ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆଦିଲ୍ଲୀରେ ବିଜେଡି ସାଂସଦଙ୍କୁ ଭେଟିଛନ୍ତି ଏନଡିଏର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ।

ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ଆଜି ବିଜେଡି ସାଂସଦମାନଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେଡି କାର୍ଯ୍ୟାଳୟକୁ ଆସି ସାଂସଦମାନଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ତାଙ୍କୁ ସମର୍ଥନ କରିବା ପାଇଁ ହରିବଂଶ ଅନୁରୋଧ କରିଛନ୍ତି।

ହରିବଂଶ ନାରାୟଣ ସିଂ ହେଉଛନ୍ତି ଜେଡି(ୟୁ) ସାଂସଦ। ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଏନଡିଏ ତାଙ୍କୁ ପ୍ରାର୍ଥୀ କରିଛି। ହେଲେ ଉପାଧ୍ୟକ୍ଷ ହେବା ପାଇଁ ଏନଡିଏ ପାଖରେ ସାଂସଦଙ୍କ ସମର୍ଥନ ନାହିଁ। ଆଉ ୧୦ ଜଣ ସାଂସଦଙ୍କ ସମର୍ଥନ ଦରକାର ପଡ଼ୁଛି। ବିଜେଡି ପାଖରେ ୯ ଜଣ ସାଂସଦ ଥିବାରୁ ଏନଡିଏ ବିଜେଡି ଉପରେ ଭରସା କରିଛି।

ମଙ୍ଗଳବାର ଦିନ ହରିବଂଶଙ୍କୁ ସମର୍ଥନ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବିଜେପି ରାଷ୍ଟ୍ରିୟ ସଭାପତି ଅମିତ ଶାହ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଥିଲେ। ହେଲେ ବିଜେଡି ଏପର୍ଯ୍ୟନ୍ତ ତାର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ।

ହରିବଂଶ ସିଂ ଆଜି ଉପାଧ୍ୟକ୍ଷ ପ୍ରାର୍ଥୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ଦେଶ ଦୀପକ ବର୍ମାଙ୍କ ପାଖରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନାଥ କୁମାର, ପୀୟୁଷ ଗୋଏଲ, ବିଜୟ ଗୋଏଲ, ଅକାଳୀ ଦଳ, ଶିବସେନାର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଏପଟେ ୟୁପିଏ କଂଗ୍ରେସ ସାଂସଦ ବି କେ ହରିପ୍ରସାଦଙ୍କୁ ପ୍ରାର୍ଥୀ କରିଛି। ହରିପ୍ରସାଦ ବି ସମର୍ଥନ ପାଇଁ ବିଜେଡି ସହ କଥା ହୋଇଛନ୍ତି।

Comment