ଭାସ୍କର ପରିଛା

“ମୁଁ ଅର୍ଥନୀତିକୁ ନେଇ ବିବ୍ରତ ନୁହେଁ କାରଣ ମୁଁ ସେଥିରୁ କିଛି ବୁଝେ ନାହିଁ”- ଅଜ୍ଞାତ

ଓଡ଼ିଶାର ଅର୍ଥନୀତିକୁ ନେଇ ଯେ ସାମ୍ପ୍ରତିକ ସମୟରେ ବେଶ୍ କିଛି ପ୍ରତିନିଧିସ୍ତରୀୟ ପୁସ୍ତକ ରଚନା ହୋଇଛି ସେ କଥା କହିବା କଷ୍ଟ। ଇଂରାଜୀରେ କାଁଭାଁ ଦୁଇ ଚାରୋଟି ପୁସ୍ତକ ଲେଖା ହୋଇଥିବା ବେଳେ ଓଡ଼ିଆରେ ତ ବିଲକୁଲ ହିଁ ନାହିଁ। କିଛି ମାସ ତଳେ ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ ପକ୍ଷରୁ ଦିଲ୍ଲୀ ସ୍କୁଲ ଅଫ ଇକନମିକ୍‌ସର ଅବସରପ୍ରାପ୍ତ ପ୍ରଫେସର ପୁଲିନ ନାୟକ, ଦିଲ୍ଲୀସ୍ଥିତ ସାଉଥ ଏସିଆନ ୟୁନିଭରସିଟିର ପ୍ରଫେସର ସନ୍ତୋଷ ପଣ୍ଡା ଓ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଶାନ୍ତ ପଟ୍ଟନାୟକଙ୍କ ସମ୍ପାଦନାରେ ‘ଦ ଇକନମି ଅଫ ଓଡ଼ିଶା: ଏ ପ୍ରୋଫାଇଲ’ ଶୀର୍ଷକ ଏକ ପୁସ୍ତକ ପ୍ରକାଶ ପାଇଛି। ଅର୍ଥନୀତିର ଅଧ୍ୟାପକ ଓ ଗବେଷକଙ୍କ ଦ୍ୱାରା ଲିଖିତ ପ୍ରବନ୍ଧର ଏକ ସଂକଳନ ହେଲେ ମଧ୍ୟ ଓଡ଼ିଶାର ଅର୍ଥନୀତିକୁ ନେଇ ଏହା ଏକ ଉଲ୍ଲେଖଯୋଗ୍ୟ ପ୍ରଚେଷ୍ଟା।

ଯେତେବେଳେ ଓଡ଼ିଆରେ ରାଜ୍ୟ ଅର୍ଥନୀତି ସମ୍ପର୍କିତ ପୁସ୍ତକ କଥା ଆମେ କହିବା ନିଶ୍ଚିତ ଭାବରେ ନିରୁତ୍ସାହିତ ହେବା। କାରଣ ଏଯାଏଁ ଏହା ଏକ ଅପହଞ୍ଚ ଇଲାକା ହୋଇ ରହିଆସିଥିଲା। ସୁଖର କଥା ଯେ, ପଞ୍ଚାନନ କାନୁନଗୋ ସେହି ଗତିରୋଧକୁ ଭାଙ୍ଗି ଓଡ଼ିଶାର ଅର୍ଥନୀତିକୁ ନେଇ ଏକ ଉପାଦେୟ ପୁସ୍ତକର ପ୍ରୟାସ କରିଛନ୍ତି।

ଓଡ଼ିଶାର ଅର୍ଥନୀତି ଉପରେ ପୁସ୍ତକ ଲେଖିବା ପାଇଁ ପଞ୍ଚାନନ କାନୁନଗୋ ଜଣେ ଅତ୍ୟନ୍ତ ଯୋଗ୍ୟ ବ୍ୟକ୍ତି ଏଥିରେ ଦ୍ୱିମତ ଥାଇନପାରେ। ଏକେ ତ ସେ ଓଡ଼ିଶାର ଅର୍ଥମନ୍ତ୍ରୀ ଥିଲେ। ତାଛଡ଼ା ସେ ଏ ବିଷୟରେ ବିଭିନ୍ନ ମଞ୍ଚରେ ଆଲୋଚନା ବି କରନ୍ତି ଓ ତାଙ୍କର ଅଧ୍ୟୟନ ବି ସୁଦୂରପ୍ରସାରୀ। ନିଜେ ସେ ଜଣେ ଶ୍ରମିକ ନେତା ମଧ୍ୟ ଓ ଚାଷୀ ପରିବାରରୁ ଆସିଥିବାରୁ ଅର୍ଥନୀତି ବିଷୟରେ ବୌଦ୍ଧିକ ଏବଂ ତୃଣମୂଳ ସ୍ତରରେ ରହିଥିବା ତାଙ୍କ ଜ୍ଞାନକୁ ଅନ୍ୟ କେହି ଅତିକ୍ରମ କରିବାକୁ ସାହସ କରିବେ ନାହିଁ।

