ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଆରମ୍ଭ ହୋଇଥିବା ୧୮ଶ ଏସୀୟ ଖେଳରେ ଓଡ଼ିଶାର ଦବଦବା ଦେଖିବାକୁ ମିଳିବ। ଆଶା କରାଯାଉଛି ଓଡ଼ିଶାର ଖେଳାଳିମାନେ ଭାରତ ପାଇଁ ଗୌରବ ଆଣିବେ। ଏହି ଖେଳରେ ବିଭିନ୍ନ ବିଭାଗରେ ଓଡ଼ିଶାର ୧୨ ଜଣ ଖେଳାଳି ଅଂଶ ଗ୍ରହଣ କରିଛନ୍ତି। ଏଥିଭିତରୁ ୩ ଜଣ ପୁରୁଷ ଖେଳାଳି ହୋଇଥିବା ବେଳେ ଅବଶିଷ୍ଟ ୯ ଜଣ ମହିଳା ଖେଳାଳି।

ଏଥଲେଟିକ୍ସ, ବ୍ୟାଡମିଣ୍ଟନ, ହକି, ଜିମ୍ନାଷ୍ଟିକ୍‌ସ ଏବଂ ନୌଚାଳନାରେ ଓଡ଼ିଶାର ଖେଳାଳିମାନେ କରିସ୍ମା ଦେଖାଇବାର ସମ୍ଭାବନା ରହିଛି। ଏମାନଙ୍କ ମଧ୍ୟରେ ୫ ଜଣ ଖେଳାଳି ଏକାକୀ ଇଭେଣ୍ଟରେ ଯୋଗ ଦେବେ। ଦୂତୀ ଚାନ୍ଦଙ୍କ ୧୦୦ ମିଟର ଓ ୪×୧୦୦ ମିଟର ରିଲେ ଦୌଡ଼ ଉପରେ କିନ୍ତୁ ସମସ୍ତଙ୍କର ନଜର ରହିଛି।

୨୦୧୭ ଏସୀୟ ଖେଳରେ ଦୂତୀ ୨ଟି ବ୍ରୋଞ୍ଜ ମେଡାଲ ଜିତିଥିଲେ। ନିକଟରେ ଅନୁଷ୍ଠିତ ୫୮ତମ ଆନ୍ତଃରାଜ୍ୟ ସିନିଅର ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଦୂତୀଙ୍କ ଦ୍ଵାରା ନୂଆ ରେକର୍ଡ ସୃଷ୍ଟି ହୋଇଥିଲା। ଦୂତୀଙ୍କ ବ୍ୟତୀତ ୪୦୦ ମିଟର ଦୌଡ଼ରେ ଜଉନା ମୁର୍ମୁ ଓ ହେପାଥଲେଟରେ ପୂର୍ଣ୍ଣିମା ହେମ୍ବ୍ରମ ମଧ୍ୟ ମେଡାଲ ଜିତି ପାରନ୍ତି।

ସେହିଭଳି ୠତୁପର୍ଣ୍ଣା ପଣ୍ଡା ଓଡ଼ିଶାର ପ୍ରଥମ ବ୍ୟାଡମିଣ୍ଟନ ଖେଳାଳି ଯିଏ ଜାକର୍ତ୍ତା କ୍ରୀଡ଼ାରେ ଅଂଶ ଗ୍ରହଣ କରିଛନ୍ତି। ସିକ୍କି ରେଡ୍ଡିଙ୍କ ସହ ପଣ୍ଡା ଓମେନ୍ସ ଡବଲରେ ଖେଳିବେ। ତେବେ କେବଳ ହକିରେ ହିଁ ଓଡ଼ିଶାର ଖେଳାଳିମାନେ ସେମାନଙ୍କ ଚମକ ଦେଖାଇବେ। ଉଭୟ ପୁରୁଷ ଓ ମହିଳା ହକିରେ ଓଡ଼ିଆ ଖେଳାଳିଙ୍କ ଉପରେ ସମଗ୍ର ଦେଶର ଦୃଷ୍ଟି ରହିଛି।

ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ପୁରୁଷ ହକିରେ ଖେଳୁଥିବା ବେଳେ ଦୀପ ଗ୍ରେସ ଏକ୍କା, ନିଲିମା ମିଞ୍ଜ, ନମିତା ଟପୋ ଓ ସୁନିତା ଲାକ୍ରା ମହିଳା ହକିରେ ଖେଳିବେ। ଠିକ୍ ସେହିଭଳି ରାକେଶ ଓ ସଂଯୁକ୍ତା ଡୁଙ୍ଗଡୁଙ୍ଗ ପାତ୍ର ଜିମ୍ନାଷ୍ଟିକ୍‌ସ ଓ ରୋଇଂରେ ମେଡାଲ ଜିତିବା ଆଶା କରାଯାଉଛି।

Comment