅଛି ଏବେ ନାହିଁ’ ସମ୍ପର୍କର ଏକ ମାର୍ମିକ ପରିପ୍ରକାଶ ଏହି ଗଳ୍ପ। ଗପଟିକୁ ପଢିବା ବେଳେ ଏକ ଆବେଗାତ୍ମକ ପରିଧି ଭିତରେ ପାଠକଟି ସନ୍ତରଣ କରିବାକୁ ବାଧ୍ୟ।

କାଳୀପ୍ରସାଦ ଦାଶଙ୍କ ପ୍ରଚ୍ଛଦ ଓ ପ୍ରତିଟି ଗଳ୍ପର ଆରମ୍ଭରେ ଗୋଟିଏ ଗୋଟିଏ ସ୍କେଚ ସଂକଳନର ଓଜନକୁ ଦମଦାର କରିପାରିଛି। ‘ସାତ ଖୁଣ ମାଫ୍’ ଏକ ଭଲ ରଚନାତ୍ମକ ଉଦ୍ୟମ। ଓଡ଼ିଆ ଗଳ୍ପ ସାହିତ୍ୟର ଅସଂଖ୍ୟ ଗଳ୍ପ ସଂକଳନ ଭିତରେ ଏହା ସ୍ଥାନ ଅଧିକାର କରିବ ଏହି ବିଶ୍ୱାସ ରହିଛି।

ସାତ ଖୁଣ ମାଫ୍(ଗଳ୍ପ ସଂକଳନ)

ସନ୍ତୋଷ କୁମାର ଡଟ ପବ୍ଲିକେସନ୍ସ, ଭୁବନେଶ୍ୱର

ମୂଲ୍ୟ ୮୮ ଟଙ୍କା

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment