ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ପରଲୋକ। ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ଗତକିଛିଦିନ ହେବ ଗୁରୁତର ଅବସ୍ଥାରେ ଚେନ୍ନାଇର କାବେରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କରୁଣାନିଧି। ମଙ୍ଗଳବାରଦିନ ସନ୍ଧ୍ୟା ୬.୧୦ରେ କରୁଣାନିଧିଙ୍କ ଦେହାନ୍ତ ହୋଇଛି।

ଡିଏମକେ ନେତା ଏମ କରୁଣାନିଧିଙ୍କ ରାଜନୈତିକ କ୍ୟାରିୟର୍ ଖୁବ ଲମ୍ବା ଥିଲା। ତାମିଲନାଡୁର ୫ ଥର ମୁଖ୍ୟମନ୍ତ୍ରୀ ରହିଥିଲେ ଏମ୍‌ କରୁଣାନିଧି। ୧୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ରେକର୍ଡ କରିଥିଲେ ସେ।

ତାମିଲନାଡୁରେ କରୁଣାନିଧିଙ୍କୁ ରାଜନୀତିର ଭୀଷ୍ମ ପିତାମହ ଆଖ୍ୟା ଦିଆଯାଇଥିଲା। ୧୯୬୯ମସିହା, ଜୁଲାଇ ୨୬ରେ ଡିଏମକେ ଦଳର କାର୍ଯ୍ୟଭାର ସମ୍ଭାଳି ଥିଲେ। ୫୦ବର୍ଷ ହେଲା ସେ ଡିଏମକେର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ୧୯୬୯ରେ ସେ ପ୍ରଥମଥର ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୩ରେ ଶେଷଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ କରୁଣାନିଧି।

ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ କରୁଣାନିଧିଙ୍କୁ ଗତ ଜୁଲାଇ ୨୧ ତାରିଖଠାରୁ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବାବେଳେ ଗତକାଲି ଅପରାହ୍ନରେ ହଠାତ ଗୁରୁତର ହୋଇପଡ଼ିଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ହସ୍ପିଟାଲ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଆରୋଗ୍ୟ କାମନା କରିଥିଲେ। ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ମଙ୍ଗଳବାର ଦିନ ମେଡିକାଲ ଯାଇ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

କରୁଣାନିଧିଙ୍କ ମୃତ୍ୟୁ ପରେ ତାଙ୍କ ସମର୍ଥକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସମର୍ଥକମାନେ ହସ୍‌ପିଟାଲ ବାହାରେ ଭିଡ ଜମାଇଛନ୍ତି। ଏହି ଭିଡକୁ ସମ୍ଭାଳିବା ପାଇଁ ହସ୍‌ପିଟାଲ ପରିସରରେ ପୋଲିସ୍‌ ବି ମୁତୟନ କରାଯାଇଛି।

Comment