ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଗୋଲମୁଣ୍ଡାକଟା-କାନଛିଣ୍ଡା ରାସ୍ତାକୁ ସଂଯୋଗ କରୁଥିବା ବୁଢାବଳଙ୍ଗ ନଦୀର ନାଫ୍ରି ନିକଟରେ ସରକାର ପୋଲ ନିର୍ମାଣ କରିଛନ୍ତି। ହେଲେ ବସ୍‌ ଷ୍ଟାଣ୍ଡଠାରୁ ପୋଲ ଦୂର ହେଉଥିବାରୁ ଲୋକେ ପୂର୍ବପରି ଦଦରା ଡଙ୍ଗାକୁ ଭରସା କରି ନଦୀ ପାର୍ ହେଉଛନ୍ତି। ଫଳରେ କେତେବେଳେ କ’ଣ ଅଘଟଣ ଘଟିବ ତାହା କହି ହେଉନାହିଁ।

ବୁଢ଼ାବଳଙ୍ଗ ନଦୀର ବିପରୀତ ଦିଗରେ ବସବାସ କରୁଥିବା ୫ ଟି ପଞ୍ଚାୟତର ପ୍ରାୟ ୫୦ ହଜାର ଲୋକମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ପୋଲ ନିର୍ମାଣ କରିଥିଲେ। ୧୩ କୋଟି ୨୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପୋଲ ନିର୍ମାଣ ହୋଇଥିଲା।

ମାତ୍ର ଏହି ପୋଲଟି ବାଙ୍ଗିରିପୋଷି ବସ୍ ଷ୍ଟାଣ୍ଡଠାରୁ ମାତ୍ର ୩ କିଲୋମିଟର ଦୂର ହେଉଥିବାରୁ ଲୋକେ ପୂର୍ବପରି ବୁଢାବଳଙ୍ଗ ନଦୀର ସିମଲା ଘାଟରୁ ଡଙ୍ଗା ଉପରେ ଭରସା କରୁଛନ୍ତି। ପ୍ରତି ବର୍ଷ ଏହି ନଦୀଘାଟ ପଞ୍ଚାୟତ ପକ୍ଷରୁ ନିଲାମ କରାଯାଇଥାଏ। ମାତ୍ର ନିଲାମ ନେଉଥିବା ବ୍ୟକ୍ତି ଏହି ଘାଟରେ ଭଲ ଡଙ୍ଗାଟିଏ ପକାଇବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଦଦରା ଡଙ୍ଗାରେ ଲୋକେ ନଦୀ ପାର୍ ହେଉଥିବାରୁ ସେମାନଙ୍କ ଧନ ଜୀବନ ଅସୁରକ୍ଷିତ ହୋଇଯାଉଛି।

Comment