ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେ ‘ମୁଡ୍ ଅଫ ଦି ନେସନ’ରୁ ସ୍ପଷ୍ଟ ହୋଇଛି ଯେ ମୋଦି ପୁଣିଥରେ ୨୦୧୯ରେ ପ୍ରଧାନମନ୍ତ୍ରୀ ହେବେ।

ଦେଶରେ ଯଦି ଆଜି ଭୋଟ ହୁଏ ତାହାଲେ ବିଜେପି ପୁଣିଥରେ କ୍ଷମତାକୁ ଆସିବ। ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେ ‘ମୁଡ୍ ଅଫ ଦି ନେସନ’ରୁ ଏହା ଜଣାପଡ଼ିଛି। ବିଭାଜିତ ବିରୋଧୀ ଦଳ ଭିତରେ ଏକତା ନିହାତି ଆବଶ୍ୟକ ବୋଲି ଏହି ସର୍ଭେ ସ୍ପଷ୍ଟ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ପୁଣିଥରେ କ୍ଷମତାକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛି। ଏନଡିଏ କେନ୍ଦ୍ରରେ ପୁନର୍ବାର ସରକାର ଗଠନ କରିବ ବୋଲି ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ‘ମୁଡ୍ ଅଫ ଦି ନେସନ’ ରିପୋର୍ଟରୁ ଜଣାପଡ଼ିଛି। ତେବେ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ଆଞ୍ଚଳିକ ଦଳ। ଆଜି ଯଦି ଭୋଟ ହୁଏ ବିଜେପି ନେତୃତ୍ୱରେ ଏନଡିଏ ମେଣ୍ଟ ଆଉ ଥରେ ସରକାର ଗଢ଼ିବ ବୋଲି ସର୍ଭେ କହୁଛି।

ଏହିକ୍ଷଣି ଦେଶର ରାଜନୈତିକ ସ୍ଥିତି ଯାହା ସେଥିରେ କଂଗ୍ରେସ ନେତୃତ୍ୱରେ ୟୁପିଏ ମେଣ୍ଟ ମୋଦି ସରକାରଙ୍କୁ କ୍ଷମତାରୁ ହଟାଇ ପାରିବ ନାହିଁ। ଅନ୍ୟ ଅର୍ଥରେ ମୋଦି-ଶାହ ଯୋଡ଼ିକୁ ଚାଲେଞ୍ଜ ଦେବା କଷ୍ଟ। ଆସନ୍ତୁ ଜାଣିବା ସର୍ଭେର ଅନ୍ୟ ନିଷ୍କର୍ସ ଓ କାହାକୁ କେତେ ଆସନ ମିଳିବ ତା’ର ଅଙ୍କ।

କାହା ପଲ୍ଲା ଭାରି?

ଏହି ସର୍ଭେ ଅନୁଯାୟୀ ଯଦି ଆଜିକା ଦିନରେ ଭୋଟ ହୁଏ ତେବେ ଏନଡିଏକୁ ୨୮୧ ଆସନ ମିଳିବ। ଏହା ମ୍ୟାଜିକ ସଂଖ୍ୟା ୨୭୨ରୁ ୯ ଅଧିକ। ଏହାର ଅର୍ଥ ହେଉଛି ଏନଡିଏ ନିଜ ଦମରେ କ୍ଷମତାକୁ ଫେରିବା ପକ୍କା। କାରଣ ତା’ ପାଖରେ ଆବଶ୍ୟକୀୟ ସଂଖ୍ୟା ରହିଛି।

ଅପର ପକ୍ଷରେ କଂଗ୍ରେସ ନେତୃତ୍ୱରେ ୟୁପିଏ ମେଣ୍ଟ ୨୦୧୪ ନିର୍ବାଚନ ତୁଳନାରେ ୨୦ଟି ଆସନ ଅଧିକ ପାଇବ ସତ, ହେଲେ ସରକାର ଗଢ଼ିପାରିବ ନାହିଁ। କଂଗ୍ରେସର କ୍ଷମତାକୁ ଫେରିବାର ସ୍ୱପ୍ନ ସ୍ୱପ୍ନରେ ହିଁ ରହିବ ବୋଲି ସର୍ଭେ କହୁଛି। ୟୁପିଏ ମେଣ୍ଟ ୧୨୨ଟି ଆସନରେ ଜିତିବ। ଅନ୍ୟ ଦଳମାନଙ୍କୁ ୧୪୦ ପର୍ଯ୍ୟନ୍ତ ଆସନ ମିଳିବ ବୋଲି ସର୍ଭେ ଫଳାଫଳରୁ ଜଣାପଡ଼ିଛି। ମଜା କଥା ହେଉଛି, ଯଦି ୟୁପିଏ ଓ ଅନ୍ୟ ଦଳ ମିଶି ଯାଆନ୍ତି ତାହାଲେ ସରକାର ଗଢ଼ିବା ବି କଷ୍ଟ। ଏନଡିଏ ହିଁ ସରକାର ଗଠନ କରିବ।

ବିଜେପି ହାରିବ ଯଦି… ?

