ଓଡ଼ିଶାଲାଇଭ୍‍ ବ୍ୟୁରୋ

ବାଙ୍ଗାଲୋର-ପୁଣେ ୪୮ ନମ୍ବର ଜାତୀୟ ରାଜପଥରେ ଜଣେ ମହିଳାଙ୍କ ଉପସ୍ଥିତିରେ ତାଙ୍କର ଦୁଇ ଦାବିଦାର ସ୍ୱାମୀଙ୍କ ମଧ୍ୟରେ ମାରପିଟ ହେବା ପରେ ପୋଲିସ ଉଭୟଙ୍କୁ ଧରି ଥାନାକୁ ନେଇଛିହେଲେ ମହିଳାଜଣକ ଅନ୍ୟ ଜଣେ ପୁରୁଷ ବନ୍ଧୁଙ୍କ ସାଙ୍ଗରେ ପଳାଇ ଯାଇଛନ୍ତି

ଦୁହିଁଙ୍କ କଳିରୁ ଅନ୍ୟ ଜଣଙ୍କର ଫାଇଦା। ଏ କଥାର ସତ୍ୟତା ପୁଣି ଥରେ ପ୍ରମାଣିତ ହୋଇଛି। ତାହା ବି ବାଙ୍ଗାଲୋର-ପୁଣେ ୪୮ ନମ୍ବର ଜାତୀୟ ରାଜପଥରେ। ଜଣେ ମହିଳାଙ୍କ ଉପସ୍ଥିତିରେ ତାଙ୍କର ଦୁଇ ଦାବିଦାର ସ୍ୱାମୀଙ୍କ ମଧ୍ୟରେ ମାରପିଟ ହେବା ପରେ ପୋଲିସ ଉଭୟଙ୍କୁ ଧରି ଥାନାକୁ ନେଇଛି। ହେଲେ ମହିଳାଜଣକ ଅନ୍ୟ ଜଣେ ପୁରୁଷ ବନ୍ଧୁଙ୍କ ସାଙ୍ଗରେ ପଳାଇ ଯାଇଛନ୍ତି। ଉପସ୍ଥିତ ଦର୍ଶକମାନେ ଏହି ନାଟକୀୟ ଘଟଣାକ୍ରମର କେବଳ ଭିଡିଓ ରେକର୍ଡିଂ ହିଁ କରିପାରିଛନ୍ତି।

ଏହି ବହୁକୋଣୀୟ ପ୍ରେମ କାହାଣୀର ନାୟିକାଙ୍କ ନାଁ ଶଶିକଳା। ବୟସ ୩୮। ବେଙ୍ଗଳୁରୁର ଶଶିକଳା ପୂର୍ବରୁ ତିନି ତିନିଥର ବାହା ହୋଇସାରିଛନ୍ତି। ପ୍ରଥମେ ୨୦୦୦ ମସିହାରେ ସେ ଟ୍ରାକ୍ଟର ଡ୍ରାଇଭର ରଙ୍ଗାସ୍ୱାମୀଙ୍କୁ ବିବାହ କରିଥିଲେ। ୨୦୧୦ ପର୍ଯ୍ୟନ୍ତ ସେମାନେ ସ୍ୱାମୀ-ସ୍ତ୍ରୀ ଭାବେ ରହୁଥିଲେ। ପରେ ରମେଶ କୁମାରଙ୍କୁ ବିବାହ କଲେ ଶଶିକଳା। ରମେଶ ଏକ ପୋଷାକ ତିଆରି କାରଖାନାର ସୁପରଭାଇଜର ଥିଲେ। ୨୦୧୫ ମସିହାରେ ଶଶିକଳା ରମେଶଙ୍କୁ ଛାଡ଼ି କୁମାର ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କଲେ। ମାତ୍ର ୬ ମାସ ଯାଏ ଦାମ୍ପତ୍ୟ ଜୀବନ କାଟିଲେ କୁମାର ଓ ଶଶିକଳା।

ପରେ ୨୦୧୭ ମସିହାରେ ଶଶିକଳା ଚିକାବିଡ଼ାରୁକାଲୁ ମୂର୍ତ୍ତି ନାମକ ଜଣେ ବ୍ୟକ୍ତିଙ୍କ ସହିତ ରହୁଥିବା ଦେଖାଯାଇଥିଲା। ବିବାହ କରି ନଥିଲେ ବି ଦୁହେଁ ଏକାଠି ରହୁଥିଲେ। ପୂର୍ବରୁ ବିବାହିତ ମୂର୍ତ୍ତିଙ୍କର ସ୍ତ୍ରୀ ଓ  ଦୁଇଟି ପିଲା ବି ଥିଲେ। ତେଣେ ଶଶିକଳାଙ୍କ ପ୍ରେମରେ ପଡ଼ିଯାଇଥିଲେ ସିଦ୍ଦାରାଜୁ ନାମକ ଜଣେ କ୍ୟାବ୍‌ ଡ୍ରାଇଭର। ଅବିବାହିତ ସିଦ୍ଦାରାଜୁ ଶଶିକଳାଙ୍କୁ ବିବାହ କରିବାକୁ ପ୍ରସ୍ତାବ ବି ଦେଇଥିଲେ। ଏଥିରେ ଶଶିକଳା ରାଜି ବି ହୋଇଥିଲେ। କାରଣ, ମୂର୍ତ୍ତିଙ୍କର ସ୍ତ୍ରୀ ପିଲା ଥିବା ବେଳେ ସିଦ୍ଦାରାଜୁ ଥିଲେ ଅବିବାହିତ।

