ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତି
  • ଖାଦ୍ୟ ସୁରକ୍ଷା ବିଲକୁ କ୍ୟାବିନେଟ ମଞ୍ଜୁରୀ
  • ଗରିବ ଓ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯିବ
  • ମୋଟ ୧୧ଟି ମାପଦଣ୍ଡରେ ହିତାଧୀକାରୀ ହେବେ ଚିହ୍ନଟ
  • ପ୍ରତିମାସରେ ମୁଣ୍ଡ ପିଛା ୧ଟଙ୍କାରେ ମିଳିବ ୫କେଜି ଚାଉଳ
  • ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ହିତାଧିକାରୀ ଏହାଦ୍ଵାରା ଉପକୃତ ହେବେ
  • ପ୍ରଥମ ଦଫାରେ ୨୫ଲକ୍ଷ ହିତାଧିକାରୀ ହେବେ ଉପକୃତ
  • ପ୍ରଥମ ୬ ମାସରେ ୨୨୦କୋଟି ଅତିରିକ୍ତ ଖର୍ଚ୍ଚ ହେବ

ରାଜ୍ୟ ଖାଦ୍ୟ ସୁରକ୍ଷା ବିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ସୋମବାରଦିନ ବସିଥିବା କ୍ୟାବିନେଟରେ ଏହି ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ହିତାଧିକାରୀ ଏହାଦ୍ଵାରା ଉପକୃତ ହେବେ ବୋଲି ଜଣାପଡ଼ିଛି।

“ଗରିବ ଓ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ। ପ୍ରଥମ ଦଫାରେ ୨୫ ଲକ୍ଷ ହିତାଧିକାରୀ ଉପକୃତ ହେବେ। ମୋଟ ୧୧ଟି ମାପଦଣ୍ଡରେ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ। ହିତାଧିକାରୀଙ୍କୁ ପ୍ରତିମାସରେ ମୁଣ୍ଡ ପିଛା ୧ଟଙ୍କାରେ ମିଳିବ ୫କେଜି ଚାଉଳ ମିଳିବ। ପ୍ରଥମ ୬ ମାସରେ ଏଥିପାଇଁ ୨୨୦ କୋଟି ଖର୍ଚ୍ଚ କରାଯିବ। ଆସନ୍ତା ଅକ୍ଟୋବର ୨, ଗାନ୍ଧି ଜୟନ୍ତୀରୁ ସାରା ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ।”, କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

ଦୁଇଦିନ ତଳେ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ପାଇଁ ଖାଦ୍ୟ ସୁରକ୍ଷା ବିଲ୍‌ ଆଣିବା କଥା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ଵାରା ସାରା ରାଜ୍ୟର ସବୁ ଗରିବ ଲୋକ ଖାଦ୍ୟ ସୁରକ୍ଷା ସୁବିଧା ପାଇପାରିବେ ବୋଲି ସେ କହିଥିଲେ।

ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୮ରୁ ଗରିବ ଲୋକଙ୍କୁ ୨ ଟଙ୍କାରେ ଚାଉଳ ଯୋଗାଇ ଦିଆଯାଉଛି। ଏହି ଯୋଜନାର ସଫଳତାକୁ ଅନୁଭବ କରି ୨୦୧୩ରେ ୧ ଟଙ୍କାରେ ଗରିବ ଲୋକଙ୍କୁ ଚାଉଳ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଥିଲେ ସରକାର।

୨୦୧୪ରେ ନିର୍ବାଚନ ବେଳେ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ନିଜର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବେ। ଏବେ ତାହା କାର୍ଯ୍ୟକାରୀ ହୋଇଛି।

Comment