ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ଧବିଶ୍ୱାସର କରୁଣ ପରିଣତି। ୧ ବର୍ଷ ୪ ମାସର ଶିଶୁର ମୁଣ୍ଡ ଓ ବେକରେ ୧୫ଟି ଚେଙ୍କ ଦିଆଯାଇଥିବା ଦେଖିବାକୁ ମିଳିଛି।
ନବରଙ୍ଗପୁର ଜିଲା ନିଶନାହାଣ୍ଡି ଗ୍ରାମରେ ଶିଶୁକୁ ଚେଙ୍କ। ୧ ବର୍ଷ ୪ ମାସର ଏହି ଶିଶୁର ମୁଣ୍ଡ ଓ ବେକରେ ୧୫ଟି ଚେଙ୍କ ଦିଆଯାଇଛି। ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଶିଶୁଟି ନିଶନାହାଣ୍ଡି ଗ୍ରାମର ଦାମୁ ମାଝିଙ୍କ ପୁଅ। ଶିଶୁକୁ ବାରମ୍ବାର ଦିନ ଜ୍ୱର ଓ କାଶ ହେଉଥିଲା। ଏ ନେଇ ଦୋକାନରୁ ଔଷଧ କିଣି ଆଣି ଦେଇଥିଲେ। ଜ୍ୱର ନ କମିବାରୁ ଶିଶୁର ବଡମାଆ, ବଡବାପା ଓ ଜେଜେମା ଚେଙ୍କ ଦେବାକୁ କହିଥିଲେ। ଶିଶୁ ପୁତ୍ରର ବେକ ପଛ ପାଖ, ମୁଣ୍ଡ, ନାକ ଓ କାନ୍ଧରେ ଏହି ଭଳି ୧୫ଟି ସ୍ଥାନାରେ ହଳଦି ଗରମ କରି ଚେଙ୍କ ଦେଇଥିଲେ। ତଥାପି ସ୍ଵାସ୍ଥ୍ୟ ଅବସ୍ଥାରେ ସୁଧାର ଆସି ନ ଥିଲା। ପରେ ପରିବାରଲୋକେ ଶିଶୁଟିକୁ ମଙ୍ଗଳବାର ରାତି ସାଢେ ୧୧ଟାରେ ନବରଙ୍ଗପୁର ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରଥିଲେ।
ବୁଧବାରଦିନ ସକାଳେ ଡାକ୍ତର ଶିଶୁକୁ ଚେଙ୍କ ଦିଆଯାଇଥିବା ଜାଣିବାକୁ ପାଇଥିଲେ। ଡାକ୍ତର ଦଳ ଚେଙ୍କ ଦିଆଯାଇଥିବା ସ୍ଥାନ ଗୁଡିକ ଦେଖିବା ସହ ଅଧିକ ଚିକିତ୍ସା ଆରମ୍ଭ କରିଛନ୍ତି।
ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି।


















