ଶୁଭ୍ରାଂଶୁ ପଣ୍ଡା

ତିନି ରଥରେ ବିଜେ କରି ତିନି ଠାକୁର ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି କିନ୍ତୁ ଏହି ରଥରେ ଆଉ ତିନି ଦିଅଁ ମଧ୍ୟ ବିରାଜମାନ କରିଥାନ୍ତି ତେବେ ଏହି ତିନି ରଥରେ ଛଅ ଠାକୁର କିଏ ଜାଣନ୍ତୁ

ଆରମ୍ଭ ହୋଇଯାଇଛି ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର ଭିତରେ ତିନି ରଥର ଯାତ୍ରା ତିନୋଟି ନଉକାର ଭ୍ରମ ସୃଷ୍ଟି କରୁଛି। ରଥାରୁଢ଼ ହୋଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି ଜଗତର ନାଥ ଜଗନ୍ନାଥ। ତାଙ୍କ ସହ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ର ସୁଦର୍ଶନ ମଧ୍ୟ ଶ୍ରୀମନ୍ଦିରରୁ ବାହାରି ଯାଇଛନ୍ତି ଭକ୍ତଙ୍କର ଭିଡ଼କୁ।

କେମିତି ତିଆରି ହୁଏ ଏହି ତିନି ରଥ? କ’ଣ ରହିଛି ରଥର ନିର୍ମାଣ ବିଧି? କେଉଁ ରଥରେ କିଏ ହୁଅନ୍ତି ସବାର ଆଉ ଏ ସବୁ ରଥର ବୈଶିଷ୍ଟ୍ୟ ବାବଦରେ ଜାଣିବା ଏଇ ଆଲେଖରେ।

ରଥ ନିର୍ମାଣରେ ଶାଳ, ଅସନ, ଧଉରା, ଫାଶି, ବାନ୍ଧଣ ଓ ପିଆଶାଳ ପ୍ରଭୃତି କାଠ ବ୍ୟବହାର କରାଯାଇଥାଏ। ପରମ୍ପରା ଅନୁସାରେ ପ୍ରତିବର୍ଷ ପ୍ରାୟ ୧୩,୦୦୦ ଘନଫୁଟ କାଠ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅଞ୍ଚଳରୁ ଆସିଥାଏ। ପୁରୁଣା କାଳରେ ମହାନଦୀ ଜଳପଥ ଦେଇ କାଠଭେଳା ମାନ ଅଣାଯାଉଥିବା ବେଳେ ସଂପ୍ରତି ଟ୍ରକ୍ ଯୋଗେ ଦଶପଲ୍ଲାରୁ ପୁରୀ କାଠ ପରିବହନ କରାଯାଉଛି। ଅକ୍ଷୟ ତୃତୀୟା ଦିନଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ।

ପରମ୍ପରା କ୍ରମେ ବିଶ୍ୱକର୍ମା-ମହାରଣା ସେବକମାନେ ପିଢ଼ି ପରେ ପିଢ଼ି ରଥନିର୍ମାଣ କାର୍ଯ୍ୟ କରୁଥିବା ବେଳେ କରତି ସେବକ ଓ ଭୋଇ ସେବକମାନେ ସେମାନଙ୍କ ସହକାରୀ ଭାବେ କାର୍ଯ୍ୟ କରିଥାଆନ୍ତି। କମାର ସେବକ ରଥ ପାଇଁ କଣ୍ଟା ଓ ଅନ୍ୟାନ୍ୟ ଧାତବ ସରଂଜାମ ପ୍ରସ୍ତୁତ କରିଥାଆନ୍ତି। ଦରଜୀ ସେବକ କପଡ଼ା ପ୍ରସ୍ତୁତ କରୁଥିବା ବେଳେ ରୂପକାର ସେବକ ରଥରେ ଖୋଦେଇ ଓ ରଙ୍ଗକାମ କରିଥାଆନ୍ତି।

