ଓଡ଼ିଶାଲାଇଭ୍‌ ବ୍ୟୁରୋ

ତିନିଠାକୁର ରଥ ଉପରେ ବିଜେ କରିବା ପରେ ଆରମ୍ଭ ହୋଇଛି ଛେରାପହଁରା ନୀତିକାର୍ଯ୍ୟ। ପ୍ରଥମ ସେବକ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କାର୍ଯ୍ୟ କରୁଛନ୍ତି।

ଛେରା ପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତକ, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ରହିଥାଏ।

ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିଥିଲେ। ଏହାପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ରଥ ଉପରେ ଛେରା ପହଁରା ନୀତି କାର୍ଯ୍ୟ ହେଉଛି।

ଆଡ଼ପମଣ୍ଡପରେ ଖେଚୁଡ଼ି ଖାଇ ଚତୁର୍ଦ୍ଧାମୂର୍ତ୍ତି ରଥଉପରକୁ ପହଣ୍ଡିବିଜେ କରିଛନ୍ତି। ନାକଚଣା ଦ୍ୱାର ସମ୍ମୁଖରେ ପ୍ରଭୁଙ୍କୁ ଅପେକ୍ଷା କରିଥିବା  ତାଳଧ୍ୱଜ, ନନ୍ଦିଘୋଷ ଏବଂ ଦର୍ପଦଳନ ରଥରେ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି।

ଘଣ୍ଟ, ଘଣ୍ଟା, କାହାଳି ଓ ମୃଦଙ୍ଗ ବାଦ୍ୟରେ କମ୍ପିଉଠୁଛି ଶରଧାବାଲି। ଅପରାହ୍ଣ ୪ଟାରେ ରଥଟଣା ଯିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏହାପୂର୍ବରୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇପାରେ।

ସକାଳ ୪ଟାରେ ଆଡ଼ପମଣ୍ଡପରେ ଶ୍ରୀଜୀଉଙ୍କୁ ମଙ୍ଗଳଆଳତି କରାଯାଇଥିଲା। ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳପୂଜା ପରେ ସେବକମାନେ ପ୍ରଭୁଙ୍କୁ ବେଶ କରିଥିଲେ। ଏହାପରେ ଗୋପାଳବଲ୍ଲଭ ଏବଂ ସକାଳଧୂପ ଅନୁଷ୍ଠିତ ହୋଇଥିଲା। ସେନାପଟା ଲାଗି ପରେ ମଙ୍ଗଳାର୍ପଣ କରାଯିବ।

ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ପିନ୍ଧି ମହାପ୍ରଭୁ ପହଣ୍ଡିରେ ବାହାରିଥିଲେ। ପ୍ରଭୁଙ୍କୁ ଧାଡିପହଣ୍ଡିରେ ନିଆଯାଇଥିଲା। ଫେରିବା ବେଳେ ମାଉସୀମା’ ମନ୍ଦିର ନିକଟରେ ତିନିଠାକୁରଙ୍କୁ ପୋଡପିଠା ଭୋଗ କରାଯିବ।

ଜଗନ୍ନାଥ ମହାପ୍ରଭୁଙ୍କ ରଥ ମରିଚିକୋଟ ନିକଟସ୍ଥ ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀନାରାୟଣ ଭେଟ ହେବ। ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପାଇ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ଯିବାପରେ ନନ୍ଦିଘୋଷ ରଥ ସିଂହଦ୍ୱାରକୁ ଯିବ।

ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଯେଉଁ ଶ୍ରଦ୍ଧାଳୁମାନେ ପୁରୀ ଆସି ନଥିବେ ସେମାନଙ୍କ ପାଖରେ ବାହୁଡ଼ାଯାତ୍ରାର ସିଧାପ୍ରସାରଣ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ସୋସିଆଲ ଚ୍ୟାନେଲ ମାଧ୍ୟମରେ ପହଞ୍ଚିପାରିଛି।

ସକାଳ ୭ଟା ୩୦ରୁ ଓଡ଼ିଶାଲାଇଭ୍‌ର ନ୍ୟୁଜ୍‍ ପୋର୍ଟାଲ (www.odisha.live) ସହିତ ଫେସବୁକ ପେଜ୍‍ (www.facebook.com/odishalive) ଏବଂ ୟୁଟ୍ୟୁବ୍‍ ଚ୍ୟାନେଲରେ (www.youtube.com/odishalive) ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ାଯାତ୍ରାର ସିଧାପ୍ରସାରଣ ଆରମ୍ଭ ହୋଇଛି।

ଦେଶବିଦେଶର ଦର୍ଶକମାନେ କମ୍ପ୍ୟୁଟର, ଲାପଟପ, ଟ୍ୟାବ୍‍ ଏବଂ ମୋବାଇଲ ଫୋନ ମାଧ୍ୟମରେ ଏହି ସିଧାପ୍ରସାରଣ କାର୍ଯ୍ୟକ୍ରମ ଦେଖିପାରିବେ। ଓଡ଼ିଶା ତଥା ବାହାରର ଦର୍ଶକମାନଙ୍କ ସୁବିଧା ପାଇଁ ନ୍ୟୁଜ୍‍ ପୋର୍ଟାଲ (www.odisha.live) ସହିତ ଫେସବୁକ ପେଜ୍‍ (www.facebook.com/odishalive) ଏବଂ ୟୁଟ୍ୟୁବ୍‍ ଚ୍ୟାନେଲରେ (www.youtube.com/odishalive) ଏହି ସିଧାପ୍ରସାରଣର କରାଯାଉଛି।

Comment