ଓଡ଼ିଶାଲାଇଭ୍‌ ବ୍ୟୁରୋ

ମନରେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ଅସମ୍ଭବ କାମ ବି ସମ୍ଭବ ହୋଇଯାଏ। ଏମିତି କିଛି ସମ୍ଭବ କରି ଦେଖାଇଛନ୍ତି ତରନଜୀତ ସିଂହକମ୍ ବୟସରେ ଜଣେ ସଫଳ ଷ୍ଟଣ୍ଟବୟେ ଭାବେ ପରିଚୟ ହାସଲ କରିଛନ୍ତି ତରନଜୀତ।

ସ୍ୱପ୍ନ ତ ସମସ୍ତେ ଦେଖନ୍ତି, କିନ୍ତୁ ଏହାକୁ ପୂରଣ କରିବାର ଦକ୍ଷତା ଖୁବ୍‌ କମ୍ ଲୋକଙ୍କ ପାଖରେ ଥାଏ। କିନ୍ତୁ ଭୁବନେଶ୍ୱରରେ ରହୁଥିବା ତରନଜୀତ ସାହସର ସହ ବିଭିନ୍ନ ପ୍ରତିବନ୍ଧକକୁ ସାମ୍ନା କରି ସଫଳ ଷ୍ଟଣ୍ଟବୟେ ହେବାର ସୁଯୋଗ ହାସଲ କରିଛନ୍ତି। ଯେଉଁ ବୟସରେ ପିଲାମାନେ ସାଇକେଲ ଠିକ୍ ଭାବେ ଚଳାଇ ପାରନ୍ତି ନାହିଁ ସେହି ବୟସରେ ସାଇକେଲରେ ଷ୍ଟଣ୍ଟ ଦେଇ ତରନଜୀତ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ବୟସ ମାତ୍ର ୨୧, କିନ୍ତୁ ସ୍ଵପ୍ନ ଅନେକ। ଘର ସୂଦୁର ଜାମସେଦପୁର। ବାପା ଭୁବନେଶ୍ୱରରେ ଜଣେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଛନ୍ତି। ସ୍ଵଳ୍ପ ରୋଜଗାର ଭିତରେ ଚଳିଯାନ୍ତି ତରନଙ୍କ ପରିବାର।

ପିଲାବେଳୁ ପିଲାମାନଙ୍କୁ ସାଇକେଲରେ ଷ୍ଟଣ୍ଟ କରୁଥିବାର ଦେଖି ତରନଙ୍କ ମନରେ ବି ଷ୍ଟଣ୍ଟ୍ କରିବାର ନିଶା ଜାଗ୍ରତ ହୁଏ। ଘରକୁ ଆସି ସାଇକେଲଟିଏ କିଣି ଦେବା ପାଇଁ ମା’ ପାଖେ ଅଝଟ କରନ୍ତି ତରନ। କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ଦେଖି ମନକୁ ମାରି ଚୁପ୍‌ ରହିଯାନ୍ତି ତରନ। କିନ୍ତୁ ଆଶା କେବେ ହରାନ୍ତି ନାହିଁ।

ପୁଅର ସାଇକେଲ ଚଲାଇବାର ନିଶା ଦେଖି ତାଙ୍କ ପରିବାର ଲୋକେ ତରନଙ୍କ ପାଇଁ ୧୫୦ଟଙ୍କାରେ ଏକ ସାଇକେଲ କିଣିଦେଇଥିଲେ। ସେଥିରେ ଷ୍ଟଣ୍ଟ୍ ପାଇଁ ଆବଶ୍ୟକ ଜିନିଷ ଲଗାଇ ଷ୍ଟଣ୍ଟ୍ କରୁଥିଲେ ତରନ। ପରେ ୪୦୦୦ଟଙ୍କା ଦେଇ ଆଉ ଏକ ସାଇକେଲ କିଣିଲେ। ସେଥିରେ ଷ୍ଟଣ୍ଟ୍ ପ୍ରାକ୍ଟିସ କରିବା ଆରମ୍ଭ କଲେ। ଷ୍ଟଣ୍ଟ୍ କରିବା ସହ ପାଠ ମଧ୍ୟ ଜାରି ରଖିଥିଲେ ତରନ।

