ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ

  • ବ୍ରେକ୍ ଫେଲ୍ ହୋଇ ଘାଟିରୁ ଖସିଲା ବସ୍
  • ଘଟଣାସ୍ଥଳରେ ପ୍ରାଣ ହରାଇଲେ ୨୫
  • ଗୁରୁତରଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର
  • ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ପ୍ରକାଶ କଲେ ଶୋକ
  • ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା

ତେଲେଙ୍ଗାନା କରିମନଗର ଜିଲ୍ଲାରେ ଆଜି ପୂର୍ବାହ୍ନରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାମସାଗରରୁ ଜାଗାଟିୟାଳୁ ଦେଇ ଭେମୂଳାପାଦୁ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍‌ଟି କୋଣ୍ଡାଗୁଡ଼ା ନିକଟରେ ବ୍ରେକ୍‌ଫେଲ୍ ହୋଇଯିବାରୁ ଘାଟିରୁ ଖସିପଡ଼ିଛି। ଫଳରେ ମୃତ୍ୟ ସଂଖ୍ୟା ବଢ଼ିଛି।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୋଟ ୪୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍‌ରେ ୮୦ ଜଣ ଯାତ୍ରୀ ଥିଲେ। କରିମନଗର ଜିଲ୍ଲାର କୋଣ୍ଡାଗାଟୁଠାରେ ଗୋଟିଏ ପ୍ରସିଦ୍ଧ ହନୁମାନ ମନ୍ଦିର ରହିଛି। ଏଠାରେ ପ୍ରତି ମଙ୍ଗଳବାର ଓ ଶନିବାର ଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ।

ବସ୍‌ଟି ରାମସାଗରଠାରୁ ଜାଗାଟିୟାଳୁ ଫେରୁଥିବା ସମୟରେ କୋଣ୍ଡାଗାଟୁ ନିକଟରେ ପ୍ରାୟ ୫୦ ଜଣ ଯାତ୍ରୀ ବସରେ ଚଢ଼ିଥିଲେ। ବସ୍‌ଟି ଓଭରଲୋଡ ଯୋଗୁଁ ଗୋଟିଏ ସ୍ପିଡ୍ ବ୍ରେକର ନିକଟରେ ବ୍ରେକ ଫେଲ ହୋଇଯାଇଥିଲା। ଫଳରେ ବସ୍ ଚାଳକ ଭାରସାମ୍ୟ ହରାଇଥିଲେ ଓ ବସ୍‌ଟି ଡାହାଣ ପଟ ଘାଟି ତଳକୁ ଓଲଟି ପଡ଼ିଥିଲା।

ଦୁର୍ଘଟଣାରେ ଘଟଣାସ୍ଥଳରେ ୨୫ ଜଣକର ମୃତ୍ୟୁ ଘଟିଥିଲା। ୮ ଜଣ ହସ୍ପିଟାଲ ଯିବା ରାସ୍ତାରେ ପ୍ରାଣ ହରାଇଥିବା ବେଳେ ଏବଂ ୧୦ ଜଣ ହସ୍ପିଟାଲରେ ଭର୍ତ୍ତି ହେବା ପରେ ମୃତ୍ୟୁ ଘଟିଛି। ୨୫ ଜଣ ଗୁରୁତର ଆହତ ହୋଇଛନ୍ତି।

୨୫ ଜଣକ ଭିତରେ ୮ ଜଣକ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ ଜାଗାଟିୟାଳୁ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଘଟଣାସ୍ଥଳରେ କରିମନଗର ଜିଲ୍ଲାପାଳ ଶରଥ କୁମାର, ପୋଲିସ କମିଶନର ସିନ୍ଧୁ ଶର୍ମା ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଯୋଗଦେଇଥିଲେ।

କମିଶନର ସିନ୍ଧୁ ଶର୍ମା କହିଛନ୍ତି, “ବସ୍ ଚାଳକ ବିଶ୍ୱନାଥ ଉକ୍ତ ରାସ୍ତା ପାଇଁ ନୂଆ ଥିଲେ। ବସ୍‌ରେ ଅଧିକ ଯାତ୍ରୀ ଥିବାରୁ ବ୍ରେକ୍ ଫେଲ୍ ହୋଇଥିଲା। ଫଳରେ ଘାଟିରୁ ବସ୍‌ଟି ଖସିପଡ଼ିଥିଲା।”

ତେଲେଙ୍ଗାନା ସଡ଼କ ଓ ପରିବହନ ମନ୍ତ୍ରୀ ମହେନ୍ଦ୍ର ରେଡ୍ଡୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିବା ସହ ଆହତଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିବା ପାଇଁ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରିମଣ୍ଡଳର ୫ ଜଣିଆ ଟିମ୍ ଓ ତେଲେଙ୍ଗାନା ସଡ଼କ ପରିବହନ ନିଗମର ଗୋଟିଏ ଟିମକୁ ଦୁର୍ଘଟଣାସ୍ଥଳ କୋଣ୍ଡାଗାଟୁରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comment