ସର୍ଭେରୁ ଜଣାପଡ଼ିଛି ଯେ ନୀତିଶ କୁମାରଙ୍କ ଜେଡିୟୁ ଯଦି କୌଣସି କାରଣରୁ ଏନଡିଏ ମେଣ୍ଟ ଛାଡ଼ିଦିଏ ତେବେ ଗଣିତଟି ପୂରା ବଦଳିଯିବ ଓ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିବ। ଯଦି ବିଜେପି ଏକଲା ଲଢ଼ିବ ଦଳକୁ ୨୪୫ ଆସନ ମିଳିବ ଓ ଦେଶର ବୃହତ୍ତମ ଦଳ ଭାବରେ ଏହା ପରିଗଣିତ ହେବ। ତେଣେ ଯଦି ଦେବେଗୌଡାଙ୍କ ଜେଡିଏସ୍ କଂଗ୍ରେସର ହାତ ଛାଡ଼ିଦିଏ ତାହାଲେ ବିରୋଧୀ ଦଳର ଗଣିତ ବଦଳିଯିବ। କଂଗ୍ରେସ ଯଦି ଏକଲା ନିର୍ବାଚନ ଲଢ଼ିବ ତାକୁ ୮୩ଟି ଆସନ ମିଳିବ ବୋଲି ସର୍ଭେ କହୁଛି। ଏହି ସ୍ଥିତିରେ ତେଲୁଗୁ ଦେଶମ ପାର୍ଟି ଓ ତୃଣମୂଳ କଂଗ୍ରେସ ଭଳି ଦଳ ଯାହା ସହିତ ରହିବେ ସେହି ମେଣ୍ଟ ଜିତିବା ସମ୍ଭାବନା ବୃଦ୍ଧି ପାଇବ।

ଘାଟାରେ ମୋଦି ସରକାର

ସର୍ଭେ ଅନୁଯାୟୀ ଏହି ଆକଳନରେ ମୋଦି ସରକାର ସାମାନ୍ୟ ଘାଟାରେ ରହିବେ। କିନ୍ତୁ ଏହାକୁ ବେଖାତିର୍ କଲେ ଚଳିବ ନାହିଁ। ଯେଉଁସବୁ ନିଷ୍ପତ୍ତି ମୋଦି ସରକାରଙ୍କୁ ଘାଟାରେ ପକାଇବାର ସମ୍ଭାବନା ରହିଛି ତାହା ହେଲା ନୋଟବନ୍ଦୀ ବା ବିମୁଦ୍ରାକରଣ। ୮ ନଭେମ୍ବର ୨୦୧୬ରେ ମୋଦି ସରକାର ନେଇଥିବା ନିଷ୍ପତ୍ତି ସବୁଠାରୁ ବିପଦପୂର୍ଣ୍ଣ ଥିଲା ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି। ବିମୁଦ୍ରାକରଣ ଯୋଗୁଁ ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟକୁ ଅଚଳ କରିଦିଆଯାଇଥିଲା।

ସର୍ଭେରେ ୭୩ ପ୍ରତିଶତ ଲୋକ କହିଛନ୍ତି ଯେ ନୋଟବନ୍ଦୀରୁ ଯେତିକି ଫାଇଦା ହେଲା ତା’ ତୁଳନାରେ ଲୋକଙ୍କୁ ବହୁତ କଷ୍ଟ ବି ଦେଲା। ଏହାସହ ବେରୋଜଗାର, ଦରଦାମ ବୃଦ୍ଧି ଓ ଦୁର୍ନୀତି ପ୍ରସଙ୍ଗକୁ ସର୍ଭେରେ ସ୍ଥାନ ଦିଆଯାଇଥିଲା।

୩୪ ପ୍ରତିଶତ ଲୋକଙ୍କ ପାଇଁ ବେରୋଜଗାରୀ ବଡ଼ ସମସ୍ୟା ହୋଇଥିବା ବେଳେ ୨୪ ପ୍ରତିଶତ ଲୋକଙ୍କ  ପାଇଁ ଦର ବୃଦ୍ଧି ବଡ଼ ସମସ୍ୟା। ୧୮ ପ୍ରତିଶତ ଲୋକଙ୍କ ପାଇଁ ଦୁର୍ନୀତି ସବୁଠାରୁ ବଡ଼ ପ୍ରସଙ୍ଗ ଓ ଏଥିରେ ସେମାନେ ଅଣ ନିଶ୍ୱାସୀ ହୋଇଯାଇଥିବା ମତ ଦେଇଛନ୍ତି। ଏଣୁ ଆଗାମୀ ନିର୍ବାଚନରେ ଯେଉଁ ଦଳ ଏହି ତିନିଟି ପ୍ରସଙ୍ଗ ଉପରେ ଖେଳଟି ଖେଳିବ ନିଃସନ୍ଦେହରେ କ୍ଷମତା ତା’ ହାତକୁ ଯିବ।

ବିଜେପି ଓ ଏନଡିଏ ପାଇଁ ବେରୋଜଗାର ଓ ଦୁର୍ନୀତି ପ୍ରସଙ୍ଗ ଚିନ୍ତାର କାରଣ ହେବା ଦେଖାଯାଉଛି। କାରଣ ଏହି ଦୁଇଟି ମୁଦ୍ଦାକୁ ନେଇ ମୋଦି ସରକାର କ୍ଷମତାକୁ ଆସିଥିଲା।

ମୋଦି ଏବେ ବି ପସନ୍ଦ

ଲୋକପ୍ରିୟତା କଥା ଯଦି ଉଠିବ ତେବେ ୫୫ ପ୍ରତିଶତ ଲୋକ ଚାହୁଁଛନ୍ତି ପୁଣି ମୋଦି ହିଁ ପ୍ରଧାନମନ୍ତ୍ରୀ ହୁଅନ୍ତୁ। ଅବଶ୍ୟ ଜାନୁଆରୀ ମାସରେ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେ ତୁଳନାରେ ଏଥର ମୋଦିଙ୍କ ଲୋକପ୍ରିୟତା କିଛି ମାତ୍ରାରେ କମିଛି। କିନ୍ତୁ ଅନ୍ୟ ନେତାମାନଙ୍କ ତୁଳନାରେ ମୋଦି ଏବେ ବି ଢେର ଉପରେ ଅଛନ୍ତି। ୫୬ ପ୍ରତିଶତ ଲୋକ ମୋଦି ସରକାରଙ୍କ କାମରେ ଖୁସି ଥିବା କହିଛନ୍ତି। ଏଣୁ ସବୁ କଥାକୁ ଏକାଠି ଦେଖିଲେ ଲୋକେ ଦ୍ୱିତୀୟ ଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି।

ଏଣେ ୪୭ ପ୍ରତିଶତ ଲୋକ କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ପୁରୁଣା ଭାଗ୍ୟ ଫେରିପାରିବ। ୪୬ ପ୍ରତିଶତ ଲୋକଙ୍କ ମତ ହେଉଛି ଯଦି ଅଚାନକ ରାହୁଲ ପ୍ରଧାନମନ୍ତ୍ରୀ ହେଇ ବି ଯାଉଛନ୍ତି ଅନ୍ୟ ବିରୋଧୀ ଦଳ ସହଜରେ ପାଖକୁ ଆସିଯିବେ।

ଏହି ସର୍ଭେର ଫଳାଫଳରୁ ଯାହା ଜଣାପଡ଼ୁଛି ୨୦୧୯ ଲୋକସଭା ନିର୍ବାଚନରେ ଏକାକୀ କୌଣସି ଦଳ ସଫଳତା ହାସଲ କରିବା କଷ୍ଟ। ଯଦି ନିର୍ବାଚନରେ କଂଗ୍ରେସ ଭଲ କରେ ଓ ନୀତିଶ କୁମାରଙ୍କ ଭଳି ନେତା କଡ଼ ଲେଉଟାନ୍ତି ଏବଂ ବିରୋଧୀ ଦଳ ଏକାଠି ହୁଅନ୍ତି ତେବେ ବିଜେପି ଓ ଏନଡିଏ ମେଣ୍ଟ କ୍ଷମତାଚ୍ୟୁତ ହେବା ପକ୍କା। ହେଲେ ବିଭାଜିତ ବିରୋଧୀ ଦଳ ଏକାଠି ହେବାର ବିଶେଷ ସମ୍ଭାବନା ଦେଖାଯାଉନାହିଁ, ଯାହାର ଅର୍ଥ ମୋଦି – ଶାହଙ୍କ ଯୋଡ଼ି ହାତରେ ପୁଣି କ୍ଷମତା ରହିବ।

Comment