ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷା ହେଲେ କାଦୁଅ ରାସ୍ତା ପାଇଁ ବିଚ୍ଛିନ୍ନ ହୋଇଯାଉଛି ନବରଙ୍ଗପୁରର ୪ ଖଣ୍ଡ ଗାଁ। ରାସ୍ତା ତ ନୁହେଁ ସତେ ଯେମିତି ମରଣଯନ୍ତା। ଅବସ୍ଥା ଏମିତି ଯେ ଗାଡ଼ିମୋଟର ଯାତାୟତ ଦୂରରେ ଥାଉ ଚାଲିକି ଯିବା ମୁସ୍କିଲ ହୋଇପଡ଼ୁଛି। ସରକାର ଏହାକୁ ଅଣଦେଖା କରୁଥିବା ବେଳେ ଗାଁ ଲୋକେ ରାସ୍ତା କରିବା ପାଇଁ ଆଗେଇ ଆସିଛନ୍ତି। ପ୍ରଶାସନ ନଶୁଣିବାରୁ ଶେଷରେ ଗାଁ ଲୋକେ ରାସ୍ତା ମରାମତି କରିଛନ୍ତି।
କାଦୁଅ ସରସର ଏହି ରାସ୍ତାରେ ଯିବା ଆସିବା ମୁସ୍କିଲ ହୋଇ ପଡ଼ୁଥିଲା। ଗାଡ଼ି ମଟର ଯିବା ତ ଦୂରର କଥା ଲୋକେ ସାଇକେଲକୁ ବୋହି ରାସ୍ତା ପାର ହେଉଥିଲେ। ଏମିତିରେ ନିରାଶ ଗ୍ରାମବାସୀ ରାସ୍ତା ମରାମତି କାମ ନିଜ ହାତକୁ ନେଇଛନ୍ତି। କାଦୁଅ ରାସ୍ତାରେ ବାଲି ପକାଇ ସମତୁଲ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଗୁମ୍ମାଗୁଡ଼ା ଗାଁ ଲୋକେ।
ଏହି ରାସ୍ତା ଦେଇ ନୁଆଗୁଡ଼ା, ସାନକୁମୁଲି ଓ ଜାମ୍ବାଗୁଡ଼ା ଲୋକ ନବରଙ୍ଗପୁରକୁ ଯାତାୟତ କରନ୍ତି। ତେବେ ବର୍ଷା ଆସିଲେ ଏହି ଗାଁର ଦୁର୍ଦ୍ଦଶା ବଢ଼ିଯାଏ। ରାସ୍ତା ନଥିବାରୁ ବିଚ୍ଛିନ୍ନ ହୋଇଯାଏ ଏହି ଚାରିଖଣ୍ଡ ଗାଁ। ତେବେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତା ମରାମତି ପାଇଁ ପ୍ରାୟ ୧ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ପ୍ରଶାସନ ଏବଂ ଠିକାଦାରଙ୍କ ଅବହେଳା ହେତୁ ରାସ୍ତା ନିର୍ମାଣ ହୋଇପାରି ନଥିବା ଲୋକେ ଅଭିଯୋଗ କରିଛନ୍ତି।
ଯେଉଁଠି ରାସ୍ତା ନାହିଁ ସେଠି ବିକାଶ ମଧ୍ୟ ନାହିଁ। ଏଭଳି ସ୍ଥଳରେ ରାସ୍ତା ନଥିବା ଏହି ଚାରିଖଣ୍ଡ ଗାଁର ବିକାଶ କେମିତି ହୋଇପାରିବ?


















