ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଡ଼ପମଣ୍ଡପରେ ୭ଦିନ ଅବସ୍ଥାନ ପରେ ଆଜି ଶ୍ରୀମନ୍ଦିର ବାହୁଡ଼ୁଛନ୍ତି ଦାରୁବ୍ରହ୍ମ। ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବ ତିନିରଥ। ପ୍ରିୟଭକ୍ତଙ୍କ ସହ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ରଥରେ ବସି ବାହୁଡା ଯାତ୍ରା କରିବେ।

ଆଡ଼ପମଣ୍ଡପରେ ଖେଚୁଡ଼ି ଖାଇ ଚତୁର୍ଦ୍ଧାମୂର୍ତ୍ତି ରଥଉପରକୁ ପହଣ୍ଡି ବିଜେ କରିଛନ୍ତି। ନାକଚଣା ଦ୍ୱାର ସମ୍ମୁଖରେ ପ୍ରଭୁଙ୍କୁ ଅପେକ୍ଷା କରିଥିବା  ତାଳଧ୍ୱଜ, ନନ୍ଦିଘୋଷ ଏବଂ ଦର୍ପଦଳନ ରଥରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି।

ଘଣ୍ଟ, ଘଣ୍ଟା, କାହାଳି ଓ ମୃଦଙ୍ଗ ବାଦ୍ୟରେ କମ୍ପିଉଠୁଛି ଶରଧାବାଲି। ପ୍ରଥମ ସେବକ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ରଥରେ ଛେରାପହଁରା କରିବା ପାଇଁ ପହଞ୍ଚିଛନ୍ତି। ଅପରାହ୍ଣ ୪ଟାରେ ରଥଟଣା ଯିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏହାପୂର୍ବରୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇପାରେ।

ସକାଳ ୪ଟାରେ ଆଡ଼ପମଣ୍ଡପରେ ଶ୍ରୀଜୀଉଙ୍କୁ ମଙ୍ଗଳଆଳତି କରାଯାଇଥିଲା। ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳପୂଜା ପରେ ସେବକମାନେ ପ୍ରଭୁଙ୍କୁ ବେଶ କରିଥିଲେ। ଏହାପରେ ଗୋପାଳବଲ୍ଲଭ ଏବଂ ସକାଳଧୂପ ଅନୁଷ୍ଠିତ ହୋଇଥିଲା। ସେନାପଟା ଲାଗି ପରେ ମଙ୍ଗଳାର୍ପଣ କରାଯିବ।

ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ପିନ୍ଧି ମହାପ୍ରଭୁ ପହଣ୍ଡିରେ ବାହାରିଥିଲେ। ପ୍ରଭୁଙ୍କୁ ଧାଡିପହଣ୍ଡିରେ ନିଆଯାଇଥିଲା।

ଫେରିବା ବେଳେ ମାଉସୀମା’ ମନ୍ଦିର ନିକଟରେ ତିନିଠାକୁରଙ୍କୁ ପୋଡପିଠା ଭୋଗ କରାଯିବ।

ଜଗନ୍ନାଥ ମହାପ୍ରଭୁଙ୍କ ରଥ ମରିଚିକୋଟ ନିକଟସ୍ଥ ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀନାରାୟଣ ଭେଟ ହେବ। ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପାଇ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ଯିବାପରେ ନନ୍ଦିଘୋଷ ରଥ ସିଂହଦ୍ୱାରକୁ ଯିବ।

ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଯେଉଁ ଶ୍ରଦ୍ଧାଳୁମାନେ ପୁରୀ ଆସି ନଥିବେ ସେମାନଙ୍କ ପାଖରେ ବାହୁଡ଼ାଯାତ୍ରାର ସିଧାପ୍ରସାରଣ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ସୋସିଆଲ ଚ୍ୟାନେଲ ମାଧ୍ୟମରେ ପହଞ୍ଚିପାରିଛି।

ସକାଳ ୭ଟା ୩୦ରୁ ଓଡ଼ିଶାଲାଇଭ୍‌ର ନ୍ୟୁଜ୍‍ ପୋର୍ଟାଲ (www.odisha.live) ସହିତ ଫେସବୁକ ପେଜ୍‍ (www.facebook.com/odishalive) ଏବଂ ୟୁଟ୍ୟୁବ୍‍ ଚ୍ୟାନେଲରେ (www.youtube.com/odishalive) ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ାଯାତ୍ରାର ସିଧାପ୍ରସାରଣ ଆରମ୍ଭ ହୋଇଛି।

ଦେଶବିଦେଶର ଦର୍ଶକମାନେ କମ୍ପ୍ୟୁଟର, ଲାପଟପ, ଟ୍ୟାବ୍‍ ଏବଂ ମୋବାଇଲ ଫୋନ ମାଧ୍ୟମରେ ଏହି ସିଧାପ୍ରସାରଣ କାର୍ଯ୍ୟକ୍ରମ ଦେଖିପାରିବେ। ଓଡ଼ିଶା ତଥା ବାହାରର ଦର୍ଶକମାନଙ୍କ ସୁବିଧା ପାଇଁ ନ୍ୟୁଜ୍‍ ପୋର୍ଟାଲ (www.odisha.live) ସହିତ ଫେସବୁକ ପେଜ୍‍ (www.facebook.com/odishalive) ଏବଂ ୟୁଟ୍ୟୁବ୍‍ ଚ୍ୟାନେଲରେ (www.youtube.com/odishalive) ଏହି ସିଧାପ୍ରସାରଣର କରାଯାଉଛି।

Comment