ବଡ଼ଦାଣ୍ଡ ରଥ ଖଳାରେ ମୋଟ ୩ଟି ରଥ ନିର୍ମାଣ କରାଯାଏ। ବଳଭଦ୍ର ତାଳଧ୍ୱଜ ରଥରେ ବିଜେ ହେଉଥିବା ବେଳେ ସୁଭଦ୍ରା ଦର୍ପଦଳନ ଓ ଜଗନ୍ନାଥ ନନ୍ଦିଘୋଷ ରଥ ଚଢ଼ି ଶ୍ରୀଗୁଣ୍ଡିଚା ଯାତ୍ରା କରିଥାଆନ୍ତି।

ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ସେବକ ବିଜୟ ମହାପାତ୍ର କହନ୍ତି, “ପ୍ରତି ରଥର ନିର୍ମାଣ ଶୈଳୀ ସମାନ ହୋଇଥିଲେ ହେଁ ସେସବୁର ଉଚ୍ଚତା, ଚକ ସଂଖ୍ୟା, ଗୋଲେଇ, କପଡ଼ାର ରଙ୍ଗ ଓ ଅନ୍ୟାନ୍ୟ ବହୁ ବୈଶିଷ୍ଟ୍ୟରେ ବିଭିନ୍ନତା ରହିଛି। ଆମେ ବଂଶାନୁକ୍ରମିକ ପରମ୍ପରା ଅନୁସାରେ ରଥନିର୍ମାଣ କରିଆସୁଛୁ। ମୁଁ ମାତ୍ର ୧୨ ବର୍ଷ ବୟସରୁ ଠାକୁରଙ୍କ କାମରେ ଯୋଗ ଦେଇଥିଲି। ବାପାଙ୍କ ମୃତ୍ୟୁ ପରେ ମୁଁ ଜଗନ୍ନାଥଙ୍କ ମୁଖ୍ୟ ମହାରଣା ଭାବେ କାର୍ଯ୍ୟ କରିଆସୁଛି। ରଥ ନିର୍ମାଣ ପାଇଁ ଆମେ କୌଣସି ମାପଯନ୍ତ୍ର ବ୍ୟବହାର କରୁନାହୁଁ। ହାତ ସାହାଯ୍ୟରେ ମାପ କରାଯାଇ ରଥ କାଠ କଟାଯାଇଥାଏ”।

ନନ୍ଦିଘୋଷ

ଏହି ରଥକୁ ଗରୁଡ଼ଧ୍ୱଜ ବା କପିଳଧ୍ୱଜ ବୋଲି ମଧ୍ୟ କୁହାଯାଏ। ଶ୍ରୀ ଜଗନ୍ନାଥ ଏହି ରଥରେ ମଦନମୋହନଙ୍କ ସହ ଯାତ୍ରା କରିଥାଆନ୍ତି। ୪୪ ଫୁଟ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ରଥ ୮୩୨ ଖଣ୍ଡ କାଠରେ ତିଆରି। ଏଥିରେ ୭ ଫୁଟ ବ୍ୟାସ ବିଶିଷ୍ଟ ୧୬ ଗୋଟି ଚକ ରହିଛି।

ନନ୍ଦିଘୋଷ ରଥକୁ ନାଲି ଓ ହଳଦି ରଙ୍ଗର କପଡ଼ାରେ ଆଚ୍ଛାଦନ କରାଯାଇଥାଏ। ଗରୁଡ଼ ଏହି ରଥକୁ ଜଗୁଥିବା ବେଳେ ଦାରୁକ ସାରଥି ଭାବେ ରହିଥାଆନ୍ତି। ତ୍ରୈଲୋକ୍ୟମୋହିନୀ ହେଉଛନ୍ତି ଏହି ରଥର ପତାକା। ଶଙ୍ଖଚୂଡ଼ ନାଗୁଣୀ ଏହି ରଥର ଦଉଡ଼ି ସାଜିଛନ୍ତି। ବରାହ, ନୃସିଂହ, ଗୋପୀକୃଷ୍ଣ, ଗୋବର୍ଧନ, ରାମ, ନାରାୟଣ, ତ୍ରିବିକ୍ରମ, ହନୁମାନ ଓ ରୁଦ୍ର ହେଉଛନ୍ତି ଏ ରଥର ନବ ଦେବତା। ଏହି ରଥ ବଡ଼ଦାଣ୍ଡରେ ସର୍ବ ଶେଷରେ ଯାତ୍ରା କରିଥାଏ।

