ବ୍ରହ୍ମପୁରରୁ ଦୀପକ କୁମାର ପଣ୍ଡା

ଦୀର୍ଘଦିନ ଧରି ପାଣି ସମସ୍ୟା ଲାଗି ରହିଥିବା ଯୋଗୁଁ ଶ୍ରୀରଙ୍ଗରାଜପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଗତକାଲି ରାସ୍ତାରୋକ କରିଥିଲେ। କୁକୁଡ଼ାଖଣ୍ଡି ବ୍ଲକ୍ ଗୁରୁଣ୍ଠି ପଞ୍ଚାୟତର ଶ୍ରୀରଙ୍ଗରାଜପୁର ଗ୍ରାମରେ ବହୁଦିନ ଧରି ପାଣି ସମସ୍ୟା ଲାଗି ରହିଛି।

ଏନେଇ ବାରମ୍ବାର ସରପଞ୍ଚ ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଯାହାଫଳରେ ଏହାର ପ୍ରତିବାଦରେ ଗତକାଲି ଦିନ ୧୦ଟାରୁ ବେଲଗାଁ-ବ୍ରହ୍ମପୁର ମୁଖ୍ୟରାସ୍ତା ଗୁରୁଣ୍ଠି ଛକ ନିକଟରେ ମାଠିଆ, ବାଲଟି ଧରି ଶତାଧିକ ମହିଳା ଓ ପୁରୁଷ ଧାରଣାରେ ବସିଥିଲେ।

ରାସ୍ତାରୋକ ଯୋଗୁଁ ଶହଶହ ଗାଡ଼ି ଓ ବସ୍ ଅଟକି ରହିଥିଲା। ଘଟଣାର ଖବର ପାଇ ସଦର ଥାନା ଅଧିକାରୀ ଶିବଶଙ୍କର ମହାପାତ୍ର, ନିମଖଣ୍ଡି ଫାଣ୍ଡି ଅଧିକାରୀ ନାରାୟଣ ସ୍ୱାଇଁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ପରେ କୁକୁଡ଼ାଖଣ୍ଡି ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାସହ ଆସନ୍ତା ୨୦ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ରାସ୍ତାରୋକରୁ ହଟିଥିଲେ।

 

Comment