ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ। ଆସନ୍ତା ଶୁକ୍ରବାର ଦିନ ମୋଦି ସରକାର ଦେବେ ଅଗ୍ନି ପରୀକ୍ଷା।

ଚାରି ବର୍ଷର ଶାସନ ପରେ ମୋଦି ସରକାର ଲୋକସଭାରେ ପ୍ରଥମ ଥର ପାଇଁ ଅଗ୍ନିପରୀକ୍ଷା ଦେବାକୁ ଯାଉଛନ୍ତି। ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ସୁମିତ୍ରା ମହାଜନ ଗ୍ରହଣ କରିନେଛନ୍ତି। ଶୁକ୍ରବାର ଏ ସମ୍ପର୍କରେ ଲୋକସଭାରେ ଆଲୋଚନା କରାଯିବ।

ଗତ ବଜେଟ୍ ଅଧିବେଶନ ବେଳେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଟିଡିପି ଏବଂ ୱାଏସ୍‌ଆର୍ କଂଗ୍ରେସ ଦାବି କରିଥିଲେ। ହେଲେ ଏହି ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରି ନଥିଲେ। ଫଳରେ ଏନଡିଏରୁ ସମର୍ଥନ ପତ୍ୟାହାର କରିନେଇଥିଲା ଟିଡିପି। ଏହି ପରିପ୍ରେକ୍ଷୀରେ ଟିଡିପି ଏବଂ ୱାଏସ୍‌ଆର୍ କଂଗ୍ରେସ ଏନଡିଏ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। କିନ୍ତୁ ସେତେବେଳ ବାଚସ୍ପତି ଏହାକୁ ଗ୍ରହଣ କରି ନଥିଲେ। ଅନାସ୍ଥା ନୋଟିସ୍‌ରେ ୫୦ ଜଣ ସଭ୍ୟଙ୍କ ଦସ୍ତଖତ ରହିବା ଆବଶ୍ୟକ ବୋଲି କହିଥିଲେ।

ଏହି ପ୍ରସଙ୍ଗକୁ ନେଇ ସେତେବେଳେ ହୋ-ହଲ୍ଲା ଚାଲିଥିଲା। ଫଳରେ ବାଚସ୍ପତି ଗୃହକୁ ମୁଲତବୀ କରି ଦେଇଥିଲେ। ମୌସୁମୀ ଅଧିବେଶନ ଆରମ୍ଭରୁ ଏହି ପ୍ରସଙ୍ଗ ଉଠିଛି। ବିରୋଧୀଙ୍କ ଅନାସ୍ଥା ନୋଟିସକୁ ବାଚସ୍ପତି ଗ୍ରହଣ କରିଛନ୍ତି। ଶୁକ୍ରବାର ଦିନ ଏନେଇ ଆଲୋଚନା ହେବ। ଟିଡିପି ଆଣିଥିବା ଆନାସ୍ଥା ପ୍ରସ୍ତାବକୁ କଂଗ୍ରେସ ସମର୍ଥନ କରୁଛି।

ଅନାସ୍ଥା ପ୍ରସ୍ତାବକୁ ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ବିଜେପି କହିଛି। ଏପଟେ କଂଗ୍ରେସ ମଧ୍ୟ ଅନାସ୍ଥା ପ୍ରସ୍ତାବରେ ସରକାରଙ୍କୁ ଅଡ଼ୁଆରେ ପକାଇବା ଲାଗି ଯୋଜନା ଆରମ୍ଭ କରିଛି।

ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧି କହିଛନ୍ତି, “ଆମ ପାଖରେ ସଖ୍ୟାବଳ ରହିଛି। ସଂଖ୍ୟାଧିକ ସାଂସଦମାନଙ୍କର ସମର୍ଥନ ରହିଛି। ଅନାସ୍ଥା ପ୍ରସ୍ତାବକୁ ସମ୍ମୁଖୀନ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ।”

Comment