ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଡ଼ିଶା ରାଜନୀତି ଇତିହାସରେ ନୂଆ ଆଞ୍ଚଳିକ ଦଳ ତିଷ୍ଠିବା ସମ୍ଭବ ହୋଇନି। ଏବେ ଦାମଙ୍କ ନୂଆ ଦଳ ଉପରେ ନଜର।

୧୮ ବର୍ଷ ହେଲା ବିଜୁ ଜନତା ଦଳ ଓଡ଼ିଶାର ଶାସନ ଗାଦିରେ ରହିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଲାଗାତର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୨୦୧୯ ନିର୍ବାଚନ ଜିତି ପଞ୍ଚମ ଥର ପାଇଁ ବିଜେଡି ସରକାରକୁ ଫେରିବା ପାଇଁ ଜୋରଦାର ଉଦ୍ୟମ କରୁଛି। ହେଲେ ବିଜେଡିର ବିଜୟ ରଥକୁ ରୋକିବା ପାଇଁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଅଣ୍ଟା ଭିଡ଼ିଛନ୍ତି।

ଓଡ଼ିଶାରେ ନୂଆ ଆଞ୍ଚଳିକ ଦଳ ଗଠନ କରି ବିଜେଡିକୁ ଚେକ୍ ଦେବା ଲାଗି ଗୋଟି ଚାଳନା କରୁଛନ୍ତି ଅଭିଜ୍ଞ ନେତା ଦାମ। ହେଲେ ଦାମ ବିଜୁ ଅନୁଗତଙ୍କୁ ଏକାଠି କରି ନୂଆ ଦଳ ଗଠନ କରିବା ପାଇଁ ଯେଉଁ ଅଙ୍କ କଷୁଛନ୍ତି ସେଥିରେ ସେ ସଫଳ ହେବେ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅତୀତରେ ବିଜେଡିରୁ ବିଦା ହୋଇଥିବା ଅନେକ ଅଭିଜ୍ଞ ତଥା ପ୍ରଭାବଶାଳୀ ନେତା ନୂଆ ଦଳ ଗଠନ କରି ସଫଳତା ପାଇ ନଥିବା ବେଳେ ଦାମ କେମିତି ବିଜେଡିକୁ ଚେକ୍ ଦେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ଫେଲ୍‌ ମାରିଲା ବିଜୟଙ୍କ ଓଜିପି

୨୦୦୦ ମସିହା ନିର୍ବାଚନ ପୂର୍ବରୁ ବିଜେଡିରୁ ବହିଷ୍କୃତ ହୋଇଥିଲେ ବିଜୟ ମହାପାତ୍ର। ବିଜୟ ବିଜେଡିର ଜଣେ ସାଧାରଣ ନେତା ନଥିଲେ। ସେ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଥିଲେ। ବିଜେଡି ଗଠନରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବିଜୟ। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀରୁ ଚାରି ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଜୟ। ଏହାସହ ସେ ତତ୍କାଳୀନ ଜନତା ଦଳର ନିର୍ବାଚନ ବି ପରିଚାଳନା କରୁଥିବା କୁହାଯାଉଛି। ବିଜୟଙ୍କ ଭଳି ଅଭିଜ୍ଞ ନେତା ବିଜେଡିରୁ ବହିଷ୍କୃତ ହେବା ପରେ ୨୦୦୧ରେ ଓଡ଼ିଶା ଗଣ ପରିଷଦ ନାଁରେ ଦଳ ଗଢ଼ିଥିଲେ।

ସେତେବେଳେ ଚର୍ଚ୍ଚା ହୋଇଥିଲା ଯେ ବିଜୟଙ୍କ ଓଜିପି ବିଜେଡିକୁ ଟକ୍କର ଦେବ। ହେଲେ ବିଜୟଙ୍କ ଦଳକୁ ଓଡ଼ିଶାବସୀ ଗ୍ରହଣ କରି ନଥିଲେ। ୨୦୦୪ ନିର୍ବାଚନରେ ଓଜିପି ବିଜେଡି ବିରୋଧରେ ପ୍ରାର୍ଥୀ ଦେଇଥିଲା। ମାତ୍ର ୨ଟି ସିଟରେ ଓଜିପି ପ୍ରାର୍ଥୀ ବିଜୟୀ ହୋଇଥିଲେ ଏବଂ ନିଜେ ବିଜୟ ପରାଜିତ ହୋଇଥିଲେ। ୨୦୦୯ ନିର୍ବାଚନ ବେଳକୁ ଓଜିପିର ଓଡ଼ିଶାରେ କିଛି ସ୍ଥିତି ରହିଲା ନାହିଁ। ନିର୍ବାଚନ ପୂର୍ବରୁ ଓଜିପି ଏନସିପି ଦଳରେ ବିଲୟ ହୋଇଥିଲା। ବିଜୟ ଏନସିପିର ଓଡ଼ିଶା ଦାୟିତ୍ୱରେ ରହିଥିଲେ।

୨୦୦୯ରେ ବିଜେଡି ଏନସିପି ସହ ମେଣ୍ଟ କରିବାରୁ ବିଜୟ ବିଜେପିରେ ସାମିଲ ହୋଇଥିଲେ। ଏବେ ସେ ବିଜେପିରେ ରହିଛନ୍ତି ।

ଗୋଟିଏ ବି ଆସନ ପାଇଲାନି ପ୍ୟାରୀଙ୍କ ଜନମୋର୍ଚ୍ଚା

ବିଜୟଙ୍କ ପରି ଆଉ ଜଣେ ପ୍ରଭାବଶାଳୀ ନେତା ହେଉଛନ୍ତି ପ୍ୟାରୀମୋହନ ମହାପାତ୍ର। ତାଙ୍କୁ ବିଜେଡି ମାର୍ଗଦର୍ଶକ ବୋଲି କୁହାଯାଉଥିଲା। ହେଲେ ୨୦୧୨ ମେ’ ୨୯ ମିଡନାଇଟ ଅପରେସନ ପରେ ବିଜେଡିରୁ ବିଦା ହୋଇଥିଲେ ପ୍ୟାରୀ। ଶେଷରେ ପ୍ୟାରୀ ଓଡ଼ିଶା ଜନମୋର୍ଚ୍ଚା ନାଁରେ ଗଢ଼ିଥିଲେ ରାଜନୀତିକ ଦଳ। ୨୦୧୪ରେ ପ୍ୟାରୀଙ୍କ ଦଳ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେଇଥିଲା। ନିଜେ ପ୍ୟାରୀ ପ୍ରଚାର ମଙ୍ଗ ଧରିଥିଲେ। ହେଲେ ଗୋଟିଏ ବି ଆସନରେ ଓଡ଼ିଶା ଜନମୋର୍ଚ୍ଚାର ପ୍ରାର୍ଥୀ ଜିତିପାରି ନଥିଲେ। ପ୍ୟାରୀଙ୍କ ଦେହାନ୍ତ ପରେ ଏହି ଦଳର ସ୍ଥିତି ଆଉ ନାହିଁ। ବ୍ରଜ ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳରେ ପ୍ୟାରୀଙ୍କ ଜନମୋର୍ଚ୍ଚାର ବିଲୟ ଘଟିଛି ।

ବିଜୟ ଓ ପ୍ୟାରୀଙ୍କ ଭଳି ଅନେକ ନେତା ଓଡ଼ିଶାରେ ଆଞ୍ଚଳିକ ଦଳ ଗଠନ କରିଛନ୍ତି। ବିଜେଡି ବିରୋଧରେ ହୁଙ୍କାର ଦେଇଛନ୍ତି। ହେଲେ ଏହି ଆଞ୍ଚଳିକ ଦଳ ଗୋଟିଏ ନିର୍ବାଚନ ପରେ ନିଜର ସ୍ଥିତି ହରାଇଛନ୍ତି।

ଆନ୍ଧ୍ର କ୍ୟାଡର ଆଇଏଏସ୍ ଅଫିସର ଯତୀଶ ମହାନ୍ତିଙ୍କ ସମୃଦ୍ଧ ଓଡ଼ିଶା ପାର୍ଟି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କ ସମତା କ୍ରାନ୍ତି ପାର୍ଟି, ଖାରବେଳ ସ୍ୱାଇଁଙ୍କ ଉତ୍କଳ ଭାରତ ଏବଂ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଆମ ଓଡ଼ିଶା ପାର୍ଟିକୁ ନେଇ ବିଗତ ଦିନରେ ଅନେକ ସମୀକରଣ ହୋଇଛି। ହେଲେ କିଛି ସୁଫଳ ମିଳି ନଥିବା ଦେଖିବାକୁ ମିଳିଛି।

ନିର୍ବାଚନ ଆସିଲେ ଏହି ଛୋଟ ଛୋଟ ଦଳକୁ ନେଇ ମେଣ୍ଟ ଗଠନର ଚର୍ଚ୍ଚା ହୁଏ। କିନ୍ତୁ ଚର୍ଚ୍ଚା କେବଳ ଚର୍ଚ୍ଚାରେ ହିଁ ରହିଯାଏ। ୨୦୧୪ରେ ଆମ ଓଡ଼ିଶା ପାର୍ଟି ଉତ୍କଳ ଭାରତ ସହ ମେଣ୍ଟ କରିଥିଲା। ହେଲେ ମେଣ୍ଟର କୌଣସି ପ୍ରାର୍ଥୀ ଜିତିବାରେ ସମର୍ଥ ହୋଇ ନଥିଲେ। ନିକଟରେ ସୌମ୍ୟ ଆମ ଓଡ଼ିଶା ଛାଡ଼ି ବିଜେଡି ଯୋଗ ଦେଇ ରାଜ୍ୟସଭାକୁ ଯାଇଛନ୍ତି।

ଏବେ ବିଜେଡିରୁ ବହିଷ୍କୃତ ହେବା ପରେ ଡାକ୍ତର ଦାମୋଦର ରାଉତ ନୂଆ ଆଞ୍ଚଳିକ ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଅକ୍ଟୋବର ଶେଷ ସୁଦ୍ଧା ଦଳର ନାଁ ଏବଂ ସଦସ୍ୟଙ୍କ ନାଁ ଘୋଷଣା କରିବେ ଦାମ। ହେଲେ ଦାମଙ୍କ ଦଳ କେତେଦୂର ବିଜେଡିକୁ ଟକ୍କର ଦେବାରେ ସମର୍ଥ ହେଉଛି ତାହା ୨୦୧୯ ପର୍ଯ୍ୟନ୍ତ ଅପେକ୍ଷା କରି ଦେଖିବାର କଥା।

Comment