ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରଙ୍କ ସମସ୍ତ ପ୍ରକାର ପ୍ରତିଶ୍ରୁତି ଏବଂ ସାନ୍ତ୍ୱନା ନିରର୍ଥକ ହେବା ପରେ ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି।
ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ। କ୍ୟାଡର ପୁନଃଗଠନ ଦାବିରେ ଆଜିକୁ ୧୧ଦିନ ହେଲା ଆନ୍ଦୋଳନ କରୁଛନ୍ତି କର୍ମଚାରୀ। ବିଭିନ୍ନ ନିର୍ଦ୍ଦେଶାଳୟ କର୍ମଚାରୀଙ୍କ କ୍ୟାଡର ପୁନଃଗଠନ ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇସାରିଛନ୍ତି। ଏହାକୁ ଲାଗୁ କରିବାକୁ ଅଯଥା ଟାଳଟୁଳ ନୀତି କରାଯାଉଥିବା କର୍ମଚାରୀ ଅଭିଯୋଗ କରିଛନ୍ତି। ହଜାରରୁ ଅଧିକ କର୍ମଚାରୀଙ୍କ ଆନ୍ଦୋଳନ ସାମିଲ ହୋଇଛନ୍ତି। ସେପଟେ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।
ଗତ ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। କ୍ୟାଡର୍ ପୁନର୍ଗଠନ ଏବଂ ଅନ୍ୟାନ୍ୟ ଦାବି ନେଇ ଓଡ଼ିଶା ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର ଏବଂ ଓଡ଼ିଶା ବିଭାଗୀୟ ମୁଖ୍ୟ ଅମଲା ସଂଘ ଡାକରାରେ ଏହି ଆନ୍ଦୋଳନ ସାମିଲ ହୋଇଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର୍(ଆର୍ଡିସି)ଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ। ଫଳରେ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଆର୍ଡିସିଙ୍କ କାର୍ଯ୍ୟାଳୟରେ ଅଚଳାବସ୍ଥା ଦେଖାଦେଇଛି। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇପାରୁ ନାହିଁ। କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ, କ୍ୟାଡର୍ ପୁନର୍ଗଠନ ପାଇଁ ସେମାନେ ଦୀର୍ଘ ଦିନ ହେଲା ଦାବି କରୁଛନ୍ତି।
ଅନେକ ଥର ଆନ୍ଦୋଳନ ହୋଇଛି, ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ତଥାପି ଫଳ ଶୂନ୍। ସଂଘର ୨୯ତମ ସମ୍ମିଳନୀ ମାର୍ଚ୍ଚ ୧୬ରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥିଭାବେ ଯୋଗଦେଇ ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କ କ୍ୟାଡର୍ ପୁନର୍ଗଠନ ଖୁବ୍ ଶୀଘ୍ର କରାଯିବ ବୋଲି ଘୋଷଣା କରିଥିଲେ। ଏ ଦିଗରେ ପରବର୍ତ୍ତୀ ସମୟରେ ତତ୍ପରତା ଦେଖାଦେଇଥିଲା। କାରଣ ଏପ୍ରିଲ୍ ୧୬ରେ କ୍ୟାଡର୍ ପୁନର୍ଗଠନ ନଥିକୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିବା ସହ ଅର୍ଥ ବିଭାଗକୁ ପଠାଇ ଦେଇଥିଲେ। ହେଲେ ନଥି ଆଉ ଆଗକୁ ଯାଉନି। ଏହା ଭିତରେ ୪ମାସ ବିତିଗଲାଣି। ହେଲେ କୌଣସି ନିଷ୍ପତ୍ତି ନିଆଯାଇପାରୁନି।
ଅର୍ଥ ବିଭାଗରେ ଫାଇଲ୍ ଅଟକି ରହିଛି। ଏହା ପଛରେ ସଚିବାଳୟର କେତେକ ଅଧିକାରୀଙ୍କ ଷଡଯନ୍ତ୍ର ରହିଛି ବୋଲି କର୍ମଚାରୀମାନେ ସନ୍ଦେହ କରୁଛନ୍ତି। କାରଣ ସଚିବାଳୟର ଗୋଟିଏ ଗୋଷ୍ଠୀ କ୍ୟାଡର୍ ପୁନର୍ଗଠନ ହେଉ ବୋଲି ଚାହୁଁନାହାନ୍ତି। ନୂଆ ପଦବୀ ସୃଷ୍ଟିକୁ ସେମାନେ ସହି ପାରୁନାହାନ୍ତି।
ଏପରିକି ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଥିଲେ ମଧ୍ୟ ସମ୍ପୃକ୍ତ ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କୁ ଖାତିର୍ କରୁନାହାନ୍ତି। ସେମାନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି।
ଏହାର ପ୍ରତିବାଦରେ ଗତ ଅଗଷ୍ଟ ୧ ତାରିଖରେ କଲମ ଛାଡ଼ ଆନ୍ଦୋଳନ କରାଯାଇଥିଲା। କିନ୍ତୁ ତୁରନ୍ତ ଏ ଦିଗରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତଥାପି କର୍ମଚାରୀମାନେ ଅଗଷ୍ଟ ୨ ତାରିଖରୁ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରୁଥିଲେ। ହେଲେ ଏହା ଭିତରେ ସେଭଳି କୌଣସି ପଦକ୍ଷେପ ନିଆ ନ ଯିବା ଫଳରେ ଗତ ୧୭ ତାରିଖରୁ କର୍ମଚାରୀମାନେ କଲମ ଛାଡ଼ ଆନ୍ଦୋଳନ କରୁଛନ୍ତି।
ଏଥିସହ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ମଧ୍ୟ ଦାବି କରାଯାଇଛି। ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍ଙ୍କ କାର୍ଯ୍ୟାଳୟରେ ବାନାମ୍ବର ସାହୁ, ଅଶୋକ କୁମାର ଜେନା, ଦୀପକ କୁମାର ପରିଡ଼ା, ଅନୁପ କୁମାର, ଫକୀର ମୋହନ ପଣ୍ଡା, କବିତା ପ୍ରଧାନ, ଆରତି ପଣ୍ଡା, ମମତା କୁମାରୀ ବିଷୋୟୀ, ସୁରେନ୍ଦ୍ର ମଲ୍ଲିକ, ଅସିମ ଭୋତ୍ରା, ଦିଲୀପ କୁମାର ସିଂ, ରବୀନ୍ଦ୍ର କୁମାର ପଣ୍ଡାଙ୍କ ସମେତ ୨୭ଜଣ କର୍ମଚାରୀ ଏବଂ ଅଧିକାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।


