“ପ୍ରଥମେ ମୁଁ ଘର ସାମ୍ନାରେ ଷ୍ଟଣ୍ଟ୍ କରୁଥିଲି ତା’ପରେ ଷ୍ଟଣ୍ଟ୍ କରୁଥିବା ପିଲାଙ୍କ ସହ ମିଶି ଷ୍ଟଣ୍ଟ୍ ଶିଖିଲି ଏବେ ମୁଁ ସେ ଗ୍ରୁପକୁ ଲିଡ୍ କରୁଛି”, କହିଛନ୍ତି ତରନ୍।

ପରିବାରର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିବାରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ରୋଜଗାର କରିବା ପାଇଁ ଚିନ୍ତା କରିଥିଲେ ତରନ। ଏକ ଛୋଟ କମ୍ପାନିରେ କାମ କରିବା ଆରମ୍ଭ କଲେ ସେ। କିନ୍ତୁ ସାଇକେଲ୍‌ ଷ୍ଟଣ୍ଟର ନିଶା ଛାଡ଼ି ନଥିଲେ ତରନ। ମାସକୁ ଯାହା ପାରିଶ୍ରମିକ ମିଳୁଥିଲା ସେଥିରୁ କିଛି ସଞ୍ଚୟ କରି ରଖୁଥିଲେ ସେ। ପରେ ୬୫ ହଜାର ଟଙ୍କା ଦେଇ ଏକ ଦାମୀ ସାଇକେଲ କିଣିଲେ ତରନ।

ଏହାପରେ ପରେ ନିଜ ଷ୍ଟଣ୍ଟ୍ ନିଶାକୁ ଆଗକୁ ବଢ଼ାଇଥିଲେ ସେ। ବିଭିନ୍ନ ଷ୍ଟଣ୍ଟ୍ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ଵ ଅର୍ଜନ କରିଥିଲେ ତରନ।

“ଖୁସି ଲାଗେ ଯେତିକି, ଦୁଃଖ ବି ଲାଗେ ସେତିକି। ପୁଅକୁ ଷ୍ଟଣ୍ଟ୍ କରୁଥିବାର ଦେଖି ଭୟ ମଧ୍ୟ ଲାଗେ। ଅର୍ଥାଭାବରୁ ପୁଅକୁ ଆଗକୁ ପଢ଼ାଇ ପାରିଲୁ ନାହିଁ ସିନା କିନ୍ତୁ ଆଜି ପୁଅର ଲୋକପ୍ରିୟତାରେ ଆମେ ଗର୍ବିତ”, କହିଛନ୍ତି ତରନଙ୍କ ବାପା ଅମ୍ରିକ ସିଂ।

୨୦୧୫ରେ ଏମଟିବି ଷ୍ଟଣ୍ଟ୍ ୱାର୍ଲ୍ଡ ଚାମ୍ପିୟନ ସିପ୍‌ରେ ଭାଗ ନେବାକୁ ସୁଯୋଗ ପାଇଥିଲେ ତରନ। ଏଥିରେ ସେ ୨୮ ତମ ସ୍ଥାନ ଅଧିକାର କରିଥିଲେ।

“ମୁଁ ଏମ୍ଏ କରିଛି କିନ୍ତୁ ଟଙ୍କା ଅଭାବରୁ ମୋ ପିଲାମାନଙ୍କୁ ଆଗକୁ ପଢ଼ାଇ ପାରିଲିନି। କିନ୍ତୁ ନିଜ ଗୋଡ଼ରେ ନିଜେ ଛିଡ଼ା ହେବାର ପ୍ରୟାସ କରିଛି ମୋ ପୁଅ। ସେଥିରେ ସଫଳତା ପାଇଛି।”, କୋହଭରା କଣ୍ଠରେ କହିଛନ୍ତି ତରନଙ୍କ ମା’ ଗୁରମିତ କୌର।

ଖୁବ୍‌ କମ୍‌ ବୟସରୁ ସଫଳତା ପାଇଥିବା ତରନଜୀତ ଆଗକୁ ଷ୍ଟଣ୍ଟ୍ ସ୍କୁଲ ଖୋଲିବାର ଲକ୍ଷ୍ୟ ରଖିଛନ୍ତି।

(ରିପୋର୍ଟ ସୁଶ୍ରୀସ୍ମିତା)

Comment