ତାଳଧ୍ୱଜ

ଏହି ରଥକୁ ଲଙ୍ଗଳଧ୍ୱଜ ବୋଲି ମଧ୍ୟ କୁହାଯାଏ। ଶ୍ରୀ ବଳଭଦ୍ର ଏହି ରଥରେ ରାମକୃଷ୍ଣଙ୍କ ସହ ଯାତ୍ରା କରିଥାଆନ୍ତି। ୪୩ ଫୁଟ ୩ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ରଥ ୭୬୩ ଖଣ୍ଡ କାଠରେ ତିଆରି। ଏଥିରେ ୭ ଫୁଟ ବ୍ୟାସ ବିଶିଷ୍ଟ ୧୪ ଗୋଟି ଚକ ରହିଛି।

ତାଳଧ୍ୱଜ ରଥକୁ ନାଲି ଓ ସବୁଜ ରଙ୍ଗର କପଡ଼ାରେ ଆଚ୍ଛାଦନ କରାଯାଇଥାଏ। ବସୁଦେବ ଏହି ରଥକୁ ଜଗୁଥିବା ବେଳେ ମାତଳି ସାରଥି ଭାବେ ରହିଥାଆନ୍ତି। ଉନ୍ନନୀ ହେଉଛନ୍ତି ଏହି ରଥର ପତାକା। ବାସୁକୀ ଏହି ରଥର ଦଉଡ଼ି ସାଜିଛନ୍ତି। ଗଣେଶ, କାର୍ତ୍ତିକ, ସର୍ବମଙ୍ଗଳା, ପ୍ରଲମ୍ବରୀ,  ହଟାୟୁଧ, ମୃତ୍ୟୁଞ୍ଜୟ, ନତାମ୍ବର, ମୁକ୍ତେଶ୍ୱର ଓ ଶେଷଦେବ ହେଉଛନ୍ତି ଏ ରଥର ନବ ଦେବତା। ଏହି ରଥ ବଡ଼ଦାଣ୍ଡରେ ସର୍ବ ପ୍ରଥମେ ଯାତ୍ରା କରିଥାଏ।

ଦର୍ପଦଳନ

ଏହି ରଥକୁ ଦେବଦଳନ ଓ ପଦ୍ମଧ୍ୱଜ ବୋଲି ମଧ୍ୟ କୁହାଯାଏ। ଦେବୀ ପାର୍ବତୀ ଏହି ରଥରେ ସୁଦର୍ଶନଙ୍କ ସହ ଯାତ୍ରା କରିଥାଆନ୍ତି। ୪୨ ଫୁଟ ୩ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ରଥ ୫୯୩ ଖଣ୍ଡ କାଠରେ ତିଆରି। ଏଥିରେ ୭ ଫୁଟ ବ୍ୟାସ ବିଶିଷ୍ଟ ୧୨ ଗୋଟି ଚକ ରହିଛି। ଦର୍ପଦଳନ ରଥକୁ ନାଲି ଓ କଳା ରଙ୍ଗର କପଡ଼ାରେ ଆଚ୍ଛାଦନ କରାଯାଇଥାଏ।

ଜୟଦୁର୍ଗା ଏହି ରଥକୁ ଜଗୁଥିବା ବେଳେ ଅର୍ଜୁନ ସାରଥି ଭାବେ ରହିଥାଆନ୍ତି। ନାଦମ୍ବିକା ହେଉଛନ୍ତି ଏହି ରଥର ପତାକା। ସ୍ୱର୍ଣ୍ଣଚୂଡ଼ ନାଗୁଣୀ ଏହି ରଥର ଦଉଡ଼ି ସାଜିଛନ୍ତି। ଚଣ୍ଡୀ, ଚାମୁଣ୍ଡା, ଉଗ୍ରତାରା, ବନଦୁର୍ଗା, ଶୁଳିଦୁର୍ଗା, ବରାହୀ, ଶ୍ୟାମାକାଳୀ, ମଙ୍ଗଳା ଓ ବିମଳା ହେଉଛନ୍ତି ଏ ରଥର ନବ ଦେବୀ। ଏହି ରଥ ବଡ଼ଦାଣ୍ଡରେ ନନ୍ଦିଘୋଷ ଆଗରେ ଓ ତାଳଧ୍ୱଜ ପଛରେ ଯାତ୍ରା କରିଥାଏ।

Comment