ତିନି ଶହ ପୃଷ୍ଠାର ଏହି ଅର୍ଥନୀତିକ ଇତିହାସ ପୁସ୍ତକର ଭିତରେ କ’ଣ ଅଛି ଓ କେଉଁ ଉଦ୍ଦେଶ୍ୟ ନେଇ ଲେଖକ ଏହାକୁ ଲେଖିଛନ୍ତି ସେ ସମ୍ପର୍କରେ ପ୍ରକାଶକ ଯାହା କହିଛନ୍ତି ସେଥିରୁ ଜାଣିହେବ ଗ୍ରନ୍ଥର ଆଭିମୁଖ୍ୟ: ‘ଚମତ୍କାର ଜାତୀୟ ବୋଧ, ମାଟି ମମତାରେ ଭରପୁର ଇତିହାସ ଏବଂ ଅର୍ଥନୀତିର ଏହା ଏକ ସମଷ୍ଟିଗତ ଉପସ୍ଥାପନା। ରାଜ୍ୟ ସମ୍ପଦ ସମୂହର ଉପସ୍ଥାପନ କରିବା ଅବସରରେ ବିଭିନ୍ନ ସମୟର ରାଜନୈତିକ ବ୍ୟବସ୍ଥା ଓ ସେଥି ସହ ଜଡ଼ିତ ହୋଇ ରହିଥିବା ଅର୍ଥନୀତି ଓ ସମ୍ବଳ ଅପହରଣର ବିବରଣୀ ଏଥିରେ ରହିଛି।’

ଆଲୋଚ୍ୟ ପୁସ୍ତକଟି ଓଡ଼ିଶା ଅର୍ଥନୀତିର ଇତିହାସ ନୁହେଁ, ବରଂ ଓଡ଼ିଶା ଇତିହାସର ଅର୍ଥନୈତିକ ଦିଗର ଏକ ସ୍ଥୂଳ ଅବତାରଣା କହିଲେ ଅଧିକ ଠିକ୍ ହେବ। ଆଉ ଏଭଳି ହେବାର କାରଣ ବି ରହିଛି। ପଞ୍ଚାନନ କାନୁନଗୋଙ୍କ ଅଧ୍ୟୟନ ଓ ପାଣ୍ଡିତ୍ୟର ଯଥାର୍ଥ ପ୍ରତିଫଳନ ଏହି ପୁସ୍ତକ। ତାଙ୍କ ମନନଶୀଳତା ଓ ଅଧ୍ୟବସାୟକୁ ଆପଣ ଶୁଷ୍କ ଅର୍ଥନୀତିକ ତତ୍ତ୍ୱ ଭିତରେ କଦାପି ବାନ୍ଧି ରଖିପାରିବେ ନାହିଁ। କାରଣ ସେହି କାମଟି ହେଉଛି ଅର୍ଥନୀତି ଅଧ୍ୟାପକମାନଙ୍କର। ଅବଶ୍ୟ ଏମିତି ଦେଖିବାକୁ ଗଲେ ଅର୍ଥନୀତି ସହିତ ବହୁ ବିଷୟ ଜଡ଼ିତ ହୋଇ ରହିଥାଏ – ଇତିହାସ, ଭୂଗୋଳ, ରାଜନୀତି, ପ୍ରଶାସନ ସବୁ କିଛି। ଆଉ ଏ ସବୁର ତର୍ଜମା କଲେ ଯାଇ ଆପଣ ଏକ ଭଲ ଇତିହାସ ପୁସ୍ତକ ଲେଖିପାରିବେ, ଯାହାକି ପଞ୍ଚାନନ କାନୁନଗୋ ଏଠି କରିଛନ୍ତି।

ପୁସ୍ତକ ଆରମ୍ଭରେ ‘କିଛି କଥା – କିଛି କୃତଜ୍ଞତା’ ଶୀର୍ଷକରେ ଶ୍ରୀ କାନୁନଗୋ ଗୋଟିଏ ଭଲ କଥା କହିଛନ୍ତି ଯେ ସେ ନିଜେ ଏହି ପୁସ୍ତକର ଲେଖକ ହେଲେ ମଧ୍ୟ ଏହାକୁ ପୂର୍ଣ୍ଣାଙ୍ଗ ଓ ତଥ୍ୟଗତ ଭାବେ ତ୍ରୁଟିଶୂନ୍ୟ କରିବା ପାଇଁ ଯେଉଁମାନଙ୍କ ସାହାଯ୍ୟ ନିଆଯାଇଛି ସେମାନେ ବି ଆପଣାଛାଏଁ ବହିଟିର ଅଂଶ ବିଶେଷ ହୋଇପଡ଼ିଛନ୍ତି। ଏଣୁ ପ୍ରସାଦ ହରିଚନ୍ଦନଙ୍କ ଭାଷାରେ କହିଲେ ପୁସ୍ତକର ଲେଖକ ‘ମୁଁ ନୁହେଁ ଆମେ’।

ପୁସ୍ତକଟିର ଏକ ଉଲ୍ଲେଖଯୋଗ୍ୟ କଥା ହେଉଛି ଏହାର ମୁଖବନ୍ଧ। ଅବସରପ୍ରାପ୍ତ ପ୍ରଶାସକ ସଞ୍ଜୀବ ଚନ୍ଦ୍ର ହୋତା ଲେଖିଥିବା ପୂର୍ବାଭାଷରେ ଓଡ଼ିଶାର ସାମ୍ପ୍ରତିକ ଅର୍ଥନୀତି ସମ୍ପର୍କରେ ଏକ ପ୍ରାଞ୍ଜଳ ଧାରଣା କରିହେବ। ବିଗତ ୫୦ ବର୍ଷ ଧରି ଓଡ଼ିଶାର ଅର୍ଥନୀତି ଯେଉଁ ଧାରା ଦେଇ ଗତି କରିଛି ତାର ଏକ ସଂକ୍ଷିପ୍ତ ପରିଚୟ ସେ ଏଥିରେ ଦେଇଛନ୍ତି।

ପ୍ରାକ-କଥନ, ମାଟିର ସ୍ଥିତି ଓ ପ୍ରକୃତି, ପ୍ରାଚୁର୍ଯ୍ୟ, ସମ୍ପଦ ଉପରେ ଆଖି ଓ ଲୁଟତରାଜ, ଔପନିବେଶୀୟ ଶାସନ, ସ୍ୱାଧୀନତା ପରେ କେନ୍ଦ୍ର ରାଜ୍ୟ ସମ୍ପର୍କ, ଉପସଂହାର ଓ ସହାୟକ ଗ୍ରନ୍ଥ ସୂଚୀ -ପାଦଟୀକା ଏହିଭଳି ବିଭିନ୍ନ ବିଭାଗରେ ସଜ୍ଜିତ ଏହି ପୁସ୍ତକରେ ଲେଖକ ଗଭୀର ମନୋନିବେଶ କରିଛନ୍ତି। ଯେଉଁମାନେ ଓଡ଼ିଶାର ଅତୀତ ଇତିହାସର ଖୋଜଖବର ରଖନ୍ତି ଏବଂ ଏଯାଏଁ ଓଡ଼ିଶାର ଅର୍ଥନୀତି କିଭଳି ଗଡି ଆସିଛି ସେ ସମ୍ପର୍କରେ ଅଧିକ ଜାଣିବା ପାଇଁ ଚାହାଁନ୍ତି ସେମାନଙ୍କ ପାଇଁ ଏହି ପୁସ୍ତକର ବିଶେଷ ଆବଶ୍ୟକତା ରହିଛି। ତାଛଡ଼ା ଓଡ଼ିଶାର ଅର୍ଥନୀତି ଉପରେ ଯେଉଁମାନେ ଲେଖାଲେଖି କରୁଛନ୍ତି ସେମାନଙ୍କ ପାଇଁ ଏହା ନିଶ୍ଚିତ ସଂଗ୍ରହଣୀୟ।

ଗଭୀର ଅନୁଧ୍ୟାନ-ସମ୍ବଳିତ ପଞ୍ଚାନନ କାନୁନଗୋଙ୍କ ଏହି ଗ୍ରନ୍ଥ ଓଡ଼ିଶାର ଅର୍ଥନୀତି ସାହିତ୍ୟ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଅବଦାନ। ଏଥିରେ ଏତେ ତଥ୍ୟ ପ୍ରଦାନ କରାଯାଇଛି ଯେ ଆପଣଙ୍କୁ ଆଉ କେଉଁଠିକୁ ଯିବାକୁ ହେବ ନାହିଁ। ଯେଉଁମାନେ ଆଗକୁ ଓଡ଼ିଶାର ଅର୍ଥନୀତି ଉପରେ ବହି ଲେଖିବେ ପଞ୍ଚାନନ କାନୁନଗୋ ଏହି ପୁସ୍ତକ ଜରିଆରେ ସେମାନଙ୍କ ପାଇଁ କାମଟି ସହଜ କରିଦେଇଛନ୍ତି ବୋଲି ଧରିନେବାକୁ ହେବ।

ପୁସ୍ତକର ଏକ ରୋଚକ ଦିଗ ହେଉଛି ଏହାର ପ୍ରଚ୍ଛଦ। ବିଜୟ ପ୍ରଧାନଙ୍କ ଦ୍ୱାରା ଏକ ବୁଡ଼ି ଯାଉଥିବା ଜାହାଜର ଚିତ୍ର (ପାରାଦୀପ ସମୁଦ୍ରରେ ବୁଡ଼ି ରହିଥିବା ବ୍ଲାକ ରୋଜ୍?) ଓଡ଼ିଶାର ବିପର୍ଯ୍ୟସ୍ତ ଅର୍ଥନୀତିକୁ କେବଳ ସୁଚାଉଛି। ଓଡ଼ିଶା ଅର୍ଥନୀତି ଇତିହାସ ଲେଖକ: ପଞ୍ଚାନନ କାନୁନଗୋ, ପ୍ରକାଶକ: ଲେଖାଲେଖି ବିଏଲ -୮, ଭିଏସଏସ ନଗର, ଭୁବନେଶ୍ୱର ମୂଲ୍ୟ ୩୦୦ ଟଙ୍କା।

Comment