ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋବାଇଲ ଚୋରି ଅଭିଯୋଗରେ ଅଭିଯୁକ୍ତ ମୁଷାକୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିଲା ପୋଲିସ। ହେଲେ ପୋଲିସକୁ ଚକ୍‌ମା ଦେଖାଇ ମୁଷା ମାରିଲା ଚମ୍ପଟ।

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନାରୁ ଜଣେ ଅଭିଯୁକ୍ତ ଆଜି ରାତିରେ ଚମ୍ପଟ ମାରିଛି । ଚମ୍ପଟ ମାରିଥିବା ଅଭିଯୁକ୍ତ ଜଣକ ହେଲେ  ମୁଷା ଓରଫ ଅବିନାଶ ପାଇଟାଳ। ଅବିନାଶର ଘର ମାର୍ଶାଘାଇ ଥାନା ଅନ୍ତର୍ଗତ ବାଲଣା ଗାଁରେ।

ମୁଷା ଗତ କିଛିଦିନ ହେଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଚଡ଼େଇଗୁଆଁ ଗାଁରେ ଉତ୍ପାତ କରୁଥିଲା। ବିଭିନ୍ନ ଲୋକଙ୍କ ଘରେ ପସି ମୋବାଇଲ ଚୋରି କରୁଥିବା ଅଭିଯୋଗ ହୋଇଥିଲା।

ଗତକାଲି ମୁଷା ଚଡେଇଗୁଆଁ ଗାଁର ଏକ ବାଉଁସ ବୁଦାରେ ଲୁଚିଥିବା ବେଳେ ଗାଁ ଲୋକେ ମୁଷାକୁ ଧରି ପୋଲିସ ଜିମା ଦେଇଥିଲେ।

ପୋଲିସ ମୁଷାଠାରୁ ଏକ ଚୋରି ମୋବାଇଲ ମଧ୍ୟ ଉଦ୍ଧାର କରିଥିଲା। ହେଲେ ଅବଶିଷ୍ଟ ଚୋରି ମୋବାଇଲଗୁଡ଼ିକୁ ଉଦ୍ଧାର କରିବାକୁ ପୋଲିସ ମୁଷାକୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିଲା।

ରାତି ପ୍ରାୟ ୧୦ଟା ବେଳେ ମୁଷା ଥାନା ବାହାରେ ଥିବା ପାଇଖାନାକୁ ଶୌଚ ହେବା ପାଇଁ ଯାଇଥିଲା। ହେଲେ ଆଉ ଫେରି ନଥିଲା। କିଛି ସମୟ ପରେ ପୋଲିସ ମୁଷାକୁ ଖୋଜିଥିଲେ। ହେଲେ ମୁଷା ସେଠାରେ ମିଳି ନଥିଲା। ମୁଷା ଦଳିତ ବସ୍ତି ଦେଇ ଫେରାର ହୋଇଯାଇଥିବା କୁହାଯାଉଛି। ମୁଷାକୁ ଠାବ କରିବାକୁ ପୋଲିସ ନାକେଦମ୍ ହେଲାଣି।

LEAVE A REPLY

Please enter your comment!
Please enter your name here