ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବାଂଲାଦେଶୀ ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

ଓଡ଼ିଶାର ଭୋଟର ତାଲିକାରେ ଥିବା ବାଂଲାଦେଶୀଙ୍କ ନାମକୁ ବାଦ ଦେବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଆସନ୍ତା ଏପ୍ରିଲ ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହି କାମଟି ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ନିର୍ବାଚନ କମିଶନଙ୍କ ପକ୍ଷରୁ ଓଡ଼ିଶାରେ ଏବେ ଭୋଟର ତାଲିକା ପ୍ରସ୍ତୁତ ଓ ସଂଶୋଧନ କାମ  ଜୋରସରରେ ଚାଲିଛି। ବାଂଲାଦେଶରୁ ଆସି ରହୁଥିବା ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ବିଭିନ୍ନ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଯେଉଁ ବାଂଲାଦେଶୀଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯାଇଛି ତାହାକୁ ଲିଭାଇବା ପାଇଁ ଜିଲ୍ଲା ସ୍ତରରେ ତତ୍ପରତା ପ୍ରକାଶ ପାଇଥିବା କଥା ଜଣାପଡ଼ିଛି।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲରେ କେବଳ ୧୩୭ ଜଣଙ୍କ ନାମ ତାଲିକାରୁ ବାଦ ଦିଆଯାଇଛି। କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ କାମ ଚାଲିବ। ସରକାରୀ ତଥ୍ୟ ଅନୁଯାୟୀ ଓଡ଼ିଶାରେ ବେଆଇନ ଭାବେ ୩୯୭୮ ଜଣ ବାଂଲାଦେଶୀ ବସବାସ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଉପକୂଳବର୍ତ୍ତି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ରହିଆସିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ୧୬୪୯ ଜଣ ବାଂଲାଦେଶୀ ରହୁଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଏମାନଙ୍କ ସଂଖ୍ୟା ୧୧୧୨୧। ମୁଖ୍ୟତଃ ଜଗତସିଂହପୁର ଓ ପାରାଦୀପ ଉପକୂଳରେ ଏମାନଙ୍କୁ ଠାବ କରାଯାଇଛି।

ବେଆଇନ ଭାବେ ଆସି ଏଠି ରହୁଥିବା ପ୍ରାୟ ୪ ହଜାର ଲୋକଙ୍କ ଭିତରୁ ୩୬୨ ପରିବାରର ୧୫୫୧ ଜଣ ସଦସ୍ୟ ମହାକାଳପଡ଼ା ଅଞ୍ଚଳରେ ବର୍ଷ ବର୍ଷ ଧରି ଜୀବିକା ନିର୍ବାହ କରୁଛନ୍ତି। ୨୦୦୫ ମସିହାରେ ଅଞ୍ଚଳ ଛାଡ଼ି ଚାଲିଯିବା ପାଇଁ ଏମାନଙ୍କୁ ନୋଟିସ ହୋଇଥିଲା। କିନ୍ତୁ ସେତେବେଳର କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଫଳରେ ଏହି ବିଦା ଉଦ୍ୟମକୁ ସ୍ଥଗିତ ରଖାଯାଇଥିଲା।

Comment