ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଟିଳ ରୋଗରେ ପୀଡ଼ିତ ୫ ବର୍ଷର ଶିଶୁ କାହ୍ନା। କାହ୍ନାର ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପର। ଆସନ୍ତା ଗୁରୁବାର ଦିନ ହେବ କାହ୍ନାର ଅସ୍ତ୍ରୋପଚାର।

ଭଗବାନଙ୍କ ସୃଷ୍ଟି ବଡ ବିଚିତ୍ର। ଅଭାବୀ ମଣିଷକୁ ଭଗବାନ ଦେଇଥାନ୍ତି ଜଟିଳ ସମସ୍ୟା। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବାଘୁଆ ଗ୍ରାମରେ ଏକ ଗରିବ ଓ ଅସହାୟ ପରିବାରରେ ଜନ୍ମିତ କାହ୍ନା।

୫ବର୍ଷର ଶିଶୁ କାହ୍ନା ମୁହଁରେ ଲୋମ ବଢ଼ୁଛି। ମୁହଁସାରା ବି ଫୋଟକା। ଏମିତି ଚେହେରା ହୋଇଛି, ଶିଶୁଟି ନିଜେ ନିଜକୁ ଆଇନା ସମ୍ମୁଖରେ ଦେଖି ଡରୁଛି। ଏହି ଚେହେରା ପାଇଁ ସେ ବାହାରକୁ ବାହାରି ପାରୁନି। ପ୍ରତି ମୁହୁହୂର୍ତ୍ତରେ ଦୁର୍ବିସହ ଜୀବନ ବିତାଉଛି ଏହି ଶିଶୁଟି।

ବାଘୁଆ ଗାଁର ରାମଚନ୍ଦ୍ର ନାଇକ ଓ ମମତାଙ୍କ ୫ବର୍ଷର ପୁଅ କାହ୍ନା। ଜନ୍ମ ବେଳେ କାହ୍ନା ସ୍ଵାଭାବିକ ଭାବେ ଜନ୍ମ ନେଇଥିଲା। ହଠାତ ଜନ୍ମର ୬ମାସ ପରେ ଧୀରେଧୀରେ ମୁହଁ, ଗୋଡ଼ ଓ ହାତରେ ଲୋମ ବାହାରିବା ଆରମ୍ଭ ହୋଇଥିଲା। ମୁହଁରେ ବଡ଼ବଡ଼ ଫୋଟକା ବାହାରିପଡ଼ିଲା। ଫଳରେ ବ୍ରହ୍ମପୁର ମେଡିକାଲକୁ ୨ଥର ନେଇ କାହାନାର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ଏଭଳି ରୋଗର ଚିକିତ୍ସା ହୋଇପାରିବ ନାହିଁ ବୋଲି କହି ଡାକ୍ତର ଫେରାଇଦେଇଥିଲେ। ସେଦିନଠାରୁ କାହ୍ନାର ଜୀବନ ସେମିତି ଅଭିଶପ୍ତ ପାଲଟି ଯାଇଥିଲା।

ପିଲାର ଏଭଳି ଚେହେରାକୁ ନେଇ ସାଙ୍ଗ ସାଥିଠାରୁ ଆରମ୍ଭ କରି ସାହି ପଡ଼ିଶା ସମସ୍ତେ ଟାହି ଟାପରା କରୁଥିବା ବେଳେ ଭାଙ୍ଗି ପଡ଼ିଥିଲେ ବାପା ମାଆ। ଏନେଇ ବିଭିନ୍ନ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇଥିଲା।

ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହ୍ନା ବିଷୟରେ ଟୁଇଟରରେ ପୋଷ୍ଟ କରିଥିଲେ। କାହ୍ନାର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟରରେ କହିଥିଲେ। ଏହାପରେ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ କାହ୍ନାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।

କାହ୍ନାକୁ ବ୍ରହ୍ମପୁରସ୍ଥିତ ସିଡିଏମଓଙ୍କ କାର୍ଯ୍ୟାଳୟକୁ ଅଣାଯିବା ପରେ ତାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୪ ଜଣିଆ ପ୍ଲାଷ୍ଟିକ ସର୍ଜରୀ ବିଭାଗ ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ଏହି ସ୍ୱତନ୍ତ୍ର ଟିମ୍‌ କାହ୍ନାଙ୍କ ବିଭିନ୍ନ ପରୀକ୍ଷା ଆରମ୍ଭ କରିଥିବା ସୂଚନା ମିଳିଛି।

ଆସନ୍ତା ଗୁରୁବାରଦିନ କାହ୍ନାର ଅପରେଶନ ହେବ ବୋଲି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।

Comment