ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚେନ୍ନାଇ ଇନଭେଷ୍ଟର୍ସ ମିଟ୍‌ରେ ଶିଳ୍ପପତିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁମ୍ବାଇ ଏବଂ ଦିଲ୍ଲୀ ପରେ ଆଜି ଚେନ୍ନାଇରେ ଅନୁଷ୍ଠିତ ହୋଇଛି ଇନଭେଷ୍ଟର୍ସ ମିଟ୍। ଏହି ଇନଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଶିଳ୍ପପତିମାନଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆହ୍ୱାନ କରିଛନ୍ତି ନବୀନ।

ନଭେମ୍ବରରେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ଆୟୋଜନ କରୁଛନ୍ତି ରାଜ୍ୟ ସରକାର। ଏଥିରେ ଭାଗ ନେବା ପାଇଁ ଶିଳ୍ପପତିମାନଙ୍କୁ ଆମନ୍ତ୍ରିତ କରିଛନ୍ତି ନବୀନ।

“ମେକ୍‌ ଇନ୍ ଓଡ଼ିଶା କନକ୍ଲେଭର ପ୍ରଥମ ସଂସ୍କରଣ ବେଳେ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଶଳ୍ପପତିମାନେ ଆଗ୍ରହ ପ୍ରକାଶ କରିଥିଲେ। ବର୍ତ୍ତମାନ ୬୫ ପ୍ରତିଶତ ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ ଅଟକି ରହିଛି। ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବା ପାଇଁ ଆମ ସରକାର ପ୍ରାଧାନ୍ୟ ଦେଉଛନ୍ତି”, କହିଛନ୍ତି ନବୀନ ପଟ୍ଟନାୟକ।

ଏହି ଅବସରରେ ନବୀନ ଓଡ଼ିଶା ପ୍ରତି ଶିଳ୍ପପତିଙ୍କୁ ଆକର୍ଷିତ କରିଥିଲେ। କଳିଙ୍ଗ ନଗର ଶିଳ୍ପ କରିଡର, ଖୋର୍ଦ୍ଧା ଏବଂ ଛତାବରଠାରେ ଫୁଡ୍ ପ୍ରୋସେସିଂ ପାର୍କ, ପାରାଦୀପରେ ପ୍ଲାଷ୍ଟିକ ପାର୍କ, ଅନଗୁଳ ଏବଂ ଝାରସୁଗୁଡ଼ାରେ ଆଲୁମିନିୟମ ପାର୍କ, ରାମଦାଶପୁର ଏବଂ ଧାମନଗରରେ ଟେକ୍ସଟାଇଲ ପାର୍କ ରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ରାଜ୍ୟ ସରକାର।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ଚେନ୍ନାଇରେ ଆୟୋଜିତ ହୋଇଥିଲା ରୋଡ୍ ସୋ। ଏଥିରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ। ଚେନ୍ନାଇ ଇନଭେଷ୍ଟର୍ସ ମିଟ୍‌ରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର୍ ବାଲାକ୍ରିଷ୍ଣନ ପ୍ରମୁଖ ଉପସ୍ଥିତ ଥିଲେ।

ଅଗଷ୍ଟ ୮ରେ ମୁମ୍ବାଇରେ ହୋଇଥିଲା ଇନଭେଷ୍ଟର୍ସ ମିଟ୍। ୩୦୦ରୁ ଅଧିକ ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ସେପ୍ଟେମ୍ବର ୧୨ ତାରିଖରେ ଦିଲ୍ଲୀରେ ମଧ୍ୟ ମେକ୍ ଇନ୍ ଓଡ଼ିଶା କନକ୍ଳେଭ ପାଇଁ ରୋଡ ସୋ ଆୟୋଜନ କରାଯାଇଥିଲା।

Comment