ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରୀ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିଛଛନ୍ତି।

ପୁରୀ ଶ୍ରୀମନ୍ଦିରରେ ଆସିବ ସଂସ୍କାର। ଏଥିପାଇଁ ପୁରୀରେ ପହଞ୍ଚିଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ। ପୁରୀ ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଶ୍ରୀମନ୍ଦିର ପରମ୍ପରା ସମ୍ପର୍କରେ ପଚାର ବୁଝିଛନ୍ତି।

ଗୁରୁବାର ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲେ ଗୋପାଳ ସୁବ୍ରମଣ୍ୟ। ଆଜି ସକାଳୁ ସେ ପୁରୀ ଅଭିମୁଖେ ଯାଇଥିଲେ। ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ। ଏହାସହ ଶ୍ରୀମନ୍ଦିର ସଂସ୍କାର ପାଇଁ ରାଜ୍ୟ ସରକାର ଗଠନ କରିଥିବା ତିନି ଜଣିଆ କମିଟି ସଦସ୍ୟଙ୍କୁ ଭେଟିଲେ ଆମିକସ୍ କ୍ୟୁରୀ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିରରେ ପ୍ରଶାସନ କ’ଣ ପଦକ୍ଷେପ ନେଇଛି ତାହା ପଚାରିଥିଲେ। ସୁପ୍ରିମକୋର୍ଟଙ୍କ ୧୨ ନିର୍ଦ୍ଦେଶ ମଧ୍ୟରୁ ୯ଟିକୁ ଗ୍ରହଣ କରିବା ପାଇଁ ସେବାୟତ ରାଜି ହୋଇଥିବା ବେଳେ ୩ଟିରେ ରାଜି ହେଉ ନଥିବା ଶ୍ରୀମନ୍ଦିର ପ୍ରଶାସନ ଆମିକସ୍ କ୍ୟୁରୀଙ୍କୁ ଜଣାଇଥିଲେ। ଏହି ଆଲୋଚନା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଏବଂ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ଉପସ୍ଥିତ ଥିଲେ।

ଏହାପରେ ଆମିକସ୍ କ୍ୟୁରୀ ଆନନ୍ଦ ବଜାର ପରିଦର୍ଶନ କରିଥିଲେ। ଆନନ୍ଦ ବଜାରରେ ଅବଢ଼ା ଦର ତାଲିକା ଟଙ୍ଗା ଯାଇଥିବା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ ସେ। ଏହାକୁ ହଟାଇବା ପାଇଁ ପରାମର୍ଶ ଦେଇଥିଲେ ଆମିକସ୍ କ୍ୟୁରୀ। ତେବେ ଅବଢ଼ା ଦର ତାଲିକା ହଠାତ୍ ଆନନ୍ଦ ବଜାର ଭିତରେ କୁଆଡ଼ୁ ଆସିଲା ସେନେଇ ଶ୍ରୀମନ୍ଦିର ପ୍ରଶାସନ ନୀରବ ରହିଥିଲା। କୌଣସି ଠୋସ୍ ଉତ୍ତର ଦେଇପାରି ନଥିଲେ ଶ୍ରୀମନ୍ଦିର ପ୍ରଶାସକ।

“ଆମିକସ୍ କ୍ୟୁରୀଙ୍କ ସହିତ ପ୍ରଶାସନର ଆଲୋଚନା ହୋଇଛି। ଶ୍ରୀମନ୍ଦିର ସମ୍ପର୍କରେ ତାଙ୍କୁ ସମସ୍ତ ତଥ୍ୟ ଦିଆଯାଇଛି। ଶ୍ରୀମନ୍ଦିରର ଇତିହାସ, ପୂଜାପାର୍ବଣ, ମନ୍ଦିର ପରିଚାଳନା ଉପରେ ତଥ୍ୟ ଦିଆଯାଇଛି। ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ଆଲୋଚନା କରାଯାଇଛି”, କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର।

ପ୍ରଶାସନ ସହ ଆଲୋଚନା କରିବା ପରେ ପୁରୀ ଗୋବର୍ଦ୍ଧନ ପୀଠକୁ ଯାଇଥିଲେ ଆମିକସ୍ କ୍ୟୁରୀ। ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିଥିଲେ। ଶ୍ରୀମନ୍ଦିର ପରମ୍ପରା ସମ୍ପର୍କରେ ଶଙ୍କରାଚାର୍ଯ୍ୟ ଆମିକସ୍ କ୍ୟୁରୀଙ୍କୁ ଅବଗତ କରିଥିଲେ। ଶ୍ରୀମନ୍ଦିରରେ କିପରି ସଂସ୍କାର ଅଣାଯାଇ ପାରିବ ସେ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ଆମିକସ୍ କ୍ୟୁରୀ।

ଶନିବାର ଦିନ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ପରିଚାଳନା କମିଟି, ପୁରୀ ବିଧାୟକ ମହେଶ୍ୱର ମହାନ୍ତି, ସାଂସଦ ପିନାକୀ ମିଶ୍ର ଏବଂ ଆଡଭୋକେଟ ଜେନେରାଲଙ୍କୁ ଭେଟିବେ।

ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଜୁନ୍ ୫ରେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟରେ ସଂସ୍କାର ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମନ୍ଦିରରେ ୧୨ଟି ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏନେଇ ସୁପ୍ରିମକୋର୍ଟ ଗୋପାଳ ସୁବ୍ରମଣ୍ୟମଙ୍କୁ ଆମିକସ୍ କ୍ୟୁରୀ ଭାବେ ନିଯୁକ୍ତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here