ଶନିବାର ଦିନ ପ୍ରାୟ ୧୧ଟା ବେଳେ ବାଙ୍ଗାଲୋର-ପୁଣେ ଜାତୀୟ ରାଜପଥର ଟୁମକୁରୁ ଏବଂ ନେଲାମଙ୍ଗଲା ମଧ୍ୟବର୍ତ୍ତୀ ବାଭିକିର୍‌ କ୍ରସ୍‌ ଛକରେ ଶଶିକଳା ଓ ସିଦ୍ଦାରାଜୁ ଠିଆ ହୋଇଥିବା ବେଳେ ହଠାତ୍‌ ପହଞ୍ଚିଥିଲେ ମୂର୍ତ୍ତି। ସିଦ୍ଦାରାଜୁଙ୍କ ସହ ପାଟିତୁଣ୍ଡ ହେବା ପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। ମୁଥ ମରାମରି ହୋଇ ଉଭୟ ଆହତ ହୋଇଥିଲେ। ଉପସ୍ଥିତ ଲୋକେ ଉଭୟଙ୍କୁ ବୁଝାଇସୁଝାଇ ଝଗଡ଼ାରୁ ନିବୃତ୍ତ କରାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।

ପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଦୁହିଁଙ୍କୁ ଥାନାକୁ ନେଇଯାଇଥିଲା। ମାରପିଟର ମୂଳ କାରଣ ଶଶିକଳା ବି ଥାନାକୁ ଯାଇଥିଲେ। ଥାନାରେ ଦୁହିଁଙ୍କ ମଧ୍ୟରୁ କାହାରିକୁ ହେଲେ ସ୍ୱାମୀ ରୂପେ ସ୍ୱୀକାର କରି ନଥିଲେ ଶଶିକଳା। ପୋଲିସ ମୂର୍ତ୍ତି ଓ ସିଦ୍ଦାରାଜୁଙ୍କ ନାଁରେ ମାମଲା ରୁଜୁ କରିଥିଲା। ହେଲେ ଏତିକିରେ ଏହି ପ୍ରେମ କାହାଣୀର ଯବନିକା ପଡ଼ି ନଥିଲା।

ଅଚାନକ ଥାନାରେ ପହଞ୍ଚିଥିଲେ ଅନ୍ୟ ଜଣେ ଯୁବକ। ନିଜକୁ ଶଶିକଳାଙ୍କ ବନ୍ଧୁ ରୂପେ ପରିଚୟ ଦେଇଥିଲେ। କେହି କିଛି ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ଏହି ଯୁବକଙ୍କ ସହ ପଳାଇ ଯାଇଥିଲେ ଶଶିକଳା। ହତଚକିତ ଅବସ୍ଥାରେ ଚାହିଁ ରହିଥିଲେ ଦୁଇ ଦାବିଦାର ସ୍ୱାମୀ ଓ ପୋଲିସ ବାବୁମାନେ।

ସଂକ୍ଷେପରେ ଶଶିକଳାଙ୍କ ବୈବାହିକ ଜୀବନ ସଂପର୍କରେ ଏତିକି କୁହାଯାଇପାରେ ଯେ, ତିନିଜଣ ସ୍ୱାମୀଙ୍କ ସହ ବିବାହ ବିଚ୍ଛେଦ ପରେ ସେ ଚତୁର୍ଥ ଜଣଙ୍କ ସହ ରହୁଥିଲେ, ଯିଏ କି ବିବାହିତ। ପଞ୍ଚମ ଜଣଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ, ଯିଏ କି ଅବିବାହିତ। କିନ୍ତୁ ଚତୁର୍ଥ ଓ ପଞ୍ଚମଙ୍କ ମଧ୍ୟରେ ମାରପିଟ ହେବାରୁ ଷଷ୍ଠ ଜଣଙ୍କ ସହ ପଳାଇଲେ, ଯିଏ ବିବାହିତ କି ଅବିବାହିତ, ଜଣାନାହିଁ